ଜବରଦଖଲ ହଟାଇବାକୁ ପୌର ପରିଷଦର ପଛଘୁଂଚା

ଖୋର୍ଦ୍ଧା ପୌର ପରିଷଦର ୫ମ ସାଧାରଣ ପରିଷଦ ବୈଠକ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ପୌର ପରିଷଦର ୫ମ ସାଧାରଣ ପରିଷଦ (କାଉନ୍ସିଲ) ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ସହରର ପ୍ରମୁଖ ଜବରଦଖଲ ସମସ୍ୟା ନେଇ ଉଠିଥିବା ଆଲୋଚନାରେ ପୌର ପରିଷଦ ନିଜର ସଂପୂର୍ଣ୍ଣ ଅପାରଗତା ଦର୍ଶାଇଥିବା ବୈଠକର ବିବରଣୀରୁ ସ୍ପଷ୍ଟ ହୋଇଛି ।

ସାଧାରଣତଃ ନିୟମାନୁସାରେ, ଜଳାଶୟ, ସର୍ବସାଧାରଣ ରାସ୍ତା, ନର୍ଦ୍ଦମା ନାଳ ଆଦି ମୌଳିକ ଭିତ୍ତିଭୂମି ଉପରେ କୌଣସି ପ୍ରକାର ଜବରଦଖଲ ହୋଇପାରିବ ନାହିଁ କିମ୍ବା ଜବରଦଖଲ ହଟାଇବାରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରାଯାଇପାରିବ ନାହିଁ । କିନ୍ତୁ ଖୋର୍ଦ୍ଧାରେ ଥଇଥାନ ନାମରେ ସହରରେ ଚାଲୁଥିବା ନିୟମିତ ଜବରଦଖଲ ବିରୋଧରେ କୌଣସି ପଦକ୍ଷେପ ନେବାକୁ ଆଜି ହୋଇଥିବା ଆଲୋଚନାରେ କାଉନ୍ସିଲରଙ୍କ ଠାରୁ ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ ସମସ୍ତେ ନିଜର ଅସାମର୍ଥ୍ୟ ପ୍ରକାଶ କରିଛନ୍ତି । ଏନେଇ ପୌରପରିଷଦ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଏନେଇ ଉଚ୍ଚନ୍ୟାୟାଳୟର ଆଦେଶ ରହିଛି, କିନ୍ତୁ ମାମଲାରେ ନ୍ୟାୟାଳୟର ନୋଟିସ୍ ଉପରେ ପୌରପରିଷଦ କାହିଁକି ଜବାବ ରଖିଲା ନାହିଁ ସେନେଇ ପରିଷଦ ନିରବ ରହିଛି ।

ତେବେ ବୈଠକରୁ ମିଳିଥିବା ସୂଚନାନୁସାରେ, ଥଇଥାନ ପରେ ୫୫୦ଟି କ୍ୟାବିନ୍କୁ ହଟାଯିବ ଓ ଯେଉଁ ଦୋକାନ ଅତିରିକ୍ତ ଭାବେ ରାସ୍ତା, ନାଳ ଆଦି ଜବରଦଖଲ କରିରଖିଛନ୍ତି ସେମାନଙ୍କୁ ମାଇକ ଯୋଗେ ଜବରଦଖଲ ସ୍ୱତଃସ୍ପୂର୍ତ ଭାବେ ହଟାଇବାକୁ ଅନୁରୋଧ କରାଯିବ । ଏହାସହ  ଦୋକାନଗୁଡ଼ିକ ହୋଲିଡିଂ ଟିକସ ମଧ୍ୟ ଦେଉନଥିବା ନେଇ ଆଲୋଚନା ହୋଇଥିଲା । ବର୍ଷା ପରେ ସହରର ଅଟକିଥିବା ନାଳନର୍ଦ୍ଦମା ନିଷ୍କାସନ ବ୍ୟବସ୍ଥାକୁ ସଜଡ଼ାଯିବ, ଖୋଲାଥିବା ନାଳକୁ ଢାଙ୍କୁଣି ଦିଆଯିବ ବୋଲି ନିଷ୍ପତ୍ତିି ହୋଇଥିଲା । ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ନିରାପତ୍ତା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଆଦି ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ବୈଠକରେ ପୌରାଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୌର ଉପାଧ୍ୟକ୍ଷ ଶୌର୍ଯ୍ୟରଂଜନ ମହାନ୍ତି, ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଇପ୍ସିତ ସାହୁ, ଅନ୍ୟ କାଉନ୍ସିଲରମାନେ ଉପସ୍ଥିତ ଥିଲେ । ପୌର ପରିଷଦର କର୍ମଚାରୀମାନେ ବୈଠକର ପରିଚାଳନାରେ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର