କଟକ ବାଲିଯାତ୍ରାର ସପ୍ତମ ସଂଧ୍ୟା: କମାଲ୍‌ କଲା ଏ କାଲି କାଲି ଆଖେଁ…

ବାଲିଯାତ୍ରା ୨ ଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେୟର

କଟକ: ରବିବାର ଛୁଟି ସାଙ୍ଗକୁ ବାଲିଯାତ୍ରା ପଡ଼ିଆରେ ବଲିଉଡ୍‌ର ବିଶିଷ୍ଟ ସଂଗୀତକାର ଅନୁ ମଲ୍ଲିକଙ୍କ ସୋ। ଦିନ ୧୨ଟାରୁ ବାଲିଯାତ୍ରା ପଡିଆରେ ଭିଡ଼ ଜମିବା ସହିତ କଟକର ରାସ୍ତାଘାଟ ଜାମ୍ ହୋଇଯାଇଥିଲା। ସୂଚନା ଅନୁଯାୟୀ ଆଜି ଗୋଟିଏ ଦିନରେ ୧୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଛନ୍ତି। ବାଲିଯାତ୍ରା ଆଜି ସପ୍ତମ ଦିନରେ ପହଞ୍ଚିଥିବା ବେଳେ ଆଜି ସବୁଠୁ ଅଧିକ ଭିଡ଼ ଦେଖିବାକୁ ମିଳିଛି। ଶୁକ୍ରବାର ଠାରୁ ବାଲିଯାତ୍ରା ଭିଡ଼ ଜମିବା ସହିତ ଆଜି ସବୁ ରେକର୍ଡ ଟପି ଯାଇଥିଲା। ବାଲିଯାତ୍ରା ପଡ଼ିଆରେ ଆଜି ସବୁ ‌ଷ୍ଟଲରେ ବି ବେପାର ଜମି ଯାଇଥିଲା। ଏଭଳି ସ୍ଥିତିରେ କଟକର ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବାଲିଯାତ୍ରାକୁ ଆଉ ଦୁଇ ଦିନ ବଢ଼ାଇବାକୁ ଅନୁରୋଧ କରିଛନ୍ତି। ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆସନ୍ତାକାଲି ଅର୍ଥାତ ଡିସେମ୍ବର ୪ ତାରିଖରେ ସରିବ ବୋଲି ଘୋଷଣା ହୋଇଛି। ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ରଘୁବର ଦାସ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ କଟକର ଜନସାଧାରଣ ଓ ବ୍ୟବସାୟୀ ମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ୬ ତାରିଖ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ମେୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ ଆଜି ବାଲିଯାତ୍ରାର ବୈଷ୍ଣବ ପାଣି ମଞ୍ଚରେ ବଲିଉଡ୍‌ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ, ସାଥୀ କଣ୍ଠଶିଳ୍ପୀ ହର୍ସିତ୍ ଓ ନିକିତାଙ୍କ କଣ୍ଠର ଯାଦୁ ଲକ୍ଷାଧିକ ‌ଦର୍ଶକଙ୍କୁ ମତୁଆଲା କରିଥିଲା। ଅନୁ ମଲ୍ଲିକ ଗୀତ ଗାଇବା ସହିତ ଅଗଣିତ ସଂଗୀତପ୍ରେମୀଙ୍କୁ ଗାଇବା ଓ ନାଚିବାକୁ ଉତ୍ସାହିତ କରିବା ନିଆରା ପରିବେଶ ସୃ‌‌‌ଷ୍ଟି କରିଥିଲା। ଆସିକ୍‌ ହୁଁ ମେଁ କାତିଲ୍ ବି ହୁଁ……, ମେରେ ପିୟା ଘର ଆଏ ଓ ରାମ ଜି……, ଏ କାଲି କାଲି ଆଖେଁ….. ଭଳି ହିଟ୍ ସଂଗୀତରେ ଦର୍ଶକ ଝୁମି ଉଠିଥିଲେ। ଏହା ସାଙ୍ଗକୁ ଗୁଞ୍ଜନ ଡ୍ୟାନ୍ସ ଏକା‌ଡେମିର ଶିଳ୍ପୀମାନେ ଓଡ଼ିଶୀରେ ଭୂମି ମଙ୍ଗଳମ୍ ଓ ମୋହନା ପଲ୍ଲବୀ ପରିବେଷଣ କରିଥିବା ବେଳେ ‌କୋଲକାତାର ନୂପୁର ଅନୁଷ୍ଠାନର ଶିଳ୍ପୀଙ୍କ ବେଙ୍ଗଲୀ ଲୋକନୃତ୍ୟ, କଟକର ନୃତ୍ୟଶାଳାର ଶିଳ୍ପୀଙ୍କ ଦଳଗତ ଓଡ଼ିଶୀ ନୃତ୍ୟ, ଶିଳ୍ପୀକଳା ନିକେତନର ସେମି କ୍ଲାସିକାଲ ନୃ୍ତ୍ୟ ସପ୍ତମ ସଂଧ୍ୟାକୁ ବେଶ୍ ଚିତ୍ତାକ‌ର୍ଷକ କରିଥିଲା। ବାଲିଯାତ୍ରାର ଅନ୍ୟତମ ସାଂସ୍କୃତିକ ମଞ୍ଚ ଅକ୍ଷୟ ମହାନ୍ତି ମଞ୍ଚରେ କଣ୍ଠଶିଳ୍ପୀ ତାରିକ ଅଜିଜ ଓ ସାଥୀଙ୍କ ସଂଗୀତ ପରିବେଷଣ ଅନ୍ୟତମ ଆକର୍ଷଣ ଥିଲା। ଏହା ସହ ଗଣକବି ବୈଷ୍ଣବ ପାଣି କ୍ଲବ୍(ମାହାଙ୍ଗା) କଳାକାରଙ୍କ ଗୀତିନାଟ୍ୟ, ଆସାମ କଳାରତ୍ନମ୍ ଅନୁଷ୍ଠାନର ଶିଳ୍ପୀଙ୍କ ପାରମ୍ପରିକ ବିହ୍ୟୁ ନୃତ୍ୟ,କୋରାପୁଟ ଜୟପୁର କଳାକେନ୍ଦ୍ର କଳାକାରଙ୍କ ଢେମସା ନୃତ୍ୟ ଆଜି ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା।

କଟନ୍‌ ସୂତାରେ ପଟ୍‌ ହ୍ୟାଙ୍ଗର
କଟନ୍‌ ସୂତାରେ ଆକର୍ଷଣୀୟ ଢଙ୍ଗରେ ବୁଣାଯାଇଛି ପଟ୍ ହ୍ୟାଙ୍ଗର। ଘର ବାଲକୋନି, ପୋର୍ଟିକୋ, ‌ଡ୍ରଇଂ ରୁମ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏହି ହାତବୁଣା ପଟ ହ୍ୟାଙ୍ଗରରେ ମନିପ୍ଲାଣ୍ଟ, ବାମ୍ବୋ ତଥା ବିଭିନ୍ନ ଗଛ ସବୁ ‌ରଖି ହେବ। କଟକ ଲିଙ୍ଗରୋଡର ସୁଚିସ୍ମିତା ବାରିକ୍‌ ଏଭଳି ସାମଗ୍ରୀ ଓରମାସ୍‌ ଷ୍ଟଲ୍‌ରେ ବିକ୍ରି କରୁଥିବାବେଳେ ଏହାର ଦାମ୍‌ ୬ଶହ ଟଙ୍କାରୁ ଆରମ୍ଭ କରି ୧୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି।
ଝଡ଼ାଫୁଲରୁ ଧୂପକାଠି
ଠାକୁରଙ୍କ ନିକଟରେ ଲାଗୁଥିବା ଫୁଲ ସବୁ ବାସି ହେବାପରେ ତାକୁ ଫୋପାଡି ଦିଆଯାଏ। ପୁଣି ନୂଆ ଫୁଲ ଲାଗି କରାଯାଏ। କିନ୍ତୁ ସେହି ଝଡା ଫୁଲ ଅର୍ଥାତ୍‌ ଗେଣ୍ଡୁ, ଗୋଲାପ, ରଜନୀଗନ୍ଧା ତଥା ବିଭିନ୍ନ ଫୁଲକୁ ସଂଗ୍ରହ କରାଯାଇ ସେଥିରେ ତିଆରି ହୋଇଛି ଧୂପକାଠି। ନିଶ୍ଚିନ୍ତକୋଇଲି ବ୍ଲକ୍‌ର ମାନସୀ ଓଝା ଏଭଳି ଝଡାଫୁଲର ଧୂପକାଠି ନେଇ ଆସିଛନ୍ତି ବାଲିଯାତ୍ରାକୁ। ତାଙ୍କର ଅନେକ ପ୍ରକାର ଧୂପକାଠିର ଡିମାଣ୍ଡ ରହିଥିବାବେଳେ ଏବେ ପ୍ରଥମ ଥର ପାଇଁ ସେ ଏଭଳି ଝଡାଫୁଲରୁ ତିଆରି କରିଛନ୍ତି ଧୂପକାଠି। ଗୋଟିଏ ଦିନରେ ଜଣେ ବ୍ୟକ୍ତି ଦୁଇଶହ ପିସ୍‌ ଧୂପକାଠି ନେଇଯାଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର