ରାଜପଥରେ ଗଲା ୭ ଜୀବନ, ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଧକ୍କା ଦେଲା ଆଇଚର

ଧର୍ମଶାଳା : ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶନିବାର ସକାଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ନିକଟ ସେଣ୍ଟ୍ରାଲ ବ୍ୟାଙ୍କ୍ ସାମ୍‌ନାରେ ଏହି ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ପାର୍ଶ୍ବରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଅର୍ଦ୍ଧଦଗ୍ଧ ଟ୍ରକ୍ ପଛରେ ଏକ ଆଇଚର ଟ୍ରକ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ୬ଜଣଙ୍କ ମୃତ୍ୟୁ ଘଟିଥିଲା। କଟକ ନେବା ବାଟରେ ଅନ୍ୟଜଣେ ଗୁରୁତର ଆହତଙ୍କ ମୃତ୍ୟୁ ହୋଇଥିଲା। ପରିବାରଲୋକ ପହ‌ଞ୍ଚିବା ପରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ୍‌ ସୂଚନା ଦେଇଛି। ମୃତ ବ୍ୟକ୍ତିମାନେ ହେଲେ ପଶ୍ଚିମବଙ୍ଗ ଚବିଶପ୍ରଗଣା ଜିଲ୍ଲା ମାଟିଆ ଥାନା ନେହାଲପୁର ଗ୍ରାମର ସୁରଜ ମଣ୍ତଳ(୪୪), ମୌୟାଜେମ୍ ସର୍ଦ୍ଦାର(୩୦), ଜହାଙ୍ଗିର ସର୍ଦ୍ଦାର(୩୨), ମହମ୍ମଦ ଆମିରୁଲ୍ ଅଲ୍ଲୀ ସର୍ଦ୍ଦାର(୨୯), ମହମ୍ମଦ ଆମଜଦ୍‌ ଅଲ୍ଲୀ ସର୍ଦ୍ଦାର(୩୩), ମହମ୍ମଦ ଆରିଫ୍ ସର୍ଦ୍ଦାର(୨୭) ଓ କରିମ୍ ସର୍ଦ୍ଦାର(୨୭)।

କଟକ ଫୁଲନଖରାରୁ କୁକୁଡ଼ା ନେବା ପାଇଁ ଡ୍ରାଇଭର ସମେତ ୭ଜଣ ଏକ ଆଇଚର ଟ୍ରକ୍‌ (ଡବ୍ଲୁବି ୨୫ ଏଲ–୩୧୮୩)ରେ ଆସିଥିଲେ। ଆଜି ଭୋର ପ୍ରାୟ ସାଢ଼େ ୪ଟାରେ ନେଉଳପୁର ନିକଟରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଟ୍ରକ୍ ପଛରେ ଆଇଚରଟି ପ୍ରବଳ ବେଗରେ ଧକ୍କା ଦେଇଥିଲା। ଖବର ପାଇ ଚଣ୍ତିଖୋଲ ଦମକଳ ବାହିନୀ ପହଞ୍ଚି ଆଇଚର ଡାଲାରେ ବସିଥିବା ମହମ୍ମଦ ଆମିରୁଲ୍ ଅଲ୍ଲୀ ସର୍ଦ୍ଦାରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଚଣା ଡାକ୍ତରଖାନାକୁ ପଠାଇଥିଲେ। ସଂକଟାପନ୍ନ ଅବସ୍ଥାରେ କଟକ ନେବା ବାଟରେ ଆମିରୁଲଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୬ଟି ଶବକୁ ଗାଡି ଡୋର୍ କାଟି ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ୨୩ ତାରିଖ ଭୋର ସମୟରେ ଏହି ଜାଗାରେ ଏକ ୧୨ଚକିଆ ଟ୍ରକ୍ (ଓଡି ୦୫ ୱାଇ ୦୧୨୮) ଛିଡ଼ା ହୋଇଥିଲା। ଏକ ଲୁହାଗୁଣ୍ତ ବୋଝେଇ ଟ୍ରକ୍(ଓଆର୍ ୦୪ କ୍ୟୁ ୨୭୯୧) ଭାରସାମ୍ୟ ହରାଇ ଏହି ଟ୍ରକ୍ ପଛରେ ପିଟି ହୋଇ ହଠାତ୍ ଜଳିଉଠିଥିଲା। ଚଣ୍ତିଖୋଲ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ଏଥିରେ ସଂପୃକ୍ତ ଟ୍ରକ୍ ଚାଳକ ଓ ଖଲାି ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ରାଜପଥରେ ଅଧଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ଦୁର୍ଘଟଣାର ୩ଦିନ ବିତି ଯାଇଥିଲେ ମଧ୍ୟ ଦୁର୍ଘଟଣାଗ୍ରସ୍ତ ଟ୍ରକ ଦୁଇଟିକୁ ସେଠାରୁ ହଟାଯାଇ ନଥିଲା। ସ୍ଥାନୀୟ ପୁଲିସ୍‌ କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷ କେହି ଏହି ଦିଗରେ ପଦକ୍ଷେପ ନେବାକୁ ଉଚିତ ମଣିନଥିଲେ। ଏଭଳି ଦାୟିତ୍ବହୀନତା କାରଣରୁ ଆଜି ୭ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର