ଗୌରହରି ଓ ଦମୟନ୍ତୀ ପାଇଲେ ‘ଅକାଦେମି ଅନୁବାଦ ପୁରସ୍କାର’

ଭୁବନେଶ୍ବର : କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ କେରଳର ତ୍ରିସୁରଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ବିଶିଷ୍ଟ ଓଡ଼ିଆ କଥାକାର ତଥା ଅନୁବାଦକ ଗୌରହରି ଦାସ ଓ ସାନ୍ତାଳୀ ଲେଖିକା ଦମୟନ୍ତୀ ବେଶ୍ରାଙ୍କୁ ୨୦୨୧ ବର୍ଷର ‘ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର’ ପ୍ରଦାନ କରାଯାଇଛି। ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବର ଉଭୟ ଲେଖକଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଉତ୍ସବରେ ବିଶିଷ୍ଟ ଇଂରାଜୀ ଲେଖକ ତଥା ଅନୁବାଦକ ରଞ୍ଜିତ ହୋସ୍‌କୋଟେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବେନିୟାମିନଙ୍କ ରଚିତ ମାଲୟାଲମ୍ ଉପନ୍ୟାସ ‘ଆବୁଜୀବିଥମ୍‌’ର ଓଡ଼ିଆ ଅନୁବାଦ ‘ଛେଳି ଚରେଇବାର ଦିନ’ ନିମନ୍ତେ ଡ. ଦାସ ଏହି ପୁରସ୍କାର ପାଇଛନ୍ତି।

ଏଥିସହ ଜୟଦେବଙ୍କ ରଚିତ ଗୀତଗୋବିନ୍ଦର ସାନ୍ତାଳୀ ଅନୁବାଦ ‘ଶ୍ରୀଗୀତଗୋବିନ୍ଦ’ ପାଇଁ ଡ. ବେଶ୍ରା ଏହି ପୁରସ୍କାର ଲାଭ କରିଛନ୍ତି। କାର୍ଯ୍ୟକ୍ରମରେ ଅକାଦେମିର ସଚିବ କେ. ଶ୍ରୀନିବାସରାଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ମାଧବ କୌଶିକ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, କଥାକାର ଡ. ଦାସ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ସମ୍ପାଦକ, ସ୍ତମ୍ଭକାର ଓ ଅନୁବା‌ଦକ। ସାହିତ୍ୟର ବିଭିନ୍ନ ବିଭାଗରେ ଡ. ଦାସଙ୍କର ୭୦ରୁ ଅଧିକ ପୁସ୍ତକ ପ୍ରକାଶିତ। ସେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଓ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ସହିତ ରାଜ୍ୟ ଓ ରାଜ୍ୟ ବାହାରର ବହୁ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର