ଭାଙ୍ଗିଗଲା ମାଛକୁଣ୍ଡ ଟିପି ଡ୍ୟାମ୍‌ ଟନେଲ ଫାଟକ

ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ସ୍ଥିତ ଜଳ ବିଦ୍ୟୁତ ପ୍ରକଳ୍ପର ଉତ୍ପାଦନ ପ୍ରଭାବିତ ହୋଇଛି। ଟିପି ଡ୍ୟାମ୍‌ର ଗେଟ୍‌ ହଠାତ୍‌ ଭାଙ୍ଗିଯିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରତି ଘଣ୍ଟାରେ ୬୨ମେଗାୱାଟ୍‌ ଉତ୍ପାଦନ କରୁଥିବା ଏହି ପ୍ରକଳ୍ପର ମରାମତି କାର୍ଯ୍ୟ ପାଇଁ ସାମାୟିକ ଭାବେ ଉତ୍ପଦନକୁ ବନ୍ଦ କରାଯାଇଛି।

ଓଡ଼ିଶା ଏବଂ ଆନ୍ଧ୍ର ସରକାର ମଳିତ ଭାବେ ଲମତାପୁଟ ବ୍ଲକ୍‌ ଅନକାଡେଲି ଠାରେ ଏହି ପ୍ରକଳ୍ପ ସ୍ଥାପନ କରିଛନ୍ତି। ଦୁଇ ରାଜ୍ୟ ଯୁଗ୍ମ ଭାବେ ପ୍ରକଳ୍ପର ପରିଚାଳନା କରୁଥିବା ବେଳେ ଆନ୍ଧ୍ର ଜଳ ବିଦ୍ୟୁତ ନିଗମ ସଂପୂର୍ଣ୍ଣ ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଛି। କିଛି ବର୍ଷ ଦେଲା ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁ ପ୍ରକଳ୍ପରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ସହ ଅନ୍ୟାନ୍ୟ ସମସ୍ୟା ଲାଗି ରହିଛି। କିନ୍ତୁ ଆଜି ଟିପି ଡ୍ୟାମ୍‌ର ଟନେଲ୍‌ରେ ଲାଗିଥିବା ଗୋଟିଏ ଫାଟକ ହଠାତ୍‌ ଭାଙ୍ଗିଯିବାରୁ ପ୍ରକଳ୍ପ ପ୍ରତି ବଡ଼ ବିପଦ ସୃଷ୍ଟି କରିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଏବଂ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ନିମନ୍ତେ ବିଦ୍ୟୁତ ଉତ୍ପାଦନକୁ ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲେ ପ୍ରକଳ୍ପ କର୍ତ୍ତୃପକ୍ଷ।

ଡ୍ୟାମ୍‌ରେ ପାଣି ଭର୍ତ୍ତି ହୋଇ ରହିଥିବାରୁ କ୍ଷୟକ୍ଷତି ପରିମାଣ ଆକଳନ କରିବା ସମ୍ଭବ ନଥିଲା। ତେଣୁ ମାଛକୁଣ୍ଡ ଡି. ଡ୍ୟାମ୍‌ର ଫାଟକ ବନ୍ଦ କରି ପ୍ରଥମେ ଜଳ ନିଷ୍କାସିତ କରାଯାଇଥିଲା। ଏହାପରେ ଟିପି ଡ୍ୟାମ୍‌ର ଫାଟକ ଗୁଡ଼ିକୁ ଯାଞ୍ଚ କରିବାରୁ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଥିଲା। ‌ଟନେଲ୍‌ ଫାଟକରେ ମୋଟ ୯ଟି ଜାଲି ଲାଗିଥିବା ବେଳେ ସେଥିରୁ ଗୋଟିଏ ଭାଙ୍ଗି ତଳକୁ ଖସି ପଡ଼ିଛି। ଅନ୍ୟ ୪ଟି ଜାଲି ବଙ୍କା ହୋଇଯାଇଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ କର୍ମଚାରୀମାନେ ମରାମତି କାମ ଆରମ୍ଭ କରିଛନ୍ତି। ଏଥିପାଇଁ ବିଦ୍ୟୁତ ଉତ୍ପାଦନକୁ ବନ୍ଦ କରାଯାଇଛି। ମରାମତି କାମ ଶେଷ ହେବା ପରେ ବିଦ୍ୟୁତ ଉତ୍ପାଦନକୁ ସ୍ବାଭାବିକ କରାଯିବ ବୋଲି ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀ କେ.ଭି ନାଗେଶ୍ବର ରାଓ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର