ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ, ନବୀନ ନିବାସରୁ ଶୁଭିଲା ଭଜନ ସମ୍ରାଟ ଭିକାରି ବଳଙ୍କ ଜଗନ୍ନାଥ ଭଜନ

ଭୁବନେଶ୍ବର: ନୂଆ ଆଶା ଓ ସମ୍ଭାବନା ନେଇ ୨୦୨୨ ଆସିଛି । ଆଉ ଏହି ୨୦୨୨କୁ ନିଆରା ଢଙ୍ଗରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ କିଛି ଘଣ୍ଟା ହେବ ସୋସିଆଲ ମିଡ଼ିଆରେ ନବୀନଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ନବୀନଙ୍କର ଏକ ନିଆରା ଅନ୍ଦାଜ ଦେଖିବାକୁ ମିଳିଛି । କରୋନା କଟକଣା କାରଣରୁ ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ନବୀନ ନିବାସରେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାରଣ ପ୍ରତିବର୍ଷ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ସହ ବର୍ଷର ଆରମ୍ଭ କରିଥାନ୍ତି ନବୀନ । କିନ୍ତୁ ଚଳିତଥର କଟକଣା ଭିତରେ ପୁରୀ ଯାଇ ସାଆନ୍ତେଙ୍କୁ ଦର୍ଶନ କରିବା ନବୀନଙ୍କ ପକ୍ଷେ ସମ୍ଭବ ହୋଇନି । କୋଭିଡ କଟକଣାକୁ ମାନି ନବୀନ ନିବାସରୁ ହିଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଭାଇରାଲ ହୋଇଥିବା ଦେଢ ମିନିଟର ଭିଡ଼ିଓରେ ନବୀନ ଏକ ଧଳା ଟି-ସାର୍ଟ ପିନ୍ଧି ରୁମରୁ ବାହାରୁଥିବାର ଦେଖିବାକୁ ମିଳିଛି । ଆଉ ପରେ ଅନ୍ୟ ଏକ ରୁମର ଦ୍ୱାର ଖୋଲିବା ସହ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛନ୍ତି । ଆଉ ଏହି ସମୟରେ ଭଜନ ସମ୍ରାଟ ଭିକାରି ବଳଙ୍କ ଲୋକପ୍ରିୟ ଗୀତ ଜଗନ୍ନାଥ କିଛି ମାଗୁ ନାହିଁ ତୋତେ ଗୀତ ବାଜୁଥିବାର ଶୁଣିବାକୁ ମିଳୁଛି । ପୂର୍ବରୁ ଅନେକଥର ନବୀନଙ୍କ ଜଗନ୍ନାଥ ପ୍ରେମ ଦେଖିବାକୁ ମିଳିଛି । ଆଉ ଆଜି ଯେତେବେଳେ ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି ସେତେବେଳେ ନବୀନ ନିବାସରୁ ହିଁ ସାଆନ୍ତେଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏଭଳି କରି କୋଭିଡ ନିୟମ ପାଳନ କରିଛନ୍ତି ନବୀନ ।

ଏହାପୂର୍ବରୁ ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ ନବୀନ । ୨୦୨୨ ରାଜ୍ୟବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି ପ୍ରାର୍ଥନା କରିଛନ୍ତି ନବୀନ । ଆଉ ଏହାସହ ସମସ୍ତଙ୍କୁ କରୋନା ଗାଇଡଲାଇନ ମାନିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର