ପ୍ରଥମ ପୌର ପରିଷଦ ବୈଠକ: ବଦଳିବ ପୁରୁଣା ଦୈନିକ ବଜାରର ଚେହେରା

କୋରାପୁଟ: ସ୍ଥାନୀୟ ପୌରପାଳିକା ବୈଠକ ଗୃହରେ କୋରାପୁଟ ପୌରପରିଷଦର ନବ ନିର୍ବାଚିତ କାଉନସିଲର ମାନଙ୍କୁ ନେଇ ପ୍ରଥମ ପୌରପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପୌରପାଳିକା ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ, ପୌର ପରିଷଦର ନିର୍ବାହୀ ଅଧିକାରୀ ସ୍ୱାସ୍ତିକ ଜମାଦାର ଓ ସାଂସଦ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଆର୍ଥିକ ବର୍ଷର ଆୟ ବ୍ୟୟର ମଞ୍ଜୁରୀ କରାଯାଇଥିଲା ।

ଚନ୍ଦନ ପୋଖରୀ ପାର୍କର ନିଲାମ ଓ ପୌର ପରିଷଦର କାଠ ଡିପୋର ନିଲାମ ସହ ଦୈନିକ ବଜାର,ସାପ୍ତାହିକ ହାଟ ଓ ବସଷ୍ଟାଣ୍ଡ ପାକିଂ ଫିର ନିଲାମ ଏବଂ ମହାସୁଲ ଦରବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା । ଏଥର ନୂଆ ରୂପରେ କୋରାପୁଟ ସହରର ପୁରୁଣା ଦୈନିକ ବଜାର ଦେଖିବାକୁ ମିଳିବ । ଦୈନିକ ବଜାର,ଶୁଖୁଆ ବଜାର,ମାଂସ ବଜାର,ପୁରୁଣା ହାଟପଦା ଓ ଏହାର ଆଖ ପାଖ ଅଞ୍ଚଳର ପୁନଃଉଦ୍ଧାର ସହ ବ୍ୟାପକ ଭାବେ ନବୀକରଣ କରାଯିବାର ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ଦୀର୍ଘଦିନ ଧରି ନୂତନ ଭାବେ କ୍ରୟ କରାଯାଇଥିବା ରାସ୍ତା ଝାଡୁ ମେସିନ କାର୍ଯ୍ୟକ୍ଷମ କରିବାକୁ ନେଇ ଆଲୋଚନା କରାଯାଇଥିବା ବେଳେ ମଶାଣୀର ରକ୍ଷଣାବେକ୍ଷଣ ଓ ତଦାରଖ ନିମନ୍ତେ କର୍ମଚାରୀ ନିଯୁକ୍ତି କରାଯିବ ବୋଲି ବିଶେଷ କରି ଆଲୋଚନା ହୋଇଛି । ପୌର ପରିଷଦର ସମସ୍ତ ଓାର୍ଡରେ ସ୍ୱଚ୍ଚତା ଓ ସଫେଇ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର