ରଣପୁର, ପଟାଙ୍ଗୀରେ ପ୍ରାର୍ଥୀ ବଦଳାଇଲା ବିଜେପି

ବିଧାନସଭା ପାଇଁ ଦ୍ବିତୀୟ ପ୍ରାର୍ଥୀ ତାଲିକା, ବୁଢ଼ାନ, ବିଶ୍ବେଶ୍ବରଙ୍କୁ ସୁଯୋଗ ମିଳିଲାନି

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଦ୍ବିତୀୟ ପର୍ଯ୍ୟାୟରେ ୨୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏପ୍ରିଲ ୨ରେ ୧୧୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଏଥିରୁ ଦୁଇ ଜଣ ପ୍ରାର୍ଥୀଙ୍କୁ ବଦଳାଇଛି। ଦୁଇ ପର୍ଯ୍ୟାୟରେ ବିଜେପି ମୋଟ୍ ୧୩୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଆଉ ୧୬ଟି ଆସନରେ ପ୍ରାର୍ଥୀ ଘୋଷଣା ହେବା ବାକି ଅଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଜୟପୁର ଆସନ ଅଛି। ହେଲେ ଆସନ୍ତା ୨୦ତାରିଖ ସୁଦ୍ଧା ବାକି ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା ହେବ ବୋଲି ବିଜେପି ସୂତ୍ରରୁ ଖବର ମିଳିଛି। ବିଜେପି ପ୍ରଥମ ପର୍ଯ୍ୟାୟରେ ରଣପୁର ଆସନରେ ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏହାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ ହୋଇଥିଲା। ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କୁ ପ୍ରାର୍ଥୀ କରିବାକୁ ଦାବି ଜୋର୍ ଧରିଥିଲା। ଗତଥର ସୁରମା ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିବାରୁ ଏଥର ପୁଣି ସୁଯୋଗ ଦେବାକୁ ଦଳ ନିଷ୍ପତ୍ତି ନେଇଛି। ସେହିପରି ପଟାଙ୍ଗୀ ଆସନରେ ଦଳ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦବାଲିଙ୍କୁ ପ୍ରାର୍ଥୀ କରିଛି। ପଟାଙ୍ଗି ଆସନଟି ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଦଳ ଏଠାରେ ଅନୁସୂଚିତ ଜାତି ବର୍ଗର ଜଣଙ୍କୁ ପ୍ରାର୍ଥୀ କରିଥିବାରୁ ବଦଳାଇଛି ବୋଲି କୁହାଯାଉଛି। ଧର୍ମଶାଳା ଆସନ ସମେତ ଆଉ କିଛି ଆସନରେ ପ୍ରାର୍ଥୀ ବଦଳାଇବାକୁ ଜୋରଦାର ଦାବି ହେଉଥିଲେ ହେଁ ଦଳ ପ୍ରାର୍ଥୀ ବଦଳାଇନି। ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ କୋର୍ଟରୁ ଆଶ୍ବସ୍ତି ମିଳିବା ପରେ ଦଳ ତାଙ୍କୁ ରାଉରକେଲାରୁ ପ୍ରା‌ର୍ଥୀ କରିଛି। ଏହି ଆସନରୁ ସେ ୨୦୧୪ରେ ଶେଷ ଥର ପାଇଁ ବିଧାୟକ ହୋଇଥିଲେ।

ବିଧାନସଭା ପାଇଁ ଦ୍ବିତୀୟ ପ୍ରାର୍ଥୀ ତାଲିକା
ବୁଢ଼ାନ, ବିଶ୍ବେଶ୍ବରଙ୍କୁ ସୁଯୋଗ ମିଳିଲାନି
ରାଉରକେଲାରେ ଲଢ଼ିବେ ଦିଲୀପ ରାୟ
ବିଜେଡିରୁ ଆସିଥିବା ୩ ନେତାଙ୍କୁ ଟିକେଟ

ବିଜେପି ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ବିଜେଡି ଛାଡ଼ି ବି‌ଜେପି ଯାଇଥିବା ତିନି ନେତାଙ୍କୁ ଟିକେଟ୍ ଦେଇଛି। ନିକଟରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କୁ ଦଳ ଲକ୍ଷ୍ମୀପୁରରୁ ପ୍ରାର୍ଥୀ କରିଛି। କୁଲେସିକା କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। କିନ୍ତୁ ବିଜେଡିରୁ ଟିକେଟ ନ ମିଳିବାରୁ ସେ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ। ସେହିପରି ବିଜେଡି ଛାଡ଼ି ବିଜେପି ଆସିଥିବା ଡମ୍ବରୁ ଶିଶାଙ୍କୁ ଦଳ ଚିତ୍ରକୋଣ୍ଡାରୁ ପ୍ରାର୍ଥୀ କରିଛି। ୨୦୧୪ରେ ସେ ବିଜେଡି ଟିକେଟରେ ବିଧାୟକ ହୋଇଥିବା ବେଳେ ୨୦୧୯ରେ ତାଙ୍କୁ ଟିକେଟ ମିଳିନଥିଲା। ଏଥର ପୁଣି ଟିକେଟ୍ ନମିଳିବାରୁ ସେ ଦଳ ଛାଡ଼ିଥିଲେ। ଜଗତସିଂହପୁରରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଅମରେନ୍ଦ୍ର ଦାସଙ୍କୁ ଦଳ ଟିକେଟ୍ ଦେଇଛି। ପୂର୍ବରୁ ନିମାପଡ଼ା ଆସନରେ ଦୁଇ ଥର ବିଧାୟକ ହୋଇଥିବା ବାଇଧର ମଲ୍ଲିକଙ୍କୁ ଦଳ ଏଥର କାକଟପୁରରେ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ମୟୂରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ସମସ୍ତ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ହେଁ ଏଠାରେ ଏବେକାର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ଏବଂ ସରସକଣା ବିଧାୟକ ବୁଢ଼ାନ ମୁର୍ମୁଙ୍କୁ ଦଳ ଟିକେଟ୍ ଦେଇନି। ସରସକଣାରେ ଦଳ ଭାଦବ ହାଁସଦାଙ୍କୁ ପ୍ରାର୍ଥୀ କରିଛି। ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କୁ ଦଳ ମୟୂରଭଞ୍ଜ ଲୋକସଭା ଆସନରେ ପ୍ରାର୍ଥୀ କରିଥିବାରୁ ଏଠାରେ ଜୋଲେନ ବରଦାଙ୍କୁ ଦଳ ଟିକେଟ୍ ଦେଇଛି। କିନ୍ତୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁଙ୍କୁ କାହିଁକି ଦଳ ଏଥର ଟିକେଟ୍ ଦେଇନି ସେନେଇ କେହି କିଛି କହିପାରୁନାହାନ୍ତି। ସେହିପରି ବିଜେପି ଏଥର ପାଟଣାରୁ ଅଖିଳ ଚନ୍ଦ୍ର ନାୟକ, ବାଙ୍ଗିରିପୋଷିରୁ ସଞ୍ଜଳି ମୁର୍ମୁ, କରଞ୍ଜିଆରୁ ପଦ୍ମଚରଣ ହାଇବ୍ରୁ, ଝରିଗାଁରୁ ନରସିଂହ ଭତ୍ରା, ଡାବୁଗାଁରୁ ସୋମନାଥ ପୂଜାରୀ, ରାଜନଗରରୁ ଲଳିତ ବେହେରା, ବାଲିକୁଦା-ଏରସମାରୁ ସତ୍ୟସାରଥୀ ମହାନ୍ତି, ସାନଖେମୁଣ୍ଡିରୁ ଉତ୍ତମ କୁମାର ପାଣିଗ୍ରାହୀ, ମୋହନାରୁ ପ୍ରଶାନ୍ତ ମଲ୍ଲିକ, ବିଷମକଟକରୁ ଜଗନ୍ନାଥ ନୁନ୍ଦ୍ରୁକା, ରାୟଗଡ଼ାରୁ ବସନ୍ତ ଉଲାକା ଓ କୋଟପାଡ଼ରୁ ରୁପୁ ଭତ୍ରାଙ୍କୁ ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ ଯେ ବିଜେପି ପୂର୍ବରୁ ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି।

ସମ୍ବନ୍ଧିତ ଖବର