ଆମ ସଂସଦୀୟ ବ୍ୟବସ୍ଥା ଓ ସାଂସଦ

ବରୁଣ ଗାନ୍ଧୀ

ଗତବର୍ଷ (୨୦୨୧) ସଂସଦର ମୌସୁମୀ ଅଧିବେଶନରେ ଲୋକସଭାରେ ୧୮ଟି ବିଧେୟକ ପାରିତ ହୋଇଥିଲା, ପ୍ରତିଟି ପାଇଁ ହାରାହାରି ୩୪ ମିନିଟ୍‌ର ଆଲୋଚନା ହୋଇଥିଲା। ସେଥି ମଧ୍ୟରୁ ଅନିବାର୍ଯ୍ୟ ସାମରିକ ସେବା (୨୦୨୧) ଭଳି ଗୁରୁତ୍ବପୂର୍ଣ୍ଣ ବିଧେୟକକୁ ମାତ୍ର ୧୨ ମିନିଟ୍‌ର ଆଲୋଚନା ପରେ ପାରିତ କରାଯାଇଥିଲା। ସେହିପରି ଦେବାଳିଆ ଓ ଋଣ ପରିଶୋଧରେ ଅକ୍ଷମତା ସଂହିତା (ସଂଶୋଧନ) ବିଧେୟକ (୨୦୨୧) ପାଇଁ ମାତ୍ର ୫ ମିନିଟ୍‌ର ଆଲୋଚନା ହୋଇଥିଲା। କୌଣସି ଗୋଟିଏ ବି ବିଧେୟକକୁ ସଂସଦୀୟ କମିଟି ପାଖକୁ ପଠା ଯାଇନଥିଲା। ସବୁ ବିଧେୟକ ଧ୍ବନି ମତରେ ପାରିତ ହୋଇଥିଲା ଏବଂ ସାଂସଦମାନେ ଭୋଟ ଦେବା ପାଇଁ କ୍ବଚିତ୍‌ ଏକାଠି ହେଉଥିଲେ। ଚଳିତ ବର୍ଷର ଗତ ଅଧିବେଶନରେ ସଂସଦର ଉତ୍ପାଦକତା ୧୨୯ ପ୍ରତିଶତ ପରି ଉଲ୍ଲେଖନୀୟ ରହିଥିଲା, ମାତ୍ର ସତେ ଯେମିତି ଆଲୋଚନା ପରମ୍ପରା ସମାପ୍ତ ହୋଇଯାଇଥିଲା। ତେବେ, ସଂସଦ କ’ଣ କେବଳ ଡାକଘର ପାଲଟି ଯାଇଛି?

ବିଧି ବ୍ୟବସ୍ଥା ଉପରେ ଆଲୋଚନା ହେବାଟା ସଂସଦୀୟ ଲୋକତନ୍ତ୍ରର ଏକ ଘୋଷିତ ସ୍ବରୂପ। ୨୦୧୩ ମସିହାରେ ଆମେରିକା ସିନେଟ୍‌ରେ ‘ଓବାମା କେୟାର’ ଉପରେ କହିବା ଲାଗି ସିନେଟର ଟେଡ୍‌ କ୍ରୁଜ୍‌ଙ୍କୁ ୨୧ ଘଣ୍ଟା ୧୯ ମିନିଟ୍‌ ମିଳିଥିଲା। ଯେତେବେଳେ ଏଭଳି ବିତର୍କ ପାଇଁ ସଂସଦୀୟ କାର୍ଯ୍ୟଧାରାରେ ଅଲଗା ସମୟ ଦିଆଯାଏ, ସେତେବେଳେ ସହମତି ପୂର୍ବକ ବିଧି ବ୍ୟବସ୍ଥାର ଗୁଣବତ୍ତାରେ ଉନ୍ନତି ଆସିଥାଏ। ଏହି ଅବସରରେ ଭାରତରେ କୃଷି ଆଇନ ପ୍ରତ୍ୟାହାର ବିଧେୟକ (୨୦୨୧) ମାତ୍ର ୮ ମିନିଟ୍‌ରେ (ଲୋକସଭାରେ ୩ ମିନିଟ୍‌ ଓ ରାଜ୍ୟସଭାରେ ୫ ମିନିଟ୍‌) ପାରିତ ହୋଇଗଲା। ଏପରି ଭାବେ ସାଂସଦଙ୍କ କାର୍ଯ୍ୟ ମୁଣ୍ଡ ଗଣତିରେ ସୀମିତ ରହିଯାଉଛି। ସମ୍ବିଧାନର ରୂପରେଖ ପ୍ରସ୍ତୁତି ପାଇଁ ଭାରତୀୟ ସମ୍ବିଧାନ ସଭାର ବିତର୍କ ୧୯୪୬ ଡିସେମ୍ବରରେ ଆରମ୍ଭ ହୋଇ ୧୬୬ ଦିନ ଧରି ଚାଲିଥିଲା, ଯାହା ୧୯୫୦ ଜାନୁଆରିରେ ହିଁ ଚୂଡ଼ାନ୍ତ ରୂପ ନେଇଥିଲା। ଏକ ଆଦର୍ଶ ବିତର୍କ ପ୍ରକ୍ରିୟାର ପୁନରୁଦ୍ଧାର ସହିତ ସାଂସଦମାନଙ୍କୁ ମୁକ୍ତ ମତଦାନ ସୁଯୋଗ ମିଳିଲେ ହିଁ ସଂସଦୀୟ ବିତର୍କ ପରମ୍ପରା ବଜାୟ ରହିବା ସହ ତାହା ମଜଭୁତ ହୋଇପାରିବ। ଅନ୍ୟ ପକ୍ଷରେ, କୌଣସି ପ୍ରସଙ୍ଗରେ ଗଭୀର ଅନୁଧ୍ୟାନ କରିବା ପାଇଁ ସାଂସଦମାନଙ୍କ ହାତରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ। ଜଣେ ସହାୟକ ନିଯୁକ୍ତ କରିବା ପାଇଁ ସାଂସଦଙ୍କୁ ମାସିକ ୪୦ ହଜାର ଟଙ୍କା ଭତ୍ତା ମିଳିଥାଏ, ଯେଉଁଠି କି ୟୁକେରେ ସାଂସଦଙ୍କର ହାରାହାରି ଦରମା ୮୪,୧୪୪ ପାଉଣ୍ଡ୍‌ ସାଙ୍ଗକୁ ସେ ଜଣେ ସହାୟକ ଠିକ୍‌ କରିବା ପାଇଁ ୧,୯୩,୦୦୦ ପାଉଣ୍ଡ୍‌ରୁ ୨,୧୬,୦୦ ପାଉଣ୍ଡ୍‌ ଯାଏ ଭତ୍ତା ପାଇଥା’ନ୍ତି। ବିଚାର ବିମର୍ଶ ପ୍ରକ୍ରିୟାର ପୁନରୁତ୍‌ଥାନ ପାଇଁ ସରକାର ସଂସଦୀୟ ଗବେଷଣା ପାଇଁ ଅଧିକ ପାଣ୍ଠି ମଧ୍ୟ ବରାଦ କରିବା ଆବଶ୍ୟକ।

ସଂସଦୀୟ ଗଣତନ୍ତ୍ର ସରକାରଙ୍କୁ ଉତ୍ତରଦାୟୀ ହେବାକୁ ନିଶ୍ଚିତ କରିଥାଏ। ୱେଷ୍ଟମିନଷ୍ଟର୍‌ରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀଙ୍କୁ ପ୍ରତି ବୁଧବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ସାଢ଼େ ୧୨ଟା