ମନ୍ତେଇ ନଦୀର ବାଂଶଡା ସେତୁ ନିର୍ମାଣ ଆଶା ଉଜ୍ୱଳ

ବୈତରଣୀର ତିନିତର ସେତୁ ଭାଗ୍ୟ କେବେ ଖୋଲିବ, ୨୪ ନିର୍ବାଚନ ପୂବର୍ରୁ ବ୍ୟୋମକେଶଙ୍କ ସ୍ୱପ୍ନ ପୂରଣ ହେବ ତ !

ଭଦ୍ରକ : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଏକ ବିଚ୍ଛିନ୍ନାଞ୍ଚଳ ଭାବେ ରହିଛି। ବ୍ଲକର ଉଭୟ ପାର୍ଶ୍ବରେ ଦୁଇଟି ନଦୀ ବହିଯାଇଛି। ଗୋଟିଏ ମନ୍ତେଇ ଧାମରା ପଟରୁ ଚାନ୍ଦବାଲିକୁ ବିଚ୍ଛିନ୍ନ କରି ରଖିଥିବା ବେଳେ ଆରପଟରୁ ବୈତରଣୀ ନଦୀର ତିନିତର ସେତୁ ବିଚ୍ଛିନ୍ନ କରି ରଖିଛନ୍ତି। ଉଭୟ ପଟରୁ ଲୋକେ ଚାନ୍ଦବାଲିକୁ ଆସିବାକୁ ହେଲେ ନଦୀ ଘାଟରେ ଡଙ୍ଗା ସାହାର୍ଯ୍ୟରେ ବିପଦପୂର୍ଣ୍ଣ ଜଳଯାତ୍ରା କରି ଆସିବାକୁ ପଡୁଛି। ବର୍ଷ ବର୍ଷ ଧରି ଏଇ ଦୁଇ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଦାବି ହୋଇ ଆସିବା ପରେ ରାଜ୍ୟ ସରକାର ‌ ଅନୁଦାନ ଦେଇ ଟେଣ୍ଡର କରି କାମ କରୁଥିବା ବେଳେ କାମ ପୂର୍ଣ୍ଣାଙ୍ଗ ହୋଇ ପାରୁନାହିଁ। ଏଇ ଦୁଇ ସେତୁର ନିର୍ମାଣ ପ୍ରସଙ୍ଗ ଚାନ୍ଦବାଲି ବିକାଶ ପାଇଁ ସବୁଠାରୁ ବଡ ସ୍ୱପ୍ନ। ଏଇ ସେତୁ ଦୁଇଟି ନିର୍ମାଣ ହେଲେ ଚାନ୍ଦବାଲି ବ୍ଲକ କେବଳ ଗମନା ଗମନ କ୍ଷେତ୍ରରେ ବିକାଶ ହେବ ତାହା ନୁହେଁ, ଏ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ବହୁ ବିକାଶ ସାଧନ ହେବ।

ମନ୍ତେଇ ଓ ତିନିତର ସେତୁ ନିର୍ମାଣ ପ୍ରସଙ୍ଗ ଚା‌ନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହୋଇ ରହିଛି। ଆସନ୍ତା ୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେତୁ ଦୁଇଟି ପୂର୍ଣ୍ଣାଙ୍ଗ ହେବ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ଚାନ୍ଦବାଲି –ଭଦ୍ରକ ରାସ୍ତା ନିର୍ମାଣ , ଚାନ୍ଦବାଲିରେ ବିଦ୍ୟୁତକରଣ ପାଇଁ ଗ୍ରୀଡ୍ ପ୍ରତିଷ୍ଠା, ନଅ ଶହ କୋଟିର ପାନୀୟ ଜଳ ପ୍ରକଳ୍ପ ଭଳି ଲୋକାଭିମୁଖୀ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବିଧାୟକ ବ୍ୟୋମକେଶ ରାୟ ସଫଳ ହୋଇଥିବା ବେଳେ ମନ୍ତେଇ ଓ ତିନିତର ସେତୁ ନିର୍ମାଣ ପ୍ରସଙ୍ଗରେ ସେ ଅଟକି ଯାଇଥିଲେ। ମନ୍ତେଇ ସେତୁ ନିର୍ମାଣ କାମ ୨୦୧୪ ମସିହାରୁ ଆରମ୍ଭ ହୋଇ କାମ ଅଟକି ରହିଥିଲା। ଏବେ ଏଇ କାମକୁ ପୁଣି ଚାଲୁ କରିବା ପାଇଁ ଅର୍ଥ ମଂଜୁର ହୋଇଛି। ମନ୍ତେଇ ନଦୀର ବାଂଶଡା ଘାଟର ସେତୁ ନିର୍ମାଣ କାମ ୨୦୨୧ ମସିହା ସୁଦ୍ଧା ଶେଷ ହେବ ବୋଲି ବିଧାୟକ ପ୍ରକାଶ କରିଥିବା ବେଳେ ଆରଡିର ତିନିତର ସେତୁ ନିର୍ମାଣ ପାଇଁ ଅର୍ଥ ମଂଜୁର ଓ ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ କାମ ଆଗକୁ ଯିବ ବୋଲି ସେ ମତ ଦେଇଛନ୍ତି। ଏଇ ଦୁଇଟି ନଦୀ ପ୍ରକଳ୍ପ ମୋ ରାଜନୈତିକ ଜୀବନର ସବୁଠାରୁ ବଡ ଚ୍ୟାଲେଞ୍ଜ ବୋଲି କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ।

ପ୍ରକାଶ ଥାଉକି, ୨୧ ଥର ଟେଣ୍ଡର ପରେ ୨୦୧୪ ମସିହାରେ ମନ୍ତେଇ ନଦୀର ବାଂଶଡା ଘାଟରେ ନିର୍ମାଣ କାର୍ଯ୍ୟ ‘ଟର୍ଣ୍ଣ କି’ ପଦ୍ଧତିରେ ଆରମ୍ଭ କରାଯାଇଥିଲା। ସେତୁ କାମ ଚାଲିଥିବା ବେଳେ ଏହାକୁ ନେଇ କେନ୍ଦ୍ର ଜଳ ପ୍ରାଧିକରଣ ବିଭାଗ ନଦୀ ସଂଯୋଗୀ କରଣ ଯୋଜନାରେ ମନ୍ତେଇ ନଦୀ ଆସୁଥିବାରୁ ଏଇ ନଦୀ‌ ପଥ ଦେଇ ଆଗାମୀ ଦିନରେ ଜାହାଜ ଚଳାଚଳ କରିବ ବୋଲି କହିଥିଲେ। ସେହି ଅନୁଯାୟୀ ନିର୍ମାଣାଧୀନ ପୋଲର ଡିଜାଇନ୍ ବଦଳାଇ ସାନି ନିର୍ମାଣ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୋଲର ଉଚ୍ଚତା ବୃଦ୍ଧି କରାଯିବା ସହ ନିର୍ମାଣ କରାଯାଇଥିବା ପୋଲକୁ ଭାଙ୍ଗି ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା। ବାଂଶଡା ସେତୁ ନିର୍ମାଣ ଉପରେ ଅଙ୍କୁଶ ଲାଗିବା ପରେ ସେତୁ ନିର୍ମାଣର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଥିଲା। ଫଳରେ ପୂର୍ତ୍ତ ବିଭାଗ ସେତୁ ନିର୍ମାଣ କାମକୁ ବନ୍ଦ କରି ଦେଇଥିଲା। ଚାନ୍ଦବାଲି ବିଧାୟକ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଏହାର ସମାଧାନର ରାସ୍ତା ବାହାରିଥିଲା। ଫଳରେ ସେତୁ ନିର୍ମାଣ କାମ ଆଗକୁ ଯିବା ନେଇ ସବୁଜ ସଙ୍କେତ ମିଳିଥିଲା। ସେତୁ ନିର୍ମାଣ କାମ ବନ୍ଦ ରହିବା ଓ କାର୍ଯ୍ୟ କରିବାର ଅବଧିରେ ବିଳମ୍ବ ହେବାରୁ ନିର୍ମାଣକାରୀ ଠିକା ସଂସ୍ଥା ସିଙ୍ଗଲା କନଷ୍ଟ୍ରକ୍ସନ କମ୍ପାନି ବର୍ଦ୍ଧିତ ଆର୍ଥିକ ଆକଳନ ଦାବି କରିଥିଲା। ଏହାକୁ ପୂର୍ତ୍ତ ବିଭାଗ ମଂଜୁରୀ ଦେଉନଥିଲା। ଏବେ ପୂର୍ତ୍ତ ବିଭାଗ ଏଇ ବର୍ଦ୍ଧିତ ଅର୍ଥ ପ୍ରଦାନ କରିବ ବୋଲି ମଂଜୁରୀ ପ୍ରଦାନ କରିଛି। ଅର୍ଥ ମଂଜୁର ହୋଇଥିବାରୁ ମନ୍ତେଇ ସେତୁ ନିର୍ମାଣ ପ୍ରସଙ୍ଗ ଉଜ୍ବଳ ହୋଇଛି। ବର୍ଦ୍ଧିତ ପ୍ରକଳ୍ପର ମୂଲ୍ୟ ୧୯ କୋଟିରୁ ବୃଦ୍ଧି ପାଇ ୨୮ କୋଟି ୨୯ ଲକ୍ଷରେ ପହଞ୍ଚିଛି। ଏଥିପାଇଁ ବିଧାୟକ ଡ. ରାୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେତୁ ନିର୍ମାଣ କାମ ଆରମ୍ଭ ହୋଇ ୨୦୨୧ ମସିହାରେ ଶେଷ କରାଯାଇ ଲୋକଙ୍କର ଗମନା ଗମନର ସୁବିଧା‌ କରାଯିବ। