ପ୍ରାଥମିକ ବିଦ୍ୟାଳୟରେ ଥିବା ପିଜି ଶିକ୍ଷକଙ୍କୁ ପଦୋନ୍ନତି ଦାବି

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗରୁ ଯୁକ୍ତ ଦୁଇ କଲେଜକୁ ପୃଥକ କରାଯାଇ ଗଣଶିକ୍ଷା ବିଭାଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହିତ ମିଶ୍ରଣ କରାଯିବା ପରେ ଆବଶ୍ୟକ ପଡ଼ୁଥିବା ପିଜିଟି ପଦବି ପୂରଣ କରିବା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି। ଗଣଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତି ମୁତାବକ ନୂଆ ପିଜିଟି ପଦବି ସୃଷ୍ଟି କରାଯାଇ ଓପିଏସ୍‌ସି ମାଧ୍ୟମରେ ନୂଆ ନିଯୁକ୍ତି ଦେବା ସହିତ ହାଇସ୍କୁଲ୍‌ଗୁଡ଼ିକରେ କାର୍ଯ୍ୟରତ ଥିବା ବିଏଡ୍‌ ଓ ପିଜି ଯୋଗ୍ୟତା ଥିବା ଶିକ୍ଷକମାନଙ୍କୁ ପଦୋନ୍ନତି ଭିତ୍ତିରେ ପିଜିଟି ପଦବିରେ ନିଯୁକ୍ତ କରାଯିବ। କିନ୍ତୁ ସେହି ସମାନ ଯୋଗ୍ୟତା ଓ ଅଭିଜ୍ଞତା ଥାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତିପ୍ରାପ୍ତ ଶିକ୍ଷକମ‌ାନଙ୍କୁ ପିଜିଟି ପଦବି‌କୁ ପଦୋନ୍ନତି ଦେବାର ବ୍ୟବସ୍ଥା କରାଯାଇ ନାହିଁ। ଏହି ନିଷ୍ପତ୍ତିକୁ ରାଜ୍ୟ ବିଏଡ୍‌ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ବିରୋଧ କରାଯିବା ସହିତ ସରକାର ଉକ୍ତ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି କରାଯାଇଛି। ସଂଘର ସଭାପତି ସରୋଜ କୁମାର ପଣ୍ଡା ଓ ସାଧାରଣ ସମ୍ପାଦକ ରୂପେଶ କୁମାର ସାହୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଭୁବନେଶ୍ବରର ଶ୍ରମିକ ଭବନରେ ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁହାଯାଇଛି ଯେ ସରକାର ସବୁଥି‌େର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିଯୁକ୍ତି ଟିଜି ଶିକ୍ଷକମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଏହି ଶିକ୍ଷକମାନଙ୍କୁ ସବୁ କାର୍ଯ୍ୟରେ ନିୟୋଜିତ କରାଯାଉଛି। କିନ୍ତୁ ଯେତେବେଳେ ପଦୋନ୍ନତି କିମ୍ବା ବର୍ଦ୍ଧିତ ଦରମା ଦେବାର କଥା ଉଠୁଛି, ସେତେବେଳେ ଅତି ଚତୁରତାର ସହିତ ଦାବିଗୁଡ଼ିକୁ ଅଗ୍ରାହ୍ୟ କରିଦିଆଯାଉଛି। ସରକାର ଏପରି ମାନସିକତା ପ୍ରତ୍ୟାହାର କରି ବିଏଡ୍‌ ଓ ପିଜି ଯୋଗ୍ୟତା ଥିବା ଶିକ୍ଷକମାନଙ୍କୁ ପଦୋନ୍ନତି ଭିତ୍ତିରେ ପିଜିଟି ପଦବିରେ ଅବସ୍ଥାପିତ କରାଯିବାର ବ୍ୟବସ୍ଥା କରିବାକୁ ସଂଘ ଦାବି କରିଛି। ବୈଠକରେ ସଂଘର ପୂର୍ବତନ ସଭାପତି ଅଜୟ ଧଳ, ଦେବେନ୍ଦ୍ର ନାୟକ, ଉମେଶ ନାୟକ, ଦୁର୍ଯ୍ୟୋଧନ ଦାସ, ଅକ୍ଷୟ ପୃଷ୍ଟି, ନୃସିଂହ ଚରଣ ରାଉତ, ହର ପ୍ରସାଦ ‌େଯାଶୀ ଓ ମକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର