ବିଏସ୍‌ଏଫ୍‌ କ୍ୟାମ୍ପ ନିକଟରେ ଚଳନ୍ତା ବସ୍ ଉପରକୁ ଗୁଳିମାଡ ଘଟଣା: ପୁଲିସର ତଦନ୍ତ ଜାରି

ବୈପାରିଗୁଡା: ଚଳନ୍ତା ବସ୍ ଉପରକୁ ଗୁଳିମାଡ ଘଟଣା ପରେ ପୁଲିସର ତଦନ୍ତ ଜାରି ରହିଛି। କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ବସ୍ ଉପରକୁ ଗୁଳିମାଡ ହୋଇଛି। ଏହାକୁ ନେଇ ବିଭିନ୍ନ ଦିଗକୁ ଅନୁଧ୍ୟାନ କରାଯାଉଥିବା ପୁଲିସ ପ୍ରକାଶ କରିଛି।

ପ୍ରକାଶ ଥାଉ କି, ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ମାଲକାନଗିରି ଜିଲ୍ଲା ବାଲିମେଳା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍‌ଆରଟିସି)ର ଯାତ୍ରୀବାହୀ ବସ୍ ((ଓଡି ୦୭ ଏକେ ୪୨୫୫) କୋରାପୁଟ ଜିଲ୍ଲା ବୈପାରିଗୁଡ଼ାସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପ ନିକଟରେ ପହଞ୍ଚାବା ମାତ୍ରେ କେହି ବ୍ୟକ୍ତି ଗୁଳିମାଡ଼ କରିଥିଲା। ଘଟଣା ସମୟରେ ବସରେ ୧୦ ଜଣ ଯାତ୍ରୀ ରହିଥିବା ବେଳେ କାହାରି କିଛି କ୍ଷତି  ହୋଇ ନଥିଲେ ମଧ୍ୟ ଝରକା କାଚ ଭାଙ୍ଗି ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ।

ଡ୍ରାଇଭର ବସଟିକୁ ଥାନାରେ ପହଞ୍ଚାଇ ଏସଂପର୍କରେ ସୂଚନା ଦେଇଥିଲେ। ପୁଲିସ ଗାଡ଼ିରେ ବସିଥିବା ଯାତ୍ରୀମାନଙ୍କର ଖାନତଲାସ ନେବା ସହ ଗାଡ଼ି ଭିତରେ ଖୋଜାଖୋଜି କରିଥିଲେ। ଖବର ପାଇ ଜୟପୁର ଏସଡିପିଓ ହରିଶା ବି.ସି. ତୁରନ୍ତ ବୈପାରିଗୁଡା ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। କୋରାପୁଟ ଏସପି ଅଭିନବ ଶଙ୍କର ବୈପାରିଗୁଡା ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଆଜି ସକାଳେ କୋରାପୁଟ ସାଇନଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁରକୁ ନେଇ ବୈପାରିଗୁଡା ପହଞ୍ଚି ଥିଲେ ଏବଂ ତଦନ୍ତ କରିଛି। ଅନ୍ୟ ଦିଗରେ ଦୁଇ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଅଟକ ରଖିଥିବା ବେଳେ ୧୦ ଜଣ ଯାତ୍ରୀଙ୍କୁ ଛାଡ଼ି ଦିଆଯାଇଥିଲା। ଆଜି ମଧ୍ୟ ତଦନ୍ତ ଜାରି ରହିଥିବା ଏବଂ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ କରାଯାଉଥିବା ଏସଡିପିଓ ହରିଶ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର