ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌: ପଏଣ୍ଟ୍‌ ବାଣ୍ଟିଲେ ଆମେରିକା-ବ୍ରାଜିଲ

ମ୍ୟାଚ୍‌ ୧-୧, ପଏଣ୍ଟ ୧-୧

ଭୁବନେଶ୍ବର : ଚଳିତ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ର ଦ୍ବିତୀୟ ପର୍ଯ୍ୟାୟ ଶୁକ୍ରବାରଠୁ ଆରମ୍ଭ ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍‌-ଏ’ର ତୃତୀୟ ମ୍ୟାଚ୍‌ରେ ଦୁଇ ଶକ୍ତିଶାଳୀ ଦଳ ଆମେରିକା ଓ ବ୍ରାଜିଲ ମୁହାଁମୁହିଁ ହୋଇଥିଲେ। ଏହି ଦୁଇ ଦଳ ନିଜ ନିଜର ପ୍ରଥମ ବିଜୟ ପାଇସାରିଥିଲା ବେଳେ ଏହି ମ୍ୟାଚ୍‌ ଜିତି କ୍ବାର୍ଟର ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିବା ଆଶାରେ ଥିଲେ। ହେଲେ ମ୍ୟାଚ୍‌ ୧-୧‌ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଥିଲେ। ଆମେରିକାର ନିକୋଲେଟ୍‌ କିଓରପେସ (୩୩ ମିନିଟ୍‌) ଏବଂ ବ୍ରାଜିଲର କାରୋଲ (୩୭ ମିନିଟ୍‌) ଗୋଲ୍‌‌ ସ୍କୋରର୍‌ ରହିଥିଲେ। ସଂପ୍ରତି ଆମେରିକା ଓ ବ୍ରାଜିଲ ସମାନ ୪ ପଏଣ୍ଟ୍‌ ଲେଖାଏଁ ପାଇ ଯଥାକ୍ରମେ ଗ୍ରୁପ୍‌-ଏ’ର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଚମତ୍କାର ଗୋଲ୍‌ ରକ୍ଷଣ ପାଇଁ ବ୍ରାଜିଲର ଲେଇଲେନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଶୁକ୍ରବାର କଡ଼‌ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ର ପ୍ରଥମ ଅଧଘଣ୍ଟା ଗୋଲ୍‌ ଶୂନ୍ୟ ରହିଥିଲା। ପ୍ରଥମ ପାଞ୍ଚ ମିନିଟ୍‌ରେ ବ୍ରାଜିଲ ୨ ଥର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା। ଏହାପରେ ଆମେରିକା ଲଗାତାର ଭାବେ ବ୍ରାଜିଲ ‌ଉପରେ ଆକ୍ରମଣ କରିଥିଲା। ଫଳ ସ୍ବରୂପ ଆମେରିକା ୩୩ତମ ମିନିଟ୍‌ରେ ଗୋଲ୍‌ ଦେଇ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହି ଗୋଲ୍‌ଟି ଓାନକା ଗାମେରୋଙ୍କ ସହାୟତାରେ କିଓରପେସ ଦେଇଥିଲେ। କିନ୍ତୁ ଏହି ଖୁସି ବେଶି ସମୟ ରହିନଥିଲା। ୩୭ତମ ମିନିଟ୍‌ରେ ଜନସନ୍‌ଙ୍କ ଏକ ସୁନ୍ଦର ପାସ୍‌କୁ ପେନାଲ୍‌ଟି ଏରିଆ ବାହାରୁ କାରୋଲ ସିଧା ବ୍ରାଜିଲ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ସ୍ଥିତି ବରାବର କରି ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ୧-୧ ସମାନ ସ୍ଥିତିରେ ଶେଷ ହୋଇଥିଲା।
ପ୍ରଥମାର୍ଦ୍ଧ ଭଳି ଦ୍ବିତୀୟାର୍ଦ୍ଧରେ ଆମେରିକା ଘନଘନ ଆକ୍ରମଣ କରିଥିଲା। ୪୮ ଓ ୫୦ତମ ମିନିଟ୍‌ରେ ‌ଦୁଇଟି ନିଶ୍ଚିତ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲା। ହେଲେ ବ୍ରାଜିଲର ଗୋଲ୍‌ରକ୍ଷିକା ଲେଇଲେନ୍‌ ଏହାକୁ ନିଷ୍ଫଳ କରିଦେଇଥିଲେ। ୫୪ତମ ମିନିଟ୍‌ରେ ଆମେରିକାର ସାଭନା କିଙ୍ଗ ଫାଉଲ ମାରି ହଳିଦିଆ କାର୍ଡ ପାଇଥିଲେ ଏବଂ ବ୍ରାଜିଲକୁ ଫ୍ରି କିକ୍‌ ମିଳିଯାଇଥିଲା। କିନ୍ତୁ ବ୍ରାଜିଲ ଖେଳାଳି ଏହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲା। ଅନ୍ୟପକ୍ଷରେ ଆମେରିକା ଯୁବାଙ୍କ ଚମତ୍କାର ପାସିଂ ପାଇଁ ବଲ୍‌ ମଧ୍ୟ ସେମାନଙ୍କ ନିୟନ୍ତ୍ରଣ ରହୁଥିଲା। ଏହାର ଫାଇଦା ନେଇ ଦଳ ବରାବର ବ୍ରାଜିଲ ଗୋଲ୍‌ପୋଷ୍ଟର ନିକଟତର ହେଉଥିଲା। ହେଲେ ବ୍ରାଜିଲର ଦୃଢ଼ ରକ୍ଷଣଭାଗ ସହ ଲେଇଲେନ୍‌ଙ୍କ ଚମତ୍କାର ପ୍ରଦର୍ଶନ‌ ଯୋଗୁଁ ଆମେରିକା ଗୋଲ୍‌ ଦେବାରେ ବିଫଳ ହୋଇଥିଲା। ତେଣୁ ମ୍ୟାଚ୍‌ର ଦ୍ବିତୀୟାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର