ସୁନାବେଡା ଅଭୟାରଣ୍ୟକୁ ୧୧୧ ବର୍ଗ କିମି ବୃଦ୍ଧି ପ୍ରସ୍ତାବ ବିଚାରଧୀନ
ସେଭ୍ ଏଲିଫ୍ୟାଣ୍ଟ୍ ଫାଉଣ୍ଡେସନ୍ ଟ୍ରଷ୍ଟକୁ ବିଜୁ ପଟ୍ଟନାୟକ ପୁରସ୍କାର
ଭୁବନେଶ୍ୱର : ଓଡ଼ିଶାର ଭୌଗୋଳିକ ଆୟତନର ୩୩.୧୫% ବନାଞ୍ଚଳ ଦ୍ୱାରା ଆଚ୍ଛାଦିତ ହୋଇଛି। ଯାହାକି ଜାତୀୟ ହାର(୨୪%)ଠାରୁ ଯଥେଷ୍ଟ ଅଧିକ। ରାଜ୍ୟରେ ୩ ହଜାରରୁ ଅଧିକ ପ୍ରଜାତିର ଉଦ୍ଭିଦ ସହ ୧୧୪ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୫୩୭ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ଉଭୟଚର ପ୍ରାଣୀ ଓ ୧୨୯ ପ୍ରକାରର ସରୀସୃପ ଦେଖାଯାଇଥାନ୍ତି। ବିଭିନ୍ନ ବନ୍ୟପ୍ରାଣୀ ଓ ଲୁପ୍ତପ୍ରାୟ ପ୍ରଜାତିଙ୍କୁ ସେମାନଙ୍କ ଆବାସସ୍ଥଳୀ ବାହାରେ ସଂରକ୍ଷଣ ନିମନ୍ତେ ୧୯ଟି ଅଭୟାରଣ୍ୟ, ୩ଟି ହସ୍ତୀ ପ୍ରକଳ୍ପ, ୨ଟି ବ୍ୟାଘ୍ର ପ୍ରକଳ୍ପ, ଗୋଟିଏ ସଂରକ୍ଷିତ ଜୈବମଣ୍ଡଳ, ଗୋଟିଏ ଜାତୀୟ ଉଦ୍ୟାନ ପ୍ରତିଷ୍ଠା ହୋଇଛି। ଆଉ ୩ଟି ଅଭୟାରଣ୍ୟ ସ୍ଥାପନ ଓ ସୁନାବେଡ଼ା ଅଭୟାରଣ୍ୟର ପରିସୀମା ୧୧୧ ବର୍ଗ କିମି ବୃଦ୍ଧି ପ୍ରସ୍ତାବ ଏବେ ବିଚାରାଧୀନ ରହିଛି ବୋଲି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।
ଭୁବନେଶ୍ୱରସ୍ଥିତ ପ୍ରକୃତି ଭବନଠାରେ ୬୬ତମ ବନ୍ୟପ୍ରାଣୀ ସପ୍ତାହରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର କୁମାରଖୁଣ୍ଟିଠାରେ ସାଢ଼େ ଦଶ ହେକ୍ଟର ପରିମିତ ସ୍ଥାନରେ ୬ କୋଟି ଟଙ୍କା ବ୍ୟୟରେ ହସ୍ତୀ ଥଇଥାନ କେନ୍ଦ୍ର ନିର୍ମାଣ କରାଯାଉଛି। ଏଥିସହ ଅନୁଗୁଳ, ଢେଙ୍କାନାଳ, ଆଠଗଡ଼, ବାରିପଦା ଓ ଖୋର୍ଦ୍ଧା ବନାଞ୍ଚଳ ଡିଭିଜନ୍ରେ ହାତୀ-ମଣିଷ ସଂଘର୍ଷ କମାଇବା ପାଇଁ ଗଜବନ୍ଧୁ ଯୋଜନା ଆରମ୍ଭ ହୋଇଛି। ବନ ସୁରକ୍ଷା ସମିତି ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଗଜବନ୍ଧୁ ମାନ୍ୟତା ଦିଆଯିବା ସହ ଏ ବାବଦରେ ୬ ମାସିଆ ଶସ୍ୟ ଋତୁରେ ପାରିଶ୍ରମିକ ମିଳିବ। ହାତୀଙ୍କ ଉପରେ ନଜର ରଖିବା ଲାଗି ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲିଛି। ରାଜ୍ୟର ୧୪ଟି ହାତୀ କରିଡର୍ ପରିଚାଳନା ଦିଗରେ ଗତବର୍ଷ ୧୫ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ଚଳିତବର୍ଷ ୨୨ କୋଟି ଟଙ୍କା ବିନିଯୋଗ କରାଯିବ। ଅନୁକମ୍ପାମୂଳକ ସହାୟତା ବାବଦରେ ଗତବର୍ଷ ବଜେଟ୍ରେ ୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏବର୍ଷ ୭ କୋଟି ଟଙ୍କା ରଖାଯାଇଛି।
ଏହି ଅବସରରେ ସେଭ୍ ଏଲିଫ୍ୟାଣ୍ଟ୍ ଫାଉଣ୍ଡେସନ୍ ଟ୍ରଷ୍ଟକୁ ଚଳିତ ବର୍ଷର ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଦ୍ବାରା ‘ଅନୁକମ୍ପା’ ପୋର୍ଟାଲ୍ ଉନ୍ମୋଚିତ ହୋଇଥିଲା। ଏହି ପୋର୍ଟାଲ୍ ମାଧ୍ୟମରେ ଅନୁକମ୍ପାମୂଳକ କ୍ଷତିପୂରଣ ପାଇଁ ପଞ୍ଜୀକରଣ କରାଯିବ। ୱାଇଲ୍ଡ ଲାଇଫ୍ ଓଡ଼ିଶା-୨୦୨୦, ଆନୁଆଲ୍ ରିପୋର୍ଟ, କଫି ଟେବୁଲ୍ ବୁକ୍ ଅନ୍ ଇକୋ-ଟୁରିଜିମ୍, ଏନ୍ଡବ୍ଲ୍ୟୁସିଏସ୍ଓ ନ୍ୟୁଜ୍ ଲେଟର ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଦ୍ୱାରା ଉନ୍ମୋଚିତ ହେବା ସହ କୁଇଜ୍ ଓ ଫଟୋଗ୍ରାଫି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରିଶଙ୍କର ଉପାଧ୍ୟାୟ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ। ଅତିରିକ୍ତ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶଶୀ ପଲ ଧନ୍ୟବାଦ ଦେଇଥିଲେ।