ବିଶ୍ବ ରେକର୍ଡରେ ସ୍ଥାନ ପାଇବ କଟକ ବାଲିଯାତ୍ରା

୧୫ ମିନିଟ୍‌ରେ ପ୍ରସ୍ତୁତ ହେବ ୧୦ ହଜାର କାଗଜ ଡଙ୍ଗା, ଲଣ୍ଡନରୁ ଆସିବେ ୨ ବିଚାରକ

କଟକ : ବାଲିଯାତ୍ରାର ଆତ୍ମା କୁହାଯାଉଥିବା ବୋଇତ ବନ୍ଦାଣକୁ ନେଇ କଟକ ପୌର ନିଗମ ପକ୍ଷରୁ ଏଥର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବାଲିଯାତ୍ରାକୁ ବିଶ୍ବପ୍ରସିଦ୍ଧ କରିବା ପାଇଁ ଏଥର ନିଗମ ତରଫରୁ ୧୦ ହଜାର କାଗଜ ଡଙ୍ଗା ପ୍ରସ୍ତୁତ କରାଯାଇ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବାର ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ପୌର ନିଗମ ତରଫରୁ ଲଣ୍ଡନସ୍ଥିତ ଗିନିଜ୍‌ ୱାର୍ଲଡ ରେକର୍ଡସ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ପାଇଁ କେଉଁ ନିୟମାବଳୀ ବା ପ୍ରୋଟକଲ୍‌ର ଆବଶ୍ୟକତା ରହିଛି, ଏହାର ଏକ ତାଲିକା ଇତିମଧ୍ୟରେ ଲଣ୍ଡନ କାର୍ଯ୍ୟାଳୟରୁ ନିଗମକୁ ପ୍ରଦାନ କରାଯାଇଛି।

Photo: New Indian Express

ଅନ୍ତର୍ଜାତୀୟ ସ୍ତରରେ କଟକ ବାଲିଯାତ୍ରାର ଅଧିକ ପ୍ରଚାର, ପ୍ରସାର ପାଇଁ ପୌର ନିଗମ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ୨୦୧୯ରେ କଟକ ବାଲିଯାତ୍ରାକୁ ରାଜ୍ୟ ଉତ୍ସବର ମାନ୍ୟତା ମିଳିଥିବା ବେଳେ ଚଳିତବର୍ଷ ଏହାକୁ ବିଧିବଦ୍ଧ ଭାବେ ରାଜ୍ୟ ଉତ୍ସବ ଆକାରରେ ଆୟୋଜନ କରାଯାଉଛି। ଏଥିପାଇଁ ଏଥର ବାଲିଯାତ୍ରାରେ ଅନେକ ନୂଆ ବିଷୟକୁ ସ୍ଥାନ ଦିଆଯାଇଛି। ବାଲିଯାତ୍ରାକୁ ବିଶ୍ବସ୍ତରରେ ଅଧିକ ପରିଚିତ କରାଇବା ପାଇଁ ୧୫ ମିନଟରେ ୧୦ ହଜାର କାଗଜ (ଓରିଗାମି) ଡଙ୍ଗା ପ୍ରସ୍ତୁତ କରି ଗିନିଜ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ଦେବାକୁ ନିଗମ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଲଣ୍ଡନ୍‌ସ୍ଥିତ ଗିନିଜ୍‌ ୱାର୍ଲଡ ରେକର୍ଡସ କାର୍ଯ୍ୟାଳୟରୁ କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ଓ ପରିଚାଳନା ପାଇଁ ୨ଜଣ ବିଚାରକ ଓ ମୁମ୍ବାଇସ୍ଥିତ କାର୍ଯ୍ୟାଳୟର ଶାଖାରୁ ଏକ ୫ଜଣିଆ ଟିମ୍‌ ଆସି‌‌ବେ। ୧୫ ମିନିଟରେ ପ୍ରସ୍ତୁତ ହେବାକୁ ଥିବା ୧୦ ହଜାର କାଗଜ ଡଙ୍ଗାର ଆକାର, ଓଜନ କେତେ ହେବ ଏହାର ସୂଚନା ଲଣ୍ଡନ୍‌ କାର୍ଯ୍ୟାଳୟରୁ ଦିଆଯାଇଛି।

newsroomodisha.com

ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା କିମ୍ବା ବାଲିଯାତ୍ରା ସମୟରେ ପଡୁଥିବା ଶନିବାର କିମ୍ବା ରବିବାର ସକାଳ ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଚଳିତ ମାସ ୩୧ ତାରିଖ ସୁଦ୍ଧା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ଶେଷ ହେବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ବାଲିଯାତ୍ରା ପଡ଼ିଆର ମହାନଦୀ କୂଳରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସହରର ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଯିବ। ଏଥିପାଇଁ ନିଗମ ପକ୍ଷରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଏବେଠାରୁ କାଗଜ ଡଙ୍ଗା ପ୍ରସ୍ତୁତ କରିବାର ପ୍ରଶିକ୍ଷଣ ଦିଆଯିବ। ଏହାସହ କାର୍ଯ୍ୟକ୍ରମ ଆୟୋଜନ ପୂର୍ବରୁ ସହରର ସବୁ ବର୍ଗର ଲୋକଙ୍କୁ ନେଇ ବାଲିଯାତ୍ରା ପଡ଼ିଆରେ ଦୁଇ ଥର କାଗଜ ଡଙ୍ଗା ପ୍ରସ୍ତୁତି ଅଭ୍ୟାସ କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏଥିରେ ଜଣେ ଜଣେ ବ୍ୟକ୍ତି ଏକାଧିକ ଡଙ୍ଗା ବି ପ୍ରସ୍ତୁତ କରିବାର ସୁଯୋଗ ପାଇବେ। କଟକ ବାଲିଯାତ୍ରାକୁ ବିଶ୍ବସ୍ତରରେ ପରିଚିତ କରାଇବା ପାଇଁ ଏଥିରେ ସହରର ସବୁବର୍ଗର ଲୋକ ସାମିଲ ‌ହେବାକୁ କମିସନର ନିଖିଲ୍‌ ପୱନ କଲ୍ୟାଣ ଅନୁରୋଧ କରିଛନ୍ତି।

 

ସମ୍ବନ୍ଧିତ ଖବର