ଭୁବନେଶ୍ବର: ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଅଞ୍ଚଳ ଉପରେ ଗତକାଲି ରହିଥିବା ସୁଦୃଶ ଲଘୁଚାପ ବଳୟ ଏବେ ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏହା ରାଜ୍ୟଠାରୁ ଦୂରରେ ରହିଥିବାରୁ ଆଜିଠାରୁ ରାଜ୍ୟରେ ବର୍ଷା ବିସ୍ତୃତି କମିଛି। ଆସନ୍ତାକାଲି ଓ ୧୭ ତାରିଖ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ୧୮ ତାରିଖରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଗତ ୪ ଦିନର ଲଘୁଚାପ ପ୍ରଭାବରେ ରାଜ୍ୟରେ ହାରାହାରି ବର୍ଷା ୧୧୦.୫ ମିମି ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୩୩.୪ ମିମି ତୁଳନାରେ ୨୩୧% ଅଧିକ। ଏହି ୪ ଦିନରେ ରାଜ୍ୟରେ ୨୮ ଜିଲ୍ଲାରେ ସ୍ବାଭାବିକଠାରୁ ଅତ୍ୟଧିକ ବର୍ଷା ଓ ଅବଶିଷ୍ଟ ୨ ଜିଲ୍ଲା ଯଥା ମୟୂରଭଞ୍ଜ ଓ ବାଲେଶ୍ବରରେ ସ୍ବାଭାବିକଠାରୁ ଟିକେ ଅଧିକ ବର୍ଷା ରେକର୍ଡ ହୋଇଛି। ଫଳରେ ରାଜ୍ୟର ୬% ନିଅଣ୍ଟ ବର୍ଷା ସ୍ଥିତି ଭରଣା ହୋଇପାରିଛି। ୧ ଜୁନ୍ରୁ ଆଜି ୧୫ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ସର୍ବମୋଟ୍ ୧୦୦୨.୩ ମିମି ବର୍ଷା ରେକର୍ଡ ହେରଇଯାଇଛି। ଯାହାକି ସ୍ବାଭାବିକ ବର୍ଷା ୧୦୫୧.୩ ମିମି ତୁଳନାରେ ୫% କମ୍।
ଏଥିସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ସହ ହାରାହାରି ବର୍ଷା ୨୭.୧ ମିମି ରେକର୍ଡ କରାଯାଇଛି। ଯାହା ସ୍ବାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୯୩% ଅଧିକ। ସର୍ବାଧିକ ହାରାହାରି ବର୍ଷା ବଲାଙ୍ଗୀର ଜିଲ୍ଲାରେ ୭୧.୪ ମିମି ରେକର୍ଡ କରାଯାଇଛି। ଯାହା ସ୍ବାଭାବିକ ବର୍ଷା ୬.୧ ମିମି ତୁଳନାରେ ୧୦୮୭% ଅଧିକ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବର ମାସରେ ଆଜି ସୁଦ୍ଧା ୨୧୯ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୧୩୭.୩ ମିମି ତୁଳନାରେ ୬୦% ଅଧିକ। ଏପର୍ଯ୍ୟନ୍ତ ସେପ୍ଟେମ୍ବର ମାସର ସ୍ବାଭାବିକ ବର୍ଷା ୨୩୫.୭ ମିମିର ୯୨% ଅନୁଭୂତ ହୋଇସାରିଛି।
୧୮ ତାରିଖରୁ ରାଜ୍ୟରେ ପୁଣି ଭଲ ବର୍ଷିବ ବୋଲି କୁହାଯାଉଥିବା ବେଳେ ସେ ଦିନ ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା ଓ ଗଞ୍ଜାମ ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିଭଳି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲ୍ଲାରେ ୧୯ ତାରିଖ ଦିନ ଭଲ ବର୍ଷିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।