ନବମ ଚିତ୍ତରଞ୍ଜନ ଦାସ ବକ୍ତୃତାମାଳା : ସାହିତ୍ୟ ମଣିଷ ପାଖକୁ ନ ଯାଇ ଉତ୍ସବରେ ଆବଦ୍ଧ ହୋଇଗଲାଣି

କଟକ : ରାଜା ରାଜୁଡ଼ା ଅମଳରେ ସାହିତ୍ୟିକମାନେ ଶିରୋପ‌ା, ମୁଦି, ମକର କୁଣ୍ଡଳ ପାଇଁ ସେମାନଙ୍କର ସ୍ତବ ଓ ସ୍ତୁତି କରୁଥିଲେ। ଆଜି ମଧ୍ୟ ସରକାରୀ ଓ କ‌େର୍ପାରେଟ ପୁରସ୍କାର ପାଇଁ ସାହିତ୍ୟିକମାନେ ମୂଷାଦୌଡ଼ରେ ମାତୁଛନ୍ତି। ସାହିତ୍ୟିକ ନୁହେଁ, ବରଂ ତା’ର ପଦବୀ ଆଲୋଚିତ ହେଉଛି। କର୍ପୋରେଟ ପୃଷ୍ଠପୋଷକମାନେ ଦେଉଥିବା ଉପଢୌକନ ଲାଗି ସାହିତ୍ୟିକମାନେ ଭିକାରି ଭଳି ଧାଡ଼ିରେ ଛିଡ଼ା ହେଉଛନ୍ତି। ଔଦ୍ୟୋଗୀକରଣର ପାର୍ଶ୍ବ ପ୍ରତିକ୍ରିୟା ବିରୋଧରେ ଲେଖୁଥିବା କବି ଓ ଲେଖକ ଉଦ୍ୟୋଗପତି ଦେଉଥିବା ପୁରସ୍କାର ନ ପାଇଲେ ଖେଦ କରୁଛି। ସାହିତ୍ୟ ମଣିଷ ପାଖକୁ ଯିବା ପରିବର୍ତ୍ତେ ପଞ୍ଚତାରକା ହୋଟେଲରେ ଉତ୍ସବରେ ଆବଦ୍ଧ ହୋଇ ରହୁଛି। ସେଥିପାଇଁ ଆବଶ୍ୟକ ବେଳେ ସାହିତ୍ୟ ଆଜି ମଧ୍ୟ ସାହସ ଜୁଟାଇ ପାରୁନାହିଁ। ଆଜି ‘ଦି ୟୁନିଭର୍ସ’ ପରିସରରେ ସହୃଦ୍ ଗୋଷ୍ଠୀ ପକ୍ଷରୁ ଆୟୋଜିତ ନବମ ଚିତ୍ତରଞ୍ଜନ ଦାସ ବକ୍ତୃତାମାଳାରେ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ବିଶିଷ୍ଟ କବି ଓ ଲେଖକ ଅଧ୍ୟାପକ ପବିତ୍ର ମୋହନ ଦାଶ ଏଭଳି ମତ ରଖିଛନ୍ତି।

ଏହି ଆଲୋଚନାଚକ୍ରରେ ସ୍ବର୍ଗତ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ପୁସ୍ତକ ‘ଓଡ଼ିଆ ସାହିତ୍ୟର ସାଂସ୍କୃତିକ ବିକାଶଧାରା’ ପୁସ୍ତକ ଉପରେ ଆଲୋଚନା କରି ଅଧ୍ୟାପକ ଶ୍ରୀ ଦାଶ କହିଥିଲେ ଯେ ଚିତ୍ତଭାଇ ନିଜେ ଜଣେ ସାହିତ୍ୟିକ ହୋଇଥିଲେ ମଧ୍ୟ କୌଣସି ପ୍ରକାର ଭାବାବେଗ ନ ରଖି ମଣିଷକୁ ସାହିତ୍ୟଠାରୁ ଆଗରେ ରଖିଛନ୍ତି। ସାହିତ୍ୟ ସହ ସଂସ୍କୃତିର ସମ୍ବନ୍ଧ ଦେଖାଇବାକୁ ଯାଇ ସାହିତ୍ୟ ମାଧ୍ୟମରେ ସଂସ୍କୃତିର ଆତ୍ମଦର୍ଶନ ଘଟେ ବୋଲି କହିଛନ୍ତି। ନିଜ ସଂସ୍କୃତିକୁ ମହାନ କହି ଅନ୍ୟକୁ ବର୍ବର, ମ୍ଳେଚ୍ଛ ଓ ନୀଚ୍ଚ ଦେଖାଇବାର ମନୋଭାବକୁ ତୀବ୍ର ବିଦ୍ରୁପ କରିଛନ୍ତି। ତାଙ୍କ ବିଚାରରେ ସଂସ୍କୃତି ନୂତନତର ବ୍ୟାପକତାର ଆବିଷ୍କାର କରାଏ। ସେହିପରି ସାହିତ୍ୟ ମଧ୍ୟ ଭୂଷଣ, ମଣ୍ଡନ ବା ବିଳାସର ସାମଗ୍ରୀ ନୁହେଁ। ଏହା ଆପ୍ୟାୟନ ଓ ବିନୋଦନର ସାଧନ ମଧ୍ୟ ନୁହେଁ। ସଂସ୍କୃତି ସାମୂହିକ ଜୀବନ-ଜଳବାୟୁର ଏକ ଅଂଶ ଏବଂ ସେହି ସାମୂହିକତାର ଏକ ଅଂଶ ହେଉଛି ସାହିତ୍ୟ। ସାହିତ୍ୟ ସଂସ୍କୃତିର ରୂପ ବଦଳାଏ, ପୁଣି ସଂସ୍କୃତି ସାହିତ୍ୟ ଲାଗି ଉତ୍‌ପ୍ରେରକର କାମ କରେ ବୋଲି ଚିତ୍ତଭାଇ ତାଙ୍କ ପୁସ୍ତକରେ ଯାହା ଉଲ୍ଲେଖ କରିଛନ୍ତି; ତାହା ଯଥାର୍ଥ ବୋଲି ଶ୍ରୀ ଦାଶ ମତ ଦେଇଥିଲେ।

ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ବିଶିଷ୍ଟ ପ୍ରାବନ୍ଧିକ ଓ ସମାଲୋଚକ ଗୌରାଙ୍ଗ ଚରଣ ଦାଶ କହିଲେ; ଚିତ୍ତଭାଇ ଥିଲେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ। ସୁହୃଦ୍ ତାଙ୍କ ମାନସ ସନ୍ତାନ। ସେ ମୁଁ ଉପରେ ବିଶ୍ବାସ କରୁ ନ ଥିଲେ। ମୁଁ ସହିତ ବିଶ୍ବକୁ ଯୋଡ଼ିବାର ସାଧନା କରିଥିଲେ ଏବଂ ତାଙ୍କର ସେହି ଆଲୋକିତ ସତ୍ତା ଆଜି ମଧ୍ୟ ଆମ ଚେତନାକୁ ଉଦ୍ଦୀପିତ କରୁଛି। ପ୍ରାରମ୍ଭରେ ‘ଦି ୟୁନିଭର୍ସ’ର କିଶୋର କୁମାର ତ୍ରିପାଠୀ ସମସ୍ତଙ୍କୁ ସ୍ବାଗତ କରିଥିବାବେଳେ ସୁହୃଦ୍‌ ଗୋଷ୍ଠୀର କୁମୁଦିନୀ ଗୁରୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ରବୀନ୍ଦ୍ର ନାଥ ପାଢ଼ୀ ରବୀନ୍ଦ୍ର ସଂଗୀତ ଗାନ କରିବା ସହିତ ଏହି ଆଲୋଚନାଚକ୍ରର ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଆଲୋଚନାଚକ୍ରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୨୦୦ରୁ ଅଧିକ କବି, ଲେଖକ, ବୁଦ୍ଧିଜୀବୀ ଓ ଜିଜ୍ଞାସୁ ଯୋଗ ଦେଇ ଭାବ ବିନିମୟ କରିଥିଲେ।

ସମ୍ବନ୍ଧିତ ଖବର