ମହୋତ୍ସବରେ ପ୍ରଭୁ ଜଗନ୍ନାଥଙ୍କୁ ଅବମାନନା ଘଟଣା: ବିଜେପିର ପ୍ରତିବାଦ ସଭା, ପୁରୀ ସିଂହଦ୍ବାର ଥାନାରେ ଏତଲା

ଟେଣ୍ଟ ହାଉସକୁ ବ୍ଲାକଲିଷ୍ଟ ଘୋଷଣା କଲେ ଜିଲ୍ଲାପାଳ

ଭଦ୍ରକ: ଓଡ଼ିଶାର ଆରାଧ୍ୟ ଦେବତା, ବଡ଼ ଠାକୁର, ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭଦ୍ରକ ଜିଲ୍ଲା ପ୍ରାଶସନର ଅବମାନନା ଘଟଣାରେ ଆଜି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ଆଗରେ ଏକ ପ୍ରତିବାଦ ସଭା କରାଯାଇଥିଲା। ସ୍ଥାନୀୟ ନେହେରୁ ଷ୍ଟାଡିୟମ ପଡିଆରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ଯେଉଁଭଳି ଭାବେ ପକାଇ ଦିଆଗଲା ତାହା ଆଦୌ ଗ୍ରହଣୀୟ ନୁହେଁ। ପ୍ରତିଟି ଓଡ଼ିଆର ପ୍ରାଣ ସ୍ପନ୍ଦନ ଭିତରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ରହିଛି ଭକ୍ତି ଓ ଭଲପାଇବାର ଭାବ। ମାତ୍ର ଭଦ୍ରକ ଜିଲ୍ଲା ମହୋତ୍ସବ  ‘ଭଦ୍ରାୟଣୀ’ ଆରମ୍ଭରେ ପ୍ରଭୁ ଜଗନ୍ନାଥଙ୍କୁ  ମଞ୍ଚରେ ରଖି ପୂଜାର୍ଚ୍ଚନା କରାଯାଇ ଉତ୍ସବର ଆୟୋଜନ କରାଯାଇଥିଲା। ଉତ୍ସବ ଶେଷରେ ଟେଣ୍ଡ ବାନ୍ଧି ଥିବା  ଓ ପେଣ୍ଡେଲ ସଜାଇ ଥିବା ଟେଣ୍ଡ ହାଉସର କର୍ମକର୍ତ୍ତା ପ୍ରଭୁ ଜଗନ୍ନାଥଙ୍କର ମୂର୍ତ୍ତିକୁ ପଡ଼ିଆରେ ପକାଇ ପଳାଇ ଯିବା ଭଳି ଅପରାଧ ଆଦୌ ଗ୍ରହଣୀ ନୁହେଁ।

ଆମ ବଡ ଠାକୁରଙ୍କୁ ଯିଏ ଏଭଳି ଅବମାନନା କରିଛନ୍ତି। ତାଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆନ୍ଦୋଳନ ସ୍ଥଳରେ ଯୋଗଦେଇଥିବା ବିଜେପିର ବରିଷ୍ଠ ନେତାମାନେ ଦାବି କରିଛନ୍ତି। ଯେଉଁମାନେ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ଶୁକ୍ରବାର ଦିନ ୧୧ ଟା ବେଳେ ଭଦ୍ରକର ବିଜେପି ପାର୍ଟି ଅଫିସରୁ ଏକ  ଶୋଭାଯାତ୍ରାରେ ବାହାରି କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କରିଥିଲେ।

ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର କହିଛନ୍ତି ଭଦ୍ରାୟଣୀ ଉତ୍ସବରେ ଯେଉଁ ଟେଣ୍ଡ ହାଉସକୁ  ଇଭେଣ୍ଟ ମେନେଜମେଣ୍ଟ ଦାୟିତ୍ବ ଦିଆଯାଇଥିଲା। ସେହି ଟେଣ୍ଡ ହାଉସର ଦାୟିତ୍ବ ହୀନତା ପାଇଁ ଏଭଳି ଏକ ଅଘଟଣ ଘଟିଛି। ପ୍ରଭୁ ଜଗନ୍ନାଥ ହେଉଛନ୍ତି ବଡ଼ ଠାକୁର। ତାଙ୍କୁ ଅବମାନନା କରିବା ଆମର  ଉଦ୍ଦେଶ୍ୟ ନୁହେଁ। ଏଭଳି ଘଟଣାରେ ଯେଉଁମାନଙ୍କର ସଂପୃକ୍ତି ରହିଛି ସେ ସଂପର୍କରେ ତଦନ୍ତ କରାଯାଉଛି। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ଭୁବନେଶ୍ବର ଭରତପୁରର ମୁନା ଟେଣ୍ଟ ହାଇସ୍ ଏଭଳି  ଦାୟିତ୍ବହୀନ କାର୍ଯ୍ୟ କରିଥିବାରୁ ତାଙ୍କର ଟେଣ୍ଟ ହାଉସକୁ ବ୍ଲକାଲିଷ୍ଟ କରାଯାଇଛି।

ଭଦ୍ରକ ଜିଲ୍ଲା ମହୋତ୍ସବରେ ଏଭଳି ଭାବେ ଅବମାନନା କରାଯାଇ ଅପମାନିତ କରାଯାଇଥିବାରୁ ଓ ଓଡ଼ିଆଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ କରାଯାଇ ଥିବାରୁ ଏହାର ପ୍ରତିବାଦରେ ଭଦ୍ରକ ବିଧାୟକ ଓ ଭଦ୍ରକ ଜିଲ୍ଲାପାଳଙ୍କ ନାମରେ ପୁରୀ ସିଂହଦ୍ବାର ଥାନା, ବଡଦାଣ୍ଡ, ପୁରୀଠାରେ ଶ୍ରୀ ଜଗନ୍ନାଥ ସେନା ପୁରୀର ଆବାହକ ତଥା ଆଇନଜୀବୀ ସୁନୀଲ ପଟ୍ଟନାୟକ ଏତଲା ଦେଇଛନ୍ତି। ଶ୍ରୀ ଜଗନ୍ନାଥ ସେନା ପୁରୀ ପକ୍ଷରୁ ଏଇ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। କାଳିଆକୁ ଯିଏ ଅବମାନନା କରିଛି। ତାର ବିଚାର କାଳିଆ କରିବ ବୋଲି ସୁନୀଲ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର