ସମ୍ବଲପୁର ବିଶ୍ବବିଦ୍ୟାଳୟର ୫୨ତମ ପ୍ରତିଷ୍ଠା ଦିବସ

ଶିକ୍ଷକତା ହିଁ ସ୍ବତନ୍ତ୍ର ପରିଚୟ ଦେଇଛି: ପ୍ର.ଶ୍ରୀବାସ୍ତବ

ସମ୍ବଲପୁର : ପ୍ରଶାସନିକ ଚାକିରି ପାଇଁ ଚେଷ୍ଟା କରି ୩ ଥର ବିଫଳ ହେଲି। ଶେଷରେ ଶିକ୍ଷକତା ହିଁ ମୋ ପାଇଁ ଏକମାତ୍ର ପନ୍ଥା ବାକି ଥିଲା। ହେଲେ ଏହି ଶିକ୍ଷକତା ‌ଯେ, ଦିନେ ସାରା ଭାରତରେ ମୋତେ ପରିଚିତ କରାଇବ ଜାଣିନଥିଲି। ଗୁରୁବାର ଜ୍ୟୋତି ବିହାରସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ସମ୍ବଲପୁର ବିଶ୍ବବିଦ୍ୟାଳୟର ୫୨ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ନୃତତ୍ବ ସର୍ବେକ୍ଷଣର ନିର୍ଦେଶକ ପ୍ରଫେସର ବିନୟ କୁମାର ଶ୍ରୀବାସ୍ତବ ଏହା କହିଛନ୍ତି।

ପ୍ରଫେସର ଶ୍ରୀବାସ୍ତକ କହିଥିଲେ ଯେ, ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ପ୍ରତି ଛାତ୍ରଛାତ୍ରୀ ଅନ୍ତତଃ ୩ଟି ଜିନିଷ ନିହାତି ଭାବେ କିଣିବା‌ ଦରକାର। ଗୋଟିଏ ପାଠ୍ୟ ପୁସ୍ତକ, ଦ୍ବିତୀୟରେ ଶବ୍ଦକୋଷ ଓ ତୃତୀୟରେ ଏକ ଭଏସ୍‌ ରେକର୍ଡର।

ସମ୍ମାନିତ ଅତିଥି ଆଇଆଇଏମ୍‌ ସମ୍ବଲପୁରର ନିର୍ଦେଶକ ମହାଦେବ ଜୟଶ୍ବାଲ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଏକାସାଙ୍ଗରେ ସମସ୍ତ ବିଶ୍ବବିଦ୍ୟାଳୟ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି କାର୍ଯ୍ୟ କଲେ ସଫଳତାରୁ କେହି ବଞ୍ଚିତ କରିପାରିବେ ନାହିଁ ।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଉତ୍ସବରେ ଅଧ୍ୟକ୍ଷତା କରି ସ୍ବାଗତ ଭାଷଣ ଦେଇଥିଲେ। ପ୍ରଫେସର ଏ.‌କେ.ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କୁଳସଚିବ ସଞ୍ଜତ କୁମାର ସାହୁ ବିଶ୍ବବିଦ୍ୟାଳୟର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ।

ଏହି ଅବସରରେ ପଦ୍ମଶ୍ରୀ ଡ.ଚନ୍ଦ୍ରଶେଖର କମ୍ବାରାଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଥିଲେ। ପଦ୍ମଶ୍ରୀ କମ୍ବାରାଙ୍କ ତରଫରୁ ପ୍ର.କେ.ସି.ପ୍ରଧାନ ଏହି ପରୁସ୍କାର ଗ୍ରହଣ କରିଥିଲେ। ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ଖେଳାଳି ଭାବେ ଆଶିଷ ପାତ୍ରଙ୍କୁ ସ୍ବର୍ଗତ ହାଡ଼ିବନ୍ଧୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ପି.ଜି.କାଉନସିଲ ଅଧ୍ୟକ୍ଷ ପ୍ରଫେସର ଏ.କେ.ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର