ଜଙ୍ଗଲ ବିଭାଗ ଓ ପିକେଡିଏକୁ ହାଇକୋର୍ଟଙ୍କ ଜବାବ ତଲବ

ବେଳାମାର୍ଗ ପାର୍ଶ୍ବସ୍ଥ ଜଙ୍ଗଲ ଜମି ଇଡ୍‌କୋକୁ ପ୍ରଦାନ ମାମଲା

କୋଣାର୍କ : କୋଣାର୍କ- ପୁରୀ ବେଳାମାର୍ଗ ପାର୍ଶ୍ବ ଜଙ୍ଗଲ ମଧ୍ୟରୁ ପ୍ରାୟ ୭୦ଏକର ଜମିକୁ ସରକାରୀ ସଂସ୍ଥା ଇଡ୍‌କୋ ଜରିଆରେ ଲିଜ୍ ଦେବା ଉଦ୍ୟମକୁ ସ୍ଥାନୀୟ ଜନସାଧାରଣ, ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ସମିତି  ତଥା ପରିବେଶବିତ୍‌ମାନେ ବିରୋଧ କରିଛନ୍ତି। ଏ ନେଇ ରୁଜୁ ହୋଇଥିବା ଜନସ୍ଵାର୍ଥ ମାମଲାରେ ଉଚ୍ଚ ନ୍ୟାୟାଳୟ ପକ୍ଷରୁ  ପିକେଡିଏ  ଓ ଜଙ୍ଗଲ ବିଭାଗକୁ ଜବାବ ତଲବ କରାଯାଇଛି।

ସୂଚନା ମୁତାବକ , କୋଣାର୍କ ମୌଜାର ହାଲ ଖାତା ନମ୍ବର ୫୨୮, ହାଲ ପ୍ଲଟ ନମ୍ବର ୨୧୩୭, ୨୧୪୩, ୨୨୨୬ ଓ ହାଲ ଖାତା ନମ୍ବର ୫୩୧, ହାଲ ପ୍ଲଟ ନମ୍ବର ୨୧୩୬, ୨୦୧୫/୨୭୬୯, ୨୦୧୫ ସମ୍ବନ୍ଧ ମୋଟ୍‌ ୭୦ ଏକରରୁ ଅଧିକ ଜମି ଇଡ୍‌କୋ ଜରିଆରେ ଘରୋଇ ସଂସ୍ଥାଙ୍କୁ ଲିଜରେ ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଲିଜ୍‌ରେ ଦିଆଯିବାକୁ ଥିବା ଜମି ସବୁଜିମା ବଳୟ ସୃଷ୍ଟି କରୁଥିବା ସହ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରକୁ ଲୁଣା ପବନରୁ ସୁରକ୍ଷା ଦେଉଛି। ଏଥିରେ ପ୍ରାୟ ୮୦ ହଜାରରୁ ଅଧିକ ଘଞ୍ଚ ଝାଉଁ ଗଛ ରହିଛି। ଲିଜ୍‌ରେ ଦିଆଯିବାକୁ ଥିବା ପ୍ରସ୍ତାବିତ ଜମି ସିଆର୍‌ଜେଡ୍‌  ଓ   ପରିସଂସ୍ଥା ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ରହିଛି। ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଲିଜ୍‌ରେ ଦିଆଯିବାକୁ ଥିବା ଜମିରୁ ଅର୍ଦ୍ଧାଧିକ ଅଞ୍ଚଳ ପୁରୀ କୋଣାର୍କ ଉନ୍ନୟନ ସଂସ୍ଥା ଦ୍ଵାରା ବିଶ୍ବ ପ୍ରସିଦ୍ଧ ମାଘମେଳା ପଡ଼ିଆ ପାଇଁ ମାଷ୍ଟର ପ୍ଳାନରେ ସଂରକ୍ଷିତ ରଖାଯାଇଛି। ସରକାରଙ୍କ ଘରୋଇ ସଂସ୍ଥାକୁ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ବିରୋଧ କରି ବିନାୟକ ସ୍ଵାଇଁ ଓ ଅନ୍ୟମାନଙ୍କ  ପକ୍ଷରୁ ଉଚ୍ଚତମ ନ୍ୟାୟାଳୟରେ ଏକ ଜନସ୍ଵାର୍ଥ ମାମଲା  ଡବ୍ଳ୍ୟୁପି(ସି)ନଂ ୩୭୬୩/୨୦୨୧ ଦାୟର କରାଯାଇଥିଲା । ଏହି ମାମଲାର ଶୁଣାଣି ଗତ ଏପ୍ରିଲ ୨୯ ତାରିଖରେ ହୋଇଥିଲା। ଆବେଦନକାରୀ ଗ୍ରାମବାସୀଙ୍କ ପକ୍ଷରୁ କୋଣାର୍କ ଓକିଲ ସଂଘ ସଭାପତି ଆଇନଜୀବୀ ଶ୍ରୀଜୟ କୁମାର ବରାଳ ଓ ଆଇନଜୀବୀ ଶିବଶଙ୍କର ମହାନ୍ତି ପରିଚାଳନା କରୁଛନ୍ତି I

ସମ୍ବନ୍ଧିତ ଖବର