ଆଦିତ୍ୟ ଶ୍ରୀବାସ୍ତବ ଟପର୍‌, ଦ୍ବିତୀୟରେ ଓଡ଼ିଶାର ଅନିମେଶ: ଶ୍ରେଷ୍ଠ ୧୦ଟି ସ୍ଥାନରେ ୫ ମହିଳା

୧୮ରୁ ଅଧିକ ଓଡ଼ିଆଙ୍କୁ ସଫଳତା, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷା-୨୦୨୩ ଫଳ ଆଜି ପ୍ରକାଶ ପାଇଛି। ଓଡ଼ିଶାର ଅନିମେଶ ପ୍ରଧାନ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ଏବେ ଦିଲ୍ଲୀରେ କାର୍ଯ୍ୟ କରୁଥିବା ଅନିମେଶ ଏନ୍‌ଆଇଟି ରାଉରକେଲାରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ ପାସ୍‌ କରିବା ପରେ ନୂଆଦିଲ୍ଲୀରେ ଆଇଓସିଏଲ୍‌ରେ ଚାକିରି କରୁଛନ୍ତି। ଲକ୍ଷ୍ନୌ ନିବାସୀ ତଥା ପଶ୍ଚିମବଙ୍ଗରେ ଆଇପିଏସ୍‌ ଥିବା‌ ଆଦିତ୍ୟ ଶ୍ରୀବାସ୍ତବ ଦେଶରେ ଟପର୍‌ ହୋଇଥିବା ବେଳେ ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡି, ଚତୁର୍ଥରେ ପି କେ ସିଦ୍ଧାର୍ଥ ରାମକୁମାର, ପଞ୍ଚମରେ ରୁହାନୀ, ଷଷ୍ଠରେ ସୃଷ୍ଟି ଦାବସ, ସପ୍ତମରେ ଅନମୋଲ ରାଠୋର, ଅଷ୍ଟମରେ ଆଶିଷ କୁମାର, ନବମରେ ନୌସିନ୍, ଦଶମ ସ୍ଥାନରେ ଐଶ୍ୱର୍ୟ୍ୟାମ ପ୍ରଜାପତି ଅଛନ୍ତି। ଶ୍ରେଷ୍ଠ ୧୦ଟି ସ୍ଥାନରେ ୫ଜଣ ମହିଳା ରହିଛନ୍ତି। ୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୪୭୪ଜଣ ସାଧାରଣ ବର୍ଗ, ୧୧୫ ଅର୍ଥନୈତିକ ଦୁର୍ବଳ ବର୍ଗ, ୩୦୩ଜଣ ଓବିସି, ୧୬୫ ଜଣ ଅନୁସୂଚିତ ଜାତି ଓ ୮୬ଜଣ ଅନୁସୂଚିତ ଜନଜାତି ବର୍ଗର ରହିଛନ୍ତି। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୮୦ଜଣ ଆଇଏଏସ୍‌, ୨୦୦ଜଣ ଆଇପିଏସ୍‌ ଓ ୩୭ଜଣ ଆଇଏଫ୍‌ଏସ୍‌ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କେନ୍ଦ୍ରୀୟ ସେବା ଗ୍ରୁପ୍‌ ‘ଏ’ର ୬୧୩, ଗ୍ରୁପ୍‌ ‘ବି’ ସର୍ଭିସ୍‌ର ୧୧୩ଜଣ ରହିଛନ୍ତି। ପ୍ରାୟ ୨୦ ଜଣ ଓଡ଼ିଆ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ତାଲିକାର ଶ୍ରେଷ୍ଠ ଶହେ ମଧ୍ୟରେ ଓଡ଼ିଶାରୁ ଅନିମେଶଙ୍କ ବ୍ୟତୀତ ୨୪ତମ ରୢାଙ୍କରେ ପ୍ରଜ୍ଞାନନ୍ଦନ ଗିରି, ୩୬ତମ ରୢାଙ୍କରେ ଆୟୁଷୀ ପ୍ରଧାନ, ୫୨ତମ ରୢାଙ୍କରେ ଜୟଶ୍ରୀ ପ୍ରଧାନ, ୬୦ତମ ରୢାଙ୍କରେ ଅଭିମନ୍ୟୁ ମଲ୍ଲିକ ରହିଛନ୍ତି। ଏମାନଙ୍କ ବ୍ୟତୀତ ୧୧୦ତମ ରୢାଙ୍କରେ ଅମ୍ରିତାଂଶୁ ନାୟକ, ୧୧୫ତମ ରୢାଙ୍କରେ ଯଶୋବନ୍ତ ମଲ୍ଲିକ, ୧୭୬ତମ ରୢାଙ୍କରେ ପଦ୍ମନାଭ ମିଶ୍ର, ୨୦୪ତମ ରୢାଙ୍କ ଶୁଭ୍ରା ପଣ୍ଡା, ୨୮୦ତମ ରୢାଙ୍କରେ ଅନନ୍ୟା ରଣା, ୩୦୩ତମ ରୢାଙ୍କରେ ତନିଶା ମିଶ୍ର, ୩୧୯ତମ ରୢାଙ୍କରେ ରଶ୍ମି ପ୍ରଧାନ, ୩୪୩ତମ ସ୍ଥାନରେ ବିଶ୍ୱଜିତ ପଣ୍ଡା, ୩୮୭ତମ ସ୍ଥାନରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ୪୦୯ତମ ରୢାଙ୍କରେ ସନ୍ତୋଷ କୁମାର ପାତ୍ର, ୪୬୬ତମ ରୢାଙ୍କରେ ସୌରଭ ଦାସ, ୫୭୫ତମ ରୢାଙ୍କରେ ରାକେଶ କୁମାର ସାହୁ, ୫୮୧ତମ ସ୍ଥାନରେ ନୟନ ରଞ୍ଜନ ଦାସ ରହିଥିବା ସୂଚନା ମିଳିଛି। ତେବେ ଓଡ଼ିଶାରୁ ଆଉ କେତେଜଣ ତାଲିକାରେ ସ୍ଥାନ ପାଇଛନ୍ତି ତାହା ଜଣାପଡ଼ି ନାହିଁ।

ସଫଳତା ହାସଲ କରୁଥିବା ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ‘ଏକ୍ସ’ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରିଥିବା ଓଡ଼ିଶାର ସମସ୍ତ କୃତୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା। ତୃଣମୂଳସ୍ତର ପାଇଁ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସେମାନେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଆଶା ପୋଷଣ କରିବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ‘ଏକ୍ସ’ରେ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପରୀକ୍ଷାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆଦିତ୍ୟ ଶ୍ରୀବାସ୍ତବ ଓ ତାଳଚେରର ଅନିମେଶ ପ୍ରଧାନଙ୍କ ସମେତ ସଫଳତା ପାଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଓଡ଼ିଶାର ସୁଯୋଗ୍ୟ ସନ୍ତାନ ଅନିମେଶ ଆମ ତାଳଚେର ତଥା ଓଡ଼ିଶାକୁ ଗର୍ବିତ କରିଛନ୍ତି। ‘ବିକଶିତ ଭାରତ’ ଗଠନ ଦିଗରେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ପ୍ରଧାନ କୃତୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର