କଟକରେ ଜାତୀୟ ଟିଟି ପ୍ରଶିକ୍ଷଣ ଶିବିର: ୧୦ ରାଜ୍ୟ‌ର ଖେଳାଳି ସାମିଲ, ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା

କଟକ: ରାଜ୍ୟ କ୍ରୀଡ଼ା ବିଭାଗ ସହାୟତାରେ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍‌ ସଂଘ ପକ୍ଷରୁ ସିଡିଏ ସେକ୍ଟର-୭ସ୍ଥିତ କଟକ ଟେବୁଲ ଟେନିସ୍ ଏକାଡେମିରେ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବର ଗତ ୯ ତାରିଖରୁ ଆରମ୍ଭ ହୋଇଛି। ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ଓଡ଼ିଶା ସମେତ ୧୦ ରାଜ୍ୟର ମୋଟ ୩୨ଜଣ ଖେଳାଳି ସାମିଲ ହୋଇଛନ୍ତି। ଅାନ୍ତର୍ଜାତିକ ପ୍ରଶିକ୍ଷକ ଆର୍. ରାଜେଶ ଶିବିର ପରିଚାଳନା କରୁଛନ୍ତି। ରାଜେଶ ଏକାଧିକ ଥର ଭାରତୀୟ କନିଷ୍ଠ ଟିଟି ଦଳର ପ୍ରଶିକ୍ଷକ ଥିଲେ। ତାଙ୍କ ସହ ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ଓଡ଼ିଶାର ରାଜ୍ ସୁବ୍ରମଣ୍ୟମ୍ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଶିବିରରେ ଯୋଗ ଦେଇଥିବା ଅାନ୍ତର୍ଜାତିକ ଓ ଜାତୀୟ ପଦକ ଜିତିଥିବା ୧୦ ଜଣ ସଫଳ ଖେଳାଳିଙ୍କ ସହ‌ ମହାରାଷ୍ଟ୍ରର ଜେନିଫର ଭର୍ଗିଜ୍‌ ଏବେ ୧୫ ବର୍ଷରୁ କମ୍ ବାଳିକା ବିଶ୍ବ ମାନ୍ୟତାରେ ୪ର୍ଥ ସ୍ଥାନରେ ଅଛନ୍ତି। ସେ ଏକାଧିକ ଅନ୍ତର୍ଜାତୀୟ ପଦକ ଜିତିବା ସହ ୧୫ ବର୍ଷରୁ କମ୍ ବାଳିକା ଏକକ ଜାତୀୟ ବିଜେତା ହୋଇଛନ୍ତି। କର୍ଣ୍ଣାଟକର ଶଶାଙ୍କ ରାଓ ୧୩ ବର୍ଷରୁ କମ୍ ବର୍ଗରେ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି। ପଶ୍ଚିମବଙ୍ଗର ପୁନିତ ବିଶ୍ବାସ ଜଣେ ଜାତୀୟ ମାନ୍ୟତାପ୍ରାପ୍ତ ଖେଳାଳି ଏବଂ ଏକ ଡଜନ୍‌ରୁ ଅଧିକ ଜାତୀୟ ପଦକ ଜିତିଛନ୍ତି। ଏମାନଙ୍କ ସହ ଓଡ଼ିଶାରୁ ରାଜ୍ୟ ମାନ୍ୟତାପ୍ରାପ୍ତ ୨୦ ଜଣ ଖେଳାଳି ଶିବିରରେ ଯୋଗ ଦେଇଛନ୍ତି। ପ୍ରତ୍ୟହ ଦୁଇ ଓଳି ଶିବିର ଚାଲିଛି। ଏହାସହ ଖେଳାଳିଙ୍କ ଫିଟ୍‌ନେସ୍‌ ପାଇଁ ମଧ୍ୟ ତାଲିମ ଦିଆଯାଉଛି।

ରାଜ୍ୟ ସରକାର କଟକରେ ଟିଟି ଏକାଡେମି ଗଠନ କରିବା ଫଳରେ ଏହିପରି ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ଶିବିର ଆୟୋଜନ ସମ୍ଭବ ହୋଇପାରିଛି। ଆଗକୁ ଅନ୍ୟ ସହରରେ ମଧ୍ୟ ଏପରି ଶିବିର ଆୟୋଜନ କରାଯିବ। ଗତବର୍ଷ ଓଡ଼ିଶାର କନିଷ୍ଠ ବାଳକ ଦଳ ପ୍ରଥମ ଥର ଜାତୀୟ ଟିଟି ଚମ୍ପିଆନ୍‌ସିପ୍‌ରେ ପଦକ ଜିତି ଇତିହାସ ରଚିଥିଲା। ଏପରି ଶିବିର ଓଡ଼ିଶାର ପ୍ରତିଭାବାନ ଖେଳାଳିଙ୍କ ଦକ୍ଷତାକୁ ଆହୁରି ମଜବୁତ୍‌ କରିବ। ୨୯ରେ ଶିବିର ସମାପ୍ତ ପରେ ମଧ୍ୟ ଏକାଡେମିର ଦୁଇ ପ୍ରଶିକ୍ଷକ ରାଜ୍‌ ସୁବ୍ରମଣ୍ୟମ୍ ଓ ସମ୍ବିତ ଦାସଙ୍କ ତତ୍ତ୍ବାବଧାନରେ କଟକ ଏକାଡେମିରେ ବର୍ଷ ସାରା ପ୍ରଶିକ୍ଷଣ ଜାରି ରହିବ। ଏହି ଶିବିରର ଆୟୋଜନ ପାଇଁ ସମସ୍ତ ସହାୟତା ଯୋଗାଇ ଦେଇଥିବାରୁ ରାଜ୍ୟ କ୍ରୀଡ଼ା ବିଭାଗକୁ ଓଡ଼ିଶା ଟେବୁଲ ଟେନିସ୍‌ ସଂଘର ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା କୃତଜ୍ଞତା ଜଣାଇଛନ୍ତି। ଆର. ରାଜେଶ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା କରିଛନ୍ତି। ସ୍ବତନ୍ତ୍ର ଭାବେ ଟେବୁଲ ‌ଟେନିସ୍‌ ପାଇଁ ଏଭଳି ଏକ ଏକାଡେମି ପ୍ରତିଷ୍ଠା ପାଇଁ ରାଜ୍ୟ ଟିଟି ସଂଘ ଓ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର