ତାତିରେ ସିଝୁଛି ସାରା ଓଡ଼ିଶା: ତାତିରେ ସିଝୁଛି ସାରା ଓଡ଼ିଶା

୪୦ ଡିଗ୍ରି ଉପରେ ୨୯ ସହର, ୧୮ ଓ ୧୯ ତାରିଖରେ ଭାଜିହେବ

ଭୁବନେଶ୍ବର: ତାତିରେ ସିଝୁଛି ଓଡ଼ିଶା। ଭୁବନେଶ୍ବରରୁ ନୂଆପଡ଼ା ହେଉ ଅଥବା ମାଲକାନଗିରିରୁ ମୟୂରଭଞ୍ଜ, ସାରା ଓଡ଼ିଶାବାସୀ ଏବେ ତ୍ରାହିତ୍ରାହି ଡାକୁଛନ୍ତି। ସକାଳ ସାଢ଼େ ୮ଟା ବାଜିବା କ୍ଷଣି ପାରଦ ଉପରମୁହାଁ ହେଉଛି ଯେ କମିବାର ନାଁ ଧରୁନାହିଁ। ଦିନ ଯେମିତି ବଢ଼ୁଛି ପାରଦ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇ ରେକର୍ଡ ପରେ ରେକର୍ଡ ଭାଙ୍ଗିବାରେ ଲାଗିଛି। ଆଜି ଦିନରେ ରାଜ୍ୟର ୨୯ ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ରହିଥିଲା। ଚଳିତ ସିଜିନରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରି ରହିବା ସହ ବାରିପଦା ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏଠାରେ ତାପମାତ୍ରା ସ୍ବାଭାବିକଠାରୁ ୫.୫ ଡିଗ୍ରି ଅଧିକ ରହିଥିବା ବେଳେ ଭୁବନେଶ୍ବରରେ ୪.୧ ଅଧିକ ଥିଲା। ବାରିପଦା ବ୍ୟତୀତ ନୂଆପଡ଼ା ଓ ପାରଳାଖେମୁଣ୍ଡିରେ ୪୨.୪ ଡିଗ୍ରି, ତାଳଚେର ଓ ବୌଦ୍ଧରେ ୪୨, ଭୁବନେଶ୍ବର ଓ ମାଲକାନଗିରିରେ ୪୧.୯, ନୟାଗଡ ଓ ଅନୁଗୁଳରେ ୪୧.୭, ଚାନ୍ଦବାଲିରେ ୪୧.୬, ଖୋର୍ଦ୍ଧା ଓ ଟିଟିଲାଗଡ଼ରେ ୪୧.୫, ଝାରସୁଗୁଡ଼ାରେ ୪୧.୪, ବାଲେଶ୍ବରରେ ୪୧.୧, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଭଦ୍ରକରେ ୪୧ ଡିଗ୍ରି ରେକର୍ଡ କରାଯାଇଛି।

ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରି ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ ହେବା ସହ ବୁଧବାରଠାରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ ଡିଗ୍ରି ପହଞ୍ଚିବ। ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌) ଚେତାବନୀ ଜାରି କରାଯାଇଛି। ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲାରେ ଉଚ୍ଚ ତାପମାତ୍ରା ଲାଗିରହିବ।
୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍ଥାନରେ ପାରଦ ୪୦ ଡିଗ୍ରି ଉପରେ ରହିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୧୭ ତାରିଖରେ ଟିଟିଲାଗଡ଼, ବଲାଙ୍ଗୀର, ମାଲକାନଗିରି, ବୌଦ୍ଧ, ଝାରସୁଗୁଡ଼ା, ବାରିପଦା, ନୟାଗଡ଼ଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ଉପରେ ରହିବ। ୧୮ ଓ ୧୯ ତାରିଖରେ ମାଲକାନଗିରି, ବଲାଙ୍ଗୀର, ଭବାନୀପାଟଣା, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ଟିଟିଲାଗଡ଼, ନୟାଗଡ଼, ଅନୁଗୁଳ ସହରରେ ଦିନର ତାପମାତ୍ରା ୪୫ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିପାରେ। ଏହି ଦିନଗୁଡ଼ିକରେ ବାରିପଦା, ନୂଆପଡ଼ା, ସୋନପୁର, ଭୁବନେଶ୍ବର, ରାଉରକେଲା, ସୁନ୍ଦରଗଡ଼, ଯାଜପୁର, ରାୟଗଡ଼ା, ପାରଳାଖେମୁଣ୍ଡିଠାରେ ତାପମାତ୍ରା ୪୩ରୁ ୪୪ ଡିଗ୍ରି ମଧ୍ୟରେ ରହିବ। ତାହାକୁ ନଜରରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସମ୍ବନ୍ଧିତ ଖବର