ଚାକିରିରୁ ନିଲମ୍ବନ ହେଲେ ଯୁଯୁମୁରା ପୋଷ୍ଟ ମାଷ୍ଟର  

ସମ୍ବଲପୁର/ଯୁଯୁମୁରା: ଜମାକାରୀଙ୍କ ଟଙ୍କା ନିଜ ପାଖରେ ରଖିବା ଯୁଯୁମୁରା ପୋଷ୍ଟ ମାଷ୍ଟର ଲକ୍ଷ୍ମଣ ଭୋଇଙ୍କ ପାଇଁ ମହଂଗା ପଡ଼ିଛି। ଆର୍ଥିକ ଅନିୟମିତତା ପାଇଁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଯୁଯୁମୁରା ପୋଷ୍ଟମାଷ୍ଟର ଲକ୍ଷ୍ମଣ ଭୋଇ ଜମାକାରୀଙ୍କ ଟଙ୍କା ନିଜ ବ୍ୟକ୍ତିଗତ ଅର୍ଥ ଭାବେ ବ୍ୟବହାର କରୁଥିଲେ। ଯେଉଁମାନେ ଯୁଯୁମୁରା ଡାକଘରରେ ନିଜର ସଂଚୟ ଖାତାରେ ଟଙ୍କା ଜମା କରୁଥିଲେ ସେହି ଅର୍ଥକୁ ପୋଷ୍ଟମାଷ୍ଟର ଅତିଚତୁରତାର ସହିତ ହଡ଼ପ କରି ନେଉଥିଲେ। ପାସ୍‌ବୁକ୍‌ରେ ଟଙ୍କା ଜମା ହୋଇଥିବା ନେଇ ସେ ହାତ‌ରେ ଲେଖି ଦେଉଥିଲେ। ବାସ୍ତବରେ କିନ୍ତୁ, ସେହି ଅର୍ଥ ଆକାଉଣ୍ଟରେ ଜମା ହେଉନଥିଲା। ପୋଷ୍ଟମାଷ୍ଟର ଶ୍ରୀ ଭୋଇ ଟଙ୍କା ଜମା ନକରି ନିଜ ବ୍ୟକ୍ତିଗତ କାମରେ ତାହା ଖର୍ଚ୍ଚ କରୁଥିଲେ। କିଛିଦିନ ତଳେ ଜଣେ ବ୍ୟକ୍ତି ସନ୍ଦେହ ହେବାରୁ ସମ୍ବଲପୁର ମୁଖ୍ୟ ଡାକଘରକୁ ଆସି ତାଙ୍କ ଯାଂଚ କରାଇବା ବେଳେ ଏହି ତଥ୍ୟ ସାମ୍‌ନାକୁ ଆସିଥିଲା।

ତାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଏବଂ ପାସ୍‌ବୁକ୍‌ରେ ଉଲ୍ଲେଖ ଥିବା ଟଙ୍କା ମଧ୍ୟରେ ମେଳ ଖାଉନଥିଲା। ପାସ୍‌ବୁକ୍‌ରେ ଯେତିକି ଟଙ୍କା ‌ଥିବା ଉଲ୍ଲେଖ ରହିଥିଲା, ତା’ଠାରୁ ପାଖାପାଖି ୯୦ ହଜାର ଟଙ୍କା କମ୍ ଆକାଉଣ୍ଟରେ ରହିଥିବା ଜଣାପଡ଼ିଥିଲା। ଏହି ଘଟଣା ପରେ ଡାକ ବିଭାଗ ପକ୍ଷରୁ ଖୋଲତାଡ଼ ଆରମ୍ଭ ହୋଇଛି। ଆର୍ଥିକ ଅନିୟମିତତା ପାଇଁ ପୋଷ୍ଟମାଷ୍ଟର ଶ୍ରୀ ଭୋଇଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏ ସଂକ୍ରାନ୍ତରେ ‌ଡାକ ବିଭାଗର ଅଧୀକ୍ଷକ ବିପିନ ବିହାରୀ ନେଗିଙ୍କୁ ପଚାରିବାରୁ ସେ କହିଲେ, ପ୍ରାଥମିକ ତଦନ୍ତରୁ ୧.୮୦ ଲକ୍ଷ ଟଙ୍କା ‌ ପୋଷ୍ଟମାଷ୍ଟର ଜମା କରିନଥିବା ଜଣାପଡ଼ିଛି। ଅଭିଯୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏଏସ୍‌ପି ଶମ୍ଭୁ କୁମାର ସିଂହଙ୍କୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଛି।

ପୋଷ୍ଟମାଷ୍ଟର ରେକର୍ଡ ହେରଫେର କରିଦେବାର ବି ଆଶଙ୍କା ଥିବାରୁ ଚାକିରିରୁ ନିଲମ୍ବନ ଭଳି ପଦକ୍ଷେପ ନିଆଯାଇଛି। ‌ତେବେ, ଏଏସ୍‌ପି ଶ୍ରୀ ସିଂହ ରିପୋର୍ଟ ଦାଖଲ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ନେଗି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପୋଷ୍ଟମାଷ୍ଟର ବହୁ ଲୋକଙ୍କଠାରୁ ଏଭଳି ଟଙ୍କା ନେଇ ଜମା କରିନଥିବା ଜଣାପଡ଼ିଛି। ଜମାକାରୀମାନେ ନିଜ ଦରକାର ସମୟରେ ଆକାଉଣ୍ଟରୁ ଟଙ୍କା ବାହାର କରିବାକୁ ଗଲେ ଟଙ୍କା ଜମା ନଥିବା ଜଣାପଡ଼ିବା ପରେ ଏନେଇ ପୋଷ୍ଟମାଷ୍ଟରଙ୍କୁ ଅଭିଯୋଗ କରୁଥିଲେ। ସେହି ସମୟରେ ପୋଷ୍ଟମାଷ୍ଟର ଜଣକ ସଂପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଦେଉଥିବା ଭଳି ବି ଅଭିଯୋଗ ଆସିଛି।

ସମ୍ବନ୍ଧିତ ଖବର