କୂଆଲାଲୁମ୍ପୁର: ରବିବାରଠୁ ଏଠାରେ ଆରମ୍ଭ ହୋଇଛି ମହିଳା ଟେ୍ଵଣ୍ଟି-୨୦ ଏସିଆ କପ୍ କ୍ରିକେଟ୍। ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମୁକାବିଲାରେ ଭାରତ ୧୪୨ ରନ୍ର ବୃହତ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଏକା ମିତାଲି ରାଜ୍ ଅପରାଜିତ ୯୭ ରନ୍ କରିଥିଲା ବେଳେ ପୂରା ମାଲେସିଆ ଦଳ ୨୭ ରନ୍ରେ ସଫା ହୋଇଯାଇଥିଲା। ମିତାଲି ରାଜ୍ଙ୍କ ୬୯ ବଲ୍ ୯୭* ରନ୍ ବଳରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୩ ଓ୍ଵିକେଟ୍ ବିନିମୟରେ ୧୬୯ ରନ୍ କରିଥିଲା। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖେଳି ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ମିତାଲି ତାଙ୍କ ଅପରାଜିତ ପାଳିରେ ୧୩ ଚୌକା ଓ ଗୋଟିଏ ଛକା ମାରିଥିଲେ। ମିତାଲିଙ୍କ ବ୍ୟତୀତ ସ୍ମୃତି ମାନ୍ଧାନା ୨, ପୂଜା ଭସ୍ତ୍ରକାର ୧୬, ଅଧିନାୟିକା ହର୍ମନ୍ପ୍ରୀତ୍ କୌର ୩୨ ଏବଂ ଦୀପ୍ତି ଶର୍ମା ଅପରାଜିତ ୧୮ ରନ୍ କରିଥିଲେ। ମାଲେସିଆ ପକ୍ଷରୁ ଆଇନା ହାମିଜା ହାସିମ୍ ଓ ନୁର୍ ହାୟାତି ଜାକାରିଆ ଗୋଟିଏ ଲେଖାଏଁ ଓ୍ଵିକେଟ୍ ପାଇଥିଲେ। ଜବାବରେ ମାଲେସିଆ ୧୩.୪ ଓଭର ପର୍ଯ୍ୟନ୍ତ ତିଷ୍ଠି ରହିଥିଲେ ମଧ୍ୟ ମାତ୍ର ୨୭ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା। କୌଣସି ଜଣେ ହେଲେ ବ୍ୟାଟର୍ ଦୁଇ ଅଙ୍କ ଛୁଇଁବାକୁ ସମର୍ଥ ହୋଇପାରିନଥିଲେ। ୬ ଜଣ ଖାତା ଖୋଲି ପାରିନଥିଲା ବେଳେ ସସା ଆଜ୍ମି ସର୍ବାଧିକ ୯, ଅଧିନାୟିକା ଓ୍ଵିନିଫ୍ରେଡ୍ ଦୁରାଇସିଙ୍ଗମ୍ ୫, ଜୁମିକା ଆଜ୍ମି ଅପରାଜିତ ୪, ମାସ୍ ଇଲିସା ୨ ଓ ନାଦିରା ନାସିରୁଦ୍ଦିନ୍ ୧ ରନ୍ କରିଥିଲେ। ଭାରତ ପକ୍ଷରୁ ଅଲ୍ରାଉଣ୍ଡର ପୂଜା ଭସ୍ତ୍ରକାର ୩-୦-୬-୩, ପୂନମ୍ ଯାଦବ ୨-୨-୦-୨, ଅନୁଜା ପାଟିଲ ୨.୪-୦-୯-୨, ଶିଖା ପାଣ୍ଡେ ୨-୧-୨-୧ର ବୋଲିଂ ଚିତ୍ର ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜେଶ୍ୱରୀ ଗାଏକ୍ୱାଡ ୨-୧-୨-୦ ଓ ଦୀପ୍ତି ଶର୍ମା ୨-୧-୪-୦ର ବୋଲିଂ ଚିତ୍ର ପାଇଥିଲେ। ମୋଟ ୬ ବୋଲର ୫ ମେଡେନ୍ ଓଭର ବୋଲିଂ କରିଥିଲେ। ମିତାଲିଙ୍କୁ ମାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହି ବିଜୟ ସହ ଭାରତ ମଧ୍ୟ ୨ ପଏଣ୍ଟ୍ ଅକ୍ତିଆର କରିନେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ଖେଳାଯାଇଥିବା ଅନ୍ୟ ଦୁଇଟି ମ୍ୟାଚ୍ରେ ଶ୍ରୀଲଙ୍କା ୬ ଓ୍ଵିକେଟ୍ରେ ବାଂଲାଦେଶକୁ ଏବଂ ପାକିସ୍ତାନ ୮ ଓ୍ଵିକେଟ୍ରେ ଥାଇଲାଣ୍ଡ୍କୁ ପରାସ୍ତ କରିଦେଇଛି। ବାଂଲାଦେଶର ୬୩ ରନ୍ ଜବାବରେ ଶ୍ରୀଲଙ୍କା ୧୪.୩ ଓଭରରେ ୪ ଓ୍ଵିକେଟ୍ ହରାଇ ୬୪ ରନ୍ କରିନେଇଥିଲା। ସେହିପରି ଥାଇଲାଣ୍ଡ୍ର ୬୭/୮ ଜବାବରେ ପାକିସ୍ତାନ ୧୩.୧ ଓଭରରେ ୨ ଓ୍ଵିକେଟ୍ ହରାଇ ୭୦ ରନ୍ କରିଥିଲା।