ଅଧାବାଟରେ ଅଟକିଲା ରୁକୁଣା ରଥ

ଭୁବନେଶ୍ବର: ଭାବଭକ୍ତିରେ ଉଛୁଳି ପଡ଼ୁଥିଲା ରାଜଦାଣ୍ତ। ଟାଣଖରା ଓ ପ୍ରବଳ ଗୁଳୁଗୁଳି ବି ଭକ୍ତଙ୍କୁ ଅଟକାଇ ପାରି ନଥିଲା। ରାଜଦାଣ୍ଡରେ ଅଗଣିତ ଶ୍ରଦ୍ଧାଳୁଙ୍କ କଣ୍ଠରୁ ଭାସି ଆସୁଥିଲା ଶ୍ରୀଲିଙ୍ଗରାଜଙ୍କ ଜୟଗାନ। ପ୍ରଭୁଙ୍କ ପହଣ୍ଡିର ଅପୂର୍ବ ଦୃଶ୍ୟ ଦେଖି ଭକ୍ତଙ୍କ ଆଖିରୁ ଝରିଥିଲା ଆନନ୍ଦାଶ୍ରୁ। ରଥାରୂଢ଼ ଦିଅଁଙ୍କୁ ଦେଖି ଖୁସିରେ ନାଚି ଉଠିଥିଲେ ଭକ୍ତ। ଘଣ୍ଟ, ଘଣ୍ଟା, ଢୋଲ, ମର୍ଦ୍ଦଳ, ତୂରୀ, ମହୁରୀ ଶବ୍ଦର କୋଳାହଳ ସାଙ୍ଗକୁ ଡାକୁକଙ୍କ ବୋଲି ପରେ ବିଳମ୍ବରେ ରାମେଶ୍ବର ଅଭିମୁଖେ ଆଜି ଗଡ଼ିଥିଲା ରୁକୁଣା ରଥ। ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରଥକୁ ‌ହର୍ଷୋଲ୍ଲାସ ସହିତ ଟାଣି ନେଇଥିଲେ। ହେଲେ ସନ୍ଧ୍ୟା ହେବା ସଙ୍ଗେ ସଙ୍ଗେ ରଥର ଡାହାଣପାଖ ଚକ ଦବି ଯିବାରୁ ପାପନାଶିନୀ ଛକ ନିକଟ ମୈତ୍ରେଶ୍ବର ମନ୍ଦିର ନିକଟରେ ଅଧାରାସ୍ତାରେ ଅଟକି ଯାଇଥିଲା ରଥ। ଆସନ୍ତାକାଲି ବୁଧବାର ଦିନ ୨ଟା ପରେ ପୁଣି ରଥଟଣା ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପରମ୍ପରା ଅନୁସାରେ ସପ୍ତମୀ ତିଥିରେ ଅର୍ଥାତ ମଙ୍ଗଳବାର ରାତିରେ ନେତ ଉତ୍ସବ ଓ ରଥ ପ୍ରତିଷ୍ଠା ଶେଷ ହୋଇଥିଲା। ଆଜି ଭୋର୍‌ ୫ଟାରୁ ଠାକୁରଙ୍କ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବାପରେ ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ଦର୍ଶନ ହୋଇଥିଲା। ଏହାପରେ ରୋଷହୋମ, ପାକକାର୍ଯ୍ୟ ପରେ ଛାମୁ ପରିଷ୍କାର, ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯାଇଥିଲା। ଶ୍ରୀଜିଉଙ୍କ ବଲ୍ଲଭ, ମା’ ଭୁବନେଶ୍ୱରୀ ଠାକୁରାଣୀଙ୍କ ବଲ୍ଲଭ ସହ ସକାଳ ଧୂପନୀତି ହୋଇଥିଲା। ଏହାପରେ ଅନ୍ୟାନ୍ୟ ପୂଜାନୀତି ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରାପୂଜା ଏବଂ ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବା ନେଇ ନୀତି ନିର୍ଘଣ୍ଟ ସ୍ଥିର ହୋଇଥିଲା। କିନ୍ତୁ ଏଥିରେ ଅଧଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଥିଲା। ସେବାୟତମାନେ ଦିନ ୨ଟା ପରେ ଶ୍ରୀ ଲିଙ୍ଗରାଜ, ମା’ ରୁକୁଣା ଓ ଶ୍ରୀଦୋଳଗୋବିନ୍ଦଙ୍କୁ ରାଜଦେଉଳରୁ ପହଣ୍ଡି ବିଜେ କରାଇଥିଲେ। ଠାକୁରଙ୍କ ଉପରେ ଚାନ୍ଦୁଆ, ପାର୍ଶ୍ବରେ ଆଲଟ, ଚାମର ସେବା ଦେଇଥିଲେ ସେବାୟତ। ଠାକୁରଙ୍କ ଯିବା ବାଟରେ ପୁଷ୍ପ ବିଛାଯିବା ସହ ଆନନ୍ଦରେ ନୃତ୍ୟଶିଳ୍ପୀ ନାଚି ନାଚି ପ୍ରଭୁଙ୍କୁ ରଥାରୁଢ଼ କରାଇଥିଲେ।

ରଥ ଉପରେ ପରିକ୍ରମା କରାଇବା ପରେ ସେବାୟତମାନେ ଶ୍ରୀଜିଉଙ୍କୁ ରଥ ସିଂହାସନରେ ବସାଇଥିଲେ। ମହାପାତ୍ର ରାଜପୁତ ସେବାୟତଙ୍କ ଦ୍ବାରା ଛେରାପହଁରା ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗଙ୍କ ଦ୍ବାରା ରଥ ଉପରେ ବିଧି ଅନୁସାରେ ୧୪ଟି ପୂଜା କରାଯାଇଥିଲା। କିଛି ସମୟ ପର୍ଯ୍ୟନ୍ତ ରାଜନେତା, ପ୍ରଶାସନିକ ଅଧିକାରୀ ଓ ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଚାରିଦ୍ୱାର ପୂଜା ପରେ ରଥରେ ଚାରିଘୋଡ଼ା ଯୋଚା ଯାଇଥିଲା। ଅପରାହ୍ଣ ସାଢ଼େ ୩ଟାରେ ରଥ ଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା, ହେଲେ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବରେ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରଶାସନର ବାରଣ ସତ୍ତ୍ବେ ଶତାଧିକ ସେବାୟତ ରଥ ଉପରେ ଚଢ଼ିଥିଲେ। ଏମିତିକି ଠାକୁରଙ୍କ ଆଗରେ ସେବାୟତମାନେ ଛିଡ଼ା ହେବାରୁ ଶ୍ରଦ୍ଧାଳୁ ଦିଅଁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ୪ଟା ୪୫ରେ ଆଳତି ସରିବା ପରେ ରଥ ଅଶ୍ବ ଉପରେ ଡାହୁକ ବିଭୂତି ଭୂଷଣ ଖଟୁଆ ବୋଲିଡାକ ଆରମ୍ଭ କରିଥିଲେ। ହରିବୋଲ ହୁଳହୁଳି ଦେଇ ଭକ୍ତମାନେ ରଥ ଦଉଡ଼ିକୁ ଭିଡ଼ିଥିଲେ। ହେଲେ ରଥ ମାତ୍ର ହାତେବାଟ ଗଡ଼ି ରହିଯାଇଥିଲା। ଭକ୍ତ ଟାଣି ଟାଣି ନୟାନ୍ତ ହୋଇଥିଲେ ହେଁ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ରଥ ଗଡ଼ି ନଥିଲା। ତେବେ ୫ଟା ୧୫ ସୁଦ୍ଧା ରଥ ଘରଘର ନାଦ କରି ପୁଣି ଗଡ଼ି ଉତ୍ତରଦ୍ବାର ସମ୍ମୁଖରେ ରହିଥିଲା। ଖରୁଡା ସେବାୟତମାନେ ରଥ ତଳେ ରହି ରଥକୁ ନିୟନ୍ତ୍ରଣ କରୁଥିଲେ। ୫ଟା ୩୦ରେ ଶିବତୀର୍ଥ ମଠ ଓ ୫ଟା ୫୪ ସୁଦ୍ଧା କପାଳି ମଠ ପକ୍ଷରୁ ପଂକ୍ତି ଭୋଗ ଲଗାଯାଇଥିଲା। ତେବେ କପାଳି ମଠରୁ ମାତ୍ର ୨୦ ମିଟର ଆଗରେ ବଢ଼େଇବାଙ୍କ ଛକ ପୂର୍ବରୁ ସନ୍ଧ୍ୟା ହୋଇ ଯାଇଥିଲା। ନିୟମ ଅନୁସାରେ ସନ୍ଧ୍ୟା ପରେ ରଥଟଣା ଅନୁଚିତ। ଆଜି ୬ଟା ୫ରେ ସନ୍ଧ୍ୟା ହୋଇଥିଲେ ହେଁ ୬ଟା ୧୫ ଯାଏ ରଥ ଗଡ଼ିଥିଲା। ହେଲେ ମୈ‌ତ୍ରେଶ୍ବର ମନ୍ଦିର ନିକଟରେ ରଥର ଡାହାଣ ପାଖ ଦୁଇଟି ଚକ ରାସ୍ତାରେ ଦବି ଯାଇଥିଲା। ଫଳରେ ୬ଟା ୨୦ରେ ରଥଟଣା ବନ୍ଦ ହୋଇଥିଲା। ଏହାପରେ ରଥ ଉପରେ ଦ୍ବିପ୍ରହର ଧୂପ ଓ ସନ୍ଧ୍ୟା ଧୂପ ହୋଇ ପହୁଡ଼ ପଡ଼ିଥିଲା। ଆସନ୍ତାକାଲି ସକାଳଧୂପ ନୀତି ସରିବା ପରେ ପୁଣି ରଥଟଣା ଆରମ୍ଭ ହେବ।

ସମ୍ବନ୍ଧିତ ଖବର