ଯାଏ ହାଉସ୍‌ ଅଫ୍‌ କମନ୍‌ସରେ ସାଂସଦମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥାଏ। ତାହା ପୂର୍ବରୁ ତାଲିକାଭୁକ୍ତ ପ୍ରଶ୍ନ ଅଥବା ଅନ୍ୟ କିଛି ପରିପୂରକ ପ୍ରଶ୍ନର ସମ୍ମିଶ୍ରଣ ହୋଇପାରେ, ଯହିଁରେ ପ୍ରଧାନମନ୍ତ୍ରୀଙ୍କୁ ଜଣା ନ ଥାଏ କ’ଣ ପଚରାଯିବ! କୋଭିଡ୍‌-୧୯ ଜନିତ ଲକ୍‌ଡାଉନ୍‌ ବେଳେ ମଧ୍ୟ ବ୍ରିଟିସ୍ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରଦାୟିତ୍ବ ବଜାୟ ରଖିବା ପାଇଁ ଭର୍ଚୁଆଲ୍‌ ମାଧ୍ୟମରେ ସାଂସଦମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା। ସୂଚନାଯୋଗ୍ୟ, ଭାରତରେ ଉକ୍ତ ସମୟରେ ପ୍ରଶ୍ନ କାଳକୁ ହଟାଇ ଦିଆଯାଇଥିଲା। ଉତ୍ତରଦାୟିତ୍ବକୁ ସୁନିଶ୍ଚିତ କରାଇବାର ଆଉ ଏକ ଉପାୟ ହେଲା ସଂସଦୀୟ କମିଟି। ଆମେରିକାରେ ସିନେଟ୍‌ ଏବଂ ସଂସଦୀୟ କମିଟି ଆଇନ କାନୁନଗୁଡ଼ିକର ଯାଞ୍ଚ କରିଥା’ନ୍ତି; ସରକାରୀ ନିଯୁକ୍ତିଗୁଡ଼ିକର ପୁଷ୍ଟି କରିଥା’ନ୍ତି, ତଦନ୍ତ ଚଳାଇଥା’ନ୍ତି ଏବଂ ଶୁଣାଣି କରିଥା’ନ୍ତି। ୨୦୧୩ ମସିହାରେ ୟୁକେରେ ହାଉସ୍‌ ଅଫ୍‌ କମନ୍‌ସ ଦ୍ବାରା ଏକ ସାର୍ବଜନୀନ ଶୁଣାଣି ବ୍ୟବସ୍ଥା ଚଳାଯାଇଥିଲା ଯେଉଁଥିରେ କୌଣସି ବିଧେୟକ ଉପରେ ଟିପ୍ପଣୀ ଦେବା ଲାଗି ଏକ ୱେବ୍‌ ପୋର୍ଟାଲ୍‌ ମାଧ୍ୟମରେ ସର୍ବସାଧାରଣଙ୍କୁ ସୁଯୋଗ ଦିଆଯାଇଥିଲା। ଏହି ପ୍ରକ୍ରିୟାରେ ପ୍ରାୟ ହଜାରେରୁ ଅଧିକ ଲୋକ ଭାଗ ନେଇ ୧,୪୦୦ରୁ ଅଧିକ ଟିପ୍ପଣୀ ଦେଇଥିଲେ। ଅପର ପକ୍ଷେ, ଭାରତରେ ଦୀର୍ଘମିଆଦୀ ଉନ୍ନୟନମୂଳକ ଯୋଜନାଗୁଡ଼ିକର ମଧ୍ୟ ସଂସଦୀୟ ଯାଞ୍ଚ ହୁଏନାହିଁ, କେବଳ ବାର୍ଷିକ ଅଟକଳର ଘୋଷଣା ଅନୁସାରେ ମଞ୍ଜୁରି ମିଳିଥାଏ। କିନ୍ତୁ, ଯେଉଁଠି କମିଟି ହସ୍ତକ୍ଷେପ କରିଛନ୍ତି, ତାହାର କିଛି ବଳିଷ୍ଠ ପ୍ରଭାବ ପଡ଼ିଛି। ଉଦାହରଣ ସ୍ବରୂପ, ୨୦୧୩ ଅକ୍ଟୋବରରେ ଟେଲିଫୋନ୍‌ ଲାଇସେନ୍‌ସ ଓ ତାହାର ଆବଣ୍ଟନ ଉପରେ ଏବଂ ୧୯୯୩ ଡିସେମ୍ବରରେ ପ୍ରତିଭୂତି ଓ ଆର୍ଥିକ ନେଣଦେଣରେ ଅନିୟମିତତା ଉପରେ ସଂଯୁକ୍ତ ସଂସଦୀୟ କମିଟି (ଜେପିସି) ମୁଣ୍ଡ ଖେଳାଇଥିଲା ଏବଂ ତାହାର ପ୍ରଭାବଶାଳୀ ପରିଣାମ ଦିଶିଲା। ନିଉଜିଲାଣ୍ଡ୍‌ରେ ପ୍ରତିଟି ବିଧେୟକ ଏକ ଚୟନ କମିଟିର ଯାଞ୍ଚ ପାଇଁ ଯିବା ବାଧ୍ୟତାମୂଳକ।

ସଂସଦୀୟ ଲୋକତନ୍ତ୍ରର ଅନ୍ୟତମ ବିଶେଷତ୍ବ ହେଲା, ସାଂସଦମାନଙ୍କୁ ସ୍ବୟଂ ପଦକ୍ଷେପ ନେବା ପାଇଁ ଅନୁମତି ମିଳିବା। ବେଳେ ବେଳେ ତାହା ବ୍ୟକ୍ତିଗତ ସଦସ୍ୟ ବିଧେୟକର ରୂପ ନେଇଥାଏ, ଯେପରି ୨୦୧୯ରୁ ୟୁକେରେ ୭ଟି ବ୍ୟକ୍ତିଗତ ସଦସ୍ୟ ବିଧେୟକ ପାରିତ ହୋଇଯାଇଛି। ସେହିପରି କାନାଡ଼ାରେ ଏହି ସମୟ ଭିତରେ ୬ଟି ବିଧେୟକ ପାରିତ ହୋଇଛି। ତେବେ ଭାରତରେ ୧୯୫୨ ପର ଠାରୁ ଉଭୟ ଗୃହ (ଲୋକସଭା ଓ ରାଜ୍ୟସଭା) ଦ୍ବାରା ଏ ଯାବତ୍‌ ମାତ୍ର ୧୪ଟି ବ୍ୟକ୍ତିଗତ ସଦସ୍ୟ ବିଧେୟକ ପାରିତ ହୋଇଛି, ଯହିଁରୁ ପଣ୍ଡିତ ନେହରୁ କ୍ଷମତାରେ ଥିଲା ବେଳେ ୬ଟି ପାରିତ ହୋଇଥିଲା। ଏଭଳି ବୈଧାନିକ ପଦକ୍ଷେପର ଗୁରୁତ୍ବ କ’ଣ ତାହା ଏଥିରୁ ଅନୁମାନ କରି ହେବ କି ରାଜଦମାତା କମଳେନ୍ଦୁଙ୍କର ଏପରି ପଦକ୍ଷେପ ଦ୍ବାରା ମହିଳା ଏବଂ ଶିଶୁମାନଙ୍କ ସଂସ୍ଥାନ (ଲାଇସେନ୍‌ସିଂ) ଅଧିନିୟମ ୧୯୫୬ ସମ୍ଭବ ହେଲା, ଯଦ୍ଦ୍ବାରା ମହିଳା ଓ ଶିଶୁମାନଙ୍କର ଯତ୍ନ, ସୁରକ୍ଷା ଓ କଲ୍ୟାଣର ଗୁରୁତ୍ବ ବଢ଼ିଲା। ସେହିପରି ରଘୁନାଥ ସିଂହଙ୍କ ଦ୍ବାରା ଆଗତ ଦଣ୍ଡ ପ୍ରକ୍ରିୟା ସଂହିତା (ସଂଶୋଧନ) ବିଧେୟକ ୧୯୫୩ ମାଧ୍ୟମରେ ନିମ୍ନ ଅଦାଲତ ଦ୍ବାରା ପ୍ରଦତ୍ତ ଆଦେଶରେ ରୋକ ଲଗାଇବା ଅଥବା ତାହାକୁ ରଦ୍ଦ କରିବା ଲାଗି ଉଚ୍ଚ ଅଦାଲତକୁ ସଶକ୍ତ କରିବାକୁ ନିବେଦନ କରାଯାଇଥିଲା। ତେଣୁ ବ୍ୟକ୍ତିଗତ ସଦସ୍ୟ ବିଧେୟକଗୁଡ଼ିକୁ ଶୁଣିବାକୁ ଏବଂ ସେଥିରେ ମତଦାନ କରିବା ଲାଗି ଆବଶ୍ୟକ ବ୍ୟବସ୍ଥାର ସ୍ଥାପନା କରାଯିବା ଦରକାର।

ସଂସଦ ବାହାରେ ଭାରତରେ ଅଧିକାଂଶ ସାଂସଦଙ୍କ ପାଇଁ ନିଜର ନିର୍ବାଚନୀ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର କ୍ଷମତା ସୀମିତ। ଏ ପରିପ୍ରେକ୍ଷୀରେ ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି କଥା ବିଚାର କରାଯାଉ। କୌଣସି ନିର୍ଦ୍ଦିଷ୍ଟ ଉନ୍ନୟନମୂଳକ ପଦକ୍ଷେପ ପାଇଁ ଜଣେ ସାଂସଦ ସ୍ଥାନୀୟ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଏଥିରୁ ସର୍ବାଧିକ ୫ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ କହିପାରିବେ। ଯଦି ଏହାକୁ ସଂପୃକ୍ତ ସଂସଦୀୟ କ୍ଷେତ୍ର ଅଧୀନ ଗ୍ରାମଗୁଡ଼ିକ ମଧ୍ୟରେ ବାଣ୍ଟି ଦିଆଯାଏ, ତେବେ ଅଞ୍ଚଳ ପିଛା ୧୫ ହଜାର ଟଙ୍କା ପଡ଼ିବ ଯେଉଁଥିରେ କେବଳ ୩ ମିଟର ଲମ୍ବର କଂକ୍ରିଟ୍‌ ରାସ୍ତା ସମ୍ଭବ। ଫିଲିପାଇନ୍‌ସରେ ପ୍ରାଥମିକତା ଉନ୍ନୟନ ସହାୟକ ପାଣ୍ଠି (ପିଡିଏଏଫ୍‌)ରୁ ସିନେଟର୍‌ମାନଙ୍କୁ ଛୋଟ ଛୋଟ ଭିତ୍ତିଭୂମି ନିର୍ମାଣ କି ଗୋଷ୍ଠୀ ପ୍ରକଳ୍ପ ପାଇଁ ଅର୍ଥରାଶି ଯୋଗାଇ ଦିଆଯାଉଛି। ଏଭଳି ଯୋଜନା ସଂସଦୀୟ କ୍ଷେତ୍ର ସହ ଜଡ଼ିତ ବିକାଶର ମାର୍ଗ ଉନ୍ମୁକ୍ତ କରିବା ସହ ତୃଣମୂଳ ସ୍ତରରେ ଲୋକତନ୍ତ୍ରକୁ ପ୍ରୋତ୍ସାହିତ କରିଥାଏ।

ଏହା ପରିବର୍ତ୍ତେ ସାଂସଦମାନଙ୍କ ଦ୍ବାରା ଆରମ୍ଭ ହେଉଥିବା କୌଣସି ପଦକ୍ଷେପକୁ ନିର୍ବଳ କରିବା ସହ ପ୍ରତିବାଦର କଣ୍ଠରୋଧ ପାଇଁ ଆମର ଆନୁଷ୍ଠାନିକ ବ୍ୟବସ୍ଥାମାନ ରହିଛି। ଗୋଟିଏ ଦଳରୁ ଅନ୍ୟ ଦଳକୁ ଡେଉଁଥିବା କୌଣସି ବିଧାୟକ ବା ସାଂସଦଙ୍କୁ ଦଣ୍ଡିତ କରିବା ଲାଗି ଦଳବଦଳ ବିରୋଧୀ ଆଇନ ରହିଛି, ଯାହା ବଳରେ ତାଙ୍କୁ ତାଙ୍କ ସଦସ୍ୟତା ହରାଇବାକୁ ପଡ଼ିଥାଏ। ଏହାର ପରିଣତି ବଡ଼ ରୋମାଞ୍ଚକର ହୋଇ ଆସିଛି। ସାଂସଦମାନେ କେବଳ ଦଳୀୟ ନିର୍ଦ୍ଦେଶ ମାନି ବୋତାମ ଟିପିଥା’ନ୍ତି ଏବଂ ସେଥିରୁ ସେମାନଙ୍କର ସାଂସଦତ୍ବ ନିର୍ଦ୍ଧାରିତ ହୋଇଥାଏ। ଆଉ ଏକ କଥା ବିଚାରକୁ ନିଆଯାଉ- ଭାରତର ୫୪୩ ଲୋକସଭା ଆସନରୁ ପାଖାପାଖି ୨୫୦ଟିରେ କୃଷିକୁ ପେସା କରିଥିବା (ଦର୍ଶାଇଥିବା) ରାଜନେତା ନିର୍ବାଚିତ। ତଥାପି ସଂସଦରେ କୃଷି ଆଇନ ସମ୍ପର୍କିତ ବିତର୍କରେ କ୍ବଚିତ୍‌ ସାଂସଦ ସେମାନଙ୍କ ସ୍ବର ଉଠାଇଥିଲେ। ଭାରତର ଏହି ଗରିମାପୂର୍ଣ୍ଣ ମଞ୍ଚରେ ଜଣେ ବି କେହି ବିବେକାନୁମୋଦିତ ମତ ଦେବା ସ୍ବପ୍ନ ପାଲଟିଛି। ଦଳବଦଳ ନିରୋଧକ ଆଇନ ତାହାର ଉଦ୍ଦେଶ୍ୟ ପୂରଣ କରିପାରିନାହିଁ, ତେଣୁ ତାହାକୁ ହଟାଇ ଦିଆଯିବା ଦରକାର। ଯଦି ତାହା ହୋଇପାରିବନି, ତେବେ ସାଂସଦମାନେ ଆଉ ବିଚାର ଓ ବିତର୍କ କରୁଥିବା ଆଇନପ୍ରଣେତା ହୋଇ ରହିବେ ନାହିଁ।

ଏ ପରିପ୍ରେକ୍ଷୀରେ ଭବିଷ୍ୟତ୍‌ ପାଇଁ ପୂର୍ବାନୁମାନ ଭୟଙ୍କର ରହିଛି। ଭାରତରେ ଜଣେ ସାଂସଦ ହାରାହାରି ୨୫ ଲକ୍ଷ ନାଗରିକଙ୍କର ପ୍ରତିନିଧିତ୍ବ କରିଥା’ନ୍ତି, ଯାହା ବୋତସୁଆନା, ସ୍ଳୋଭାନିଆ, ଇଷ୍ଟୋନିଆ ଓ ଭୁଟାନ ପରି ଦେଶର ଲୋକସଂଖ୍ୟାଠାରୁ ଅଧିକ। ତୁଳନା କରି ଦେଖିଲେ, ୟୁକେର ୱେଷ୍ଟମିନଷ୍ଟର୍‌ର ପ୍ରତ୍ୟେକ ସାଂସଦ ପାଖାପାଖି ୯୨,୦୦୦ ଲୋକଙ୍କର ପ୍ରତିନିଧିତ୍ବ କରୁଥିବା ବେଳେ ଆମେରିକାର ପ୍ରତିନିଧିତ୍ବ ସଭାର ପ୍ରତ୍ୟେକ ସଦସ୍ୟ ୭ ଲକ୍ଷ ନାଗରିକଙ୍କ ପ୍ରତିନିଧି। ସୁତରାଂ ଏପରି ବିଶାଳ ସଂଖ୍ୟା ଦୃଷ୍ଟିରୁ ଭାରତର କୌଣସି ସାଂସଦ ନିଜ ନିର୍ବାଚନୀ କ୍ଷେତ୍ରର ସ୍ବାର୍ଥକୁ ଯଥୋଚିତ ନ୍ୟାୟ ଦେଇ ପ୍ରତିନିଧିତ୍ବ କରିପାରୁନାହାନ୍ତି। ଅବଶ୍ୟ, ୨୦୨୬ ବେଳକୁ ଲୋକସଭାର ସଦସ୍ୟ ସଂଖ୍ୟା ହଜାରେ ଛୁଇଁବାର ଅଛି। ତେବେ ଯଥାର୍ଥ ପ୍ରତିନିଧିତ୍ବ ସୁନିଶ୍ଚିତ କରିବା ହିଁ ଲୋକତନ୍ତ୍ରର ଚାବି କାଠି ହୋଇଥିବା ବେଳେ ସାଂସଦମାନଙ୍କୁ ସଂସଦରେ କହିବା ପାଇଁ ଯଥେଷ୍ଟ ସମୟ ମିଳୁନାହିଁ।

୧୯୫୬ ମସିହାରେ ସଂସଦୀୟ କାର୍ଯ୍ୟ ଧାରାକୁ ପ୍ରକାଶ କରିବା ନିମନ୍ତେ ପ୍ରେସ୍‌ ସ୍ବାଧୀନତା ପାଇଁ ଫିରୋଜ ଗାନ୍ଧୀ ଏକ ବ୍ୟକ୍ତିଗତ ସଦସ୍ୟ ବିଧେୟକ ଆଗତ କରିଥିଲେ। ପରେ ତାହା ସଂସଦୀୟ କାର୍ଯ୍ୟଧାରା (ପ୍ରକାଶନ ସୁରକ୍ଷା) ଆଇନ ୧୯୫୬ ଭାବେ ଅଧିନିୟମୀକୃତ ହୋଇଥିଲା। ଆଦର୍ଶ ଦୃଷ୍ଟିରୁ ସଂସଦ ଓ ତାହାର ସଦସ୍ୟମାନେ ଏକ ଉତ୍ତରଦାୟୀ ସରକାର ପରିଚାଳନା କରିବା ଆବଶ୍ୟକ। ଆମ ସଂସଦ କାର୍ଯ୍ୟନିର୍ବାହୀର ଅଧୀନତା ସ୍ବୀକାର ନ କରି ଉତ୍ତରଦାୟିତ୍ବର ପରିଚାଳନା ପୂର୍ବକ ନବ ଭାରତର ପରିବର୍ତ୍ତିତ ଆକାଂକ୍ଷା, ଚଳଚଞ୍ଚଳତା ଓ ଲକ୍ଷ୍ୟକୁ ପ୍ରତିଫଳିତ କରିବା ଦରକାର। ତାହା ହିଁ ଧ୍ୟେୟ ହେବା ଉଚିତ।

ସାଂସଦ, ଲୋକସଭା
[email protected]

ସମ୍ବନ୍ଧିତ ଖବର