ପୁଲିସ୍‌ର ଗୁଳିଚାଳନା ଅଭ୍ୟାସ ବେଳେ ଅଘଟଣ: ଲୋକଙ୍କ ଦେହରେ ବାଜିଲା ଗୁଳି

ପୁଲିସ କହିଲା, ଏତେବାଟ ଯାଇପାରିବ ନାହିଁ ଗୁଳି

ଅନୁଗୁଳ : ପୁଲିସ୍‌ ବନ୍ଧୁକ ଚାଳନା ଅଭ୍ୟାସ କରିବା ସମୟରେ ଗୁଳି ଯାଇ ବାଜିଛି ସାଧାରଣ ଲୋକଙ୍କ ଦେହରେ। ଏମିତି ସାଂଘାତିକ ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ସଦର ଥାନା ଶରଧାପୁର ଗାଁରୁ। ଆଜି ସକାଳେ ଗାଁର ସୁବାସ ସାହୁ (୩୫) ଛାତ ଉପରେ କାମ କରୁଥିଲାବେଳେ ହଠାତ୍‌ ଏକ ଗୁଳି ଆସି ତାଙ୍କ ବାମ ଜଂଘରେ ବାଜିଥିଲା। ତାଙ୍କ ଘରଠାରୁ କିଛି ଦୂରରେ ପୁଲିସ୍‌ର ବନ୍ଧୁକ ଚାଳନା ଅଭ୍ୟାସ ଚାଲିଥିବାରୁ ସେଠାରୁ ଏହି ଗୁଳି ଆସିଥିବା ସନ୍ଦେହ କରାଯାଉଛି। ଏଥିରେ ତାଙ୍କୁ ବିଶେଷ ଆଘାତ ଲାଗି ନ ଥିଲେ ମଧ୍ୟ ଏହି ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅନୁଗୁଳ ସଦର ଥାନା ପୁଲିସ୍‌ ପହଞ୍ଚି ଗୁଳି ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୁବାସଙ୍କ କହିବା ଅନୁସାରେ, ଶନିବାର ସକାଳେ ସେ ତାଙ୍କ ଗାଁର ମଣ୍ଡାପାଳସାହିରେ ଏକ ଘର ନିର୍ମାଣ କାମର ତଦାରଖ କରୁଥିଲେ। ଛାତ ଉପରେ ଶ୍ରମିକମାନେ କାମ କରୁଥିଲାବେଳେ ସୁବାସ ତାଙ୍କୁ ସହାୟତା ମଧ୍ୟ କରୁଥିଲେ। ସକାଳ ପ୍ରାୟ ୯ଟା ୧୫ ମିନିଟ୍‌ ସମୟରେ ହଠାତ୍‌ ଏକ ଗୁଳି ଆସି ତାଙ୍କ ବାମ ଜଂଘରେ ବାଜିଥିଲା। ଲୁଙ୍ଗି ପିନ୍ଧିଥିବାରୁ ଗୁଳିଟି ଏଥିରେ ଘସି ହୋଇ ପାଖରେ ପଡ଼ିଥିଲା। ପାଖରେ କାମ କରୁଥିବା ଜଣେ ଶ୍ରମିକଙ୍କ ମୁଣ୍ଡ ପାଖରେ ଏହି ଗୁଳିଟି ଆସି ତାଙ୍କ ଦେହରେ ବାଜିଥିବା ସେ କହିଛନ୍ତି। ଏଥିରେ ସୁବାସଙ୍କୁ ସାମାନ୍ୟ ଆଘାତ ଲାଗିଛି। ହଠାତ୍‌ ଗୁଳି ଆସି ବାଜିବା ପରେ କାମ କରୁଥିବା ଶ୍ରମିକମାନେ ଭୟଭୀତ ହୋଇ ଯାଇଥିଲେ। ଛାତ ଉପରେ ଗୁଳିଟି ପଡ଼ି ରହିଥିଲାବେଳେ ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଗୁଳି ସଂପର୍କରେ ପଚରାଉଚରା କରିବା ସହିତ ଗୁଳି ଜବତ କରିଛି। ଜବତ ହୋଇଥିବା ଗୁଳିଟି ପୁଲିସ୍‌ ବ୍ୟବହାର କରୁଥିବା ଗୁଳି ବୋଲି ଅନୁମାନ କରାଯାଉଛି।

ଏପଟେ ଘର ଭିତରେ ଆସି ଗୁଳି ବାଜିବା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଶନିବାର ଦିନ ଅନୁଗୁଳ ପୁଲିସ୍‌ ଟ୍ରେନିଂ କଲେଜ ପକ୍ଷରୁ ସକାଳେ ବନ୍ଧୁକ ଚାଳନା ଅଭ୍ୟାସ କରାଯାଉଥିଲା। ତେବେ ଶରଧାପୁର ଗାଁରେ ଏହା ପ୍ରଥମ ଘଟଣା ନୁହେଁ। ଆଗରୁ ଏକାଧିକ ଥର ଏମିତି ଅଭିଯୋଗ ଆସିଛି। ୨୦୧୮ ଓ ୨୦୨୦ରେ ଗାଁ ଲୋକଙ୍କ ଦେହରେ ଏମିତି ଗୁଳି ବାଜିଥିବା ଅଭିଯୋଗ ହୋଇଥିଲା। ବାରମ୍ବାର ଏମିତି ଘଟଣା ହେଉଥିବାରୁ ଗ୍ରାମବାସୀ ଅସୁରକ୍ଷିତ ମନେ କରୁଛନ୍ତି। ଏଥିନେଇ ପିଟିସିର ଜଣେ ଅଧିକାରୀ କହିଛନ୍ତି ଯେ, ଆଜି ପିସ୍ତଲ ଚାଳନା ଅଭ୍ୟାସ ଥିଲା। ଏହାର ଗୁଳି ଅଧିକ ଦୂର ଯାଇପାରିବ ନାହିଁ। ଅଭ୍ୟାସ ସ୍ଥାନଠାରୁ ସେହି ବ୍ୟକ୍ତିଙ୍କ ଘର ୧ କିମିରୁ ଅଧିକ ଦୂର ହୋଇଥିବାରୁ ଏହି ଗୁଳି ପହଞ୍ଚିବା ଅସମ୍ଭବ ବୋଲି ସେ କହିଛନ୍ତି। ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ କହିଛନ୍ତି ଯେ, ଗୁଳି କେଉଁଠୁ ଆସିଲା ତାର ତଦନ୍ତ କରାଯାଉଛି। ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହୋଇପାରିବ।

ସମ୍ବନ୍ଧିତ ଖବର