ହିନ୍ଦୁ ଆଇନ ଅନୁସାରେ ସମ୍ପତ୍ତିରୁ ଅଂଶ ମାଗିଲେ ମୁସଲମାନ୍ ମହିଳା: ସିଜେଆଇ କହିଲେ ବିଚାର କରାଯିବ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଏକ ନିଆରା ମାମଲାର ବିଚାର ପାଇଁ ଆବେଦନ କରାଯାଇଛି। ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚରେ ଏହି ମାମଲା ଶୁଣାଣି ପାଇଁ ଆସିଛି। କେରଳର ଜଣେ ମହିଳା ଏହି ପିଟିସନ ଦାଖଲ କରିଛନ୍ତି। ମୁସଲମାନ୍ ମହିଳା ଜଣକ ହିନ୍ଦୁ ଉତ୍ତରାଧିକାରୀ ଆଇନ ଅନ୍ତର୍ଗତ ସମ୍ପତ୍ତିରୁ ଅଂଶ ମାଗିଛନ୍ତି। ଏପ୍ରିଲ୍ ୨୯ରେ ମହିଳାଙ୍କ ପକ୍ଷରୁ ଶୀର୍ଷ ଅଦାଲତରେ ଏନେଇ ଗୁହାରି କରାଯାଇଛି। ସିଜେଆଇଙ୍କ ବେଞ୍ଚ୍ ଏହାର ବିଚାର ପାଇଁ ସହମତି ପ୍ରକାଶ କରି ବିଚାର କରିବାକୁ ରାଜି ହୋଇଛନ୍ତି।

ମହିଳା ଜଣକ କହିଛନ୍ତି ତାଙ୍କର ପୂର୍ବପୁରୁଷମାନେ ଇସଲାମ୍ ଧର୍ମ ଗ୍ରହଣ କରିଥିଲେ। ସେ ଦୃଷ୍ଟିରୁ ଦେଖିଲେ ସେ ମୁସଲମାନ୍ ପରିବାରରେ ଜନ୍ମ ହୋଇଛନ୍ତି। କିନ୍ତୁ ତାଙ୍କ ପିତାଙ୍କ ପିଢ଼ି ପରେ ପରିବାର ଲୋକେ ଇସଲାମ୍ ଧର୍ମ ଉପରେ ଆସ୍ଥା ପ୍ରକଟ କରୁ ନାହାନ୍ତି।

ମହିଳାଙ୍କ ଆବେଦନ ଉପରେ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ, ବିଚାରପତି ମନୋଜ ମିଶ୍ରା ଏବଂ ଜେବି ପାରଦିୱାଲାଙ୍କ ବେଞ୍ଚ୍ ପକ୍ଷରୁ ଶୁଣାଣି କରାଯାଇଛି। ଏହାପରେ ବେଞ୍ଚ୍ ଆଟର୍ଣ୍ଣି ଜେନେରାଲ ଆର, ଭେଙ୍କଟରମଣଙ୍କୁ ଏମିକ୍ସ କ୍ୟୁରି ନିଯୁକ୍ତକରି କୋର୍ଟଙ୍କୁ ଏସମ୍ପର୍କିତ ଆଇନ ବ୍ୟବସ୍ଥା ବିଷୟରେ ଅବଗତ କରାଇବାକୁ କହିଛନ୍ତି।

ମହିଳାଙ୍କ ନାମ ହେଉଛି ସଫିୟା। ସେ ;କେରଳର ମୁସଲାମାନଙ୍କ ପ୍ରତିନିଧିତ୍ବ କରୁଥିବା ଏକ ସଂଘର ସଚିବ। ତାଙ୍କ ଜନସ୍ବାର୍ଥ ମାମଲା‌ରେ ଉଲ୍ଲେଖ କରାଯାଇଛି ସମ୍ବିଧାନର ଅନୁଚ୍ଛେଦ ୨୫ ଅନ୍ତର୍ଗତ ପ୍ରଦାନ କରାଯାଇଥିବା ଅଧିକାରର ପ୍ରୟ‌ୋଗ କରାଯିବା ଆବଶ୍ୟକ। ସେ ମୁସଲମାନ ସରିୟତ ଆଇନ ଅନୁସାରେ ପୈତୃକ ସମ୍ପତ୍ତିର ଭାଗବଣ୍ଟା ଚାହୁଁ ନାହାନ୍ତି। ଏହା ଦ୍ବାରା ଧର୍ମନିରପେକ୍ଷ ଆଇନ ବ୍ୟବସ୍ଥାର ଲାଭ ସେ ପାଇ ପାରିବେ ନାହିଁ। ତେଣୁ ହିନ୍ଦୁ ଉତ୍ତରାଧିକାରୀ ଆଇନ ଅନ୍ତର୍ଗତ ସେ ସମ୍ପତ୍ତିର ବାଗବଣ୍ଟା ସେ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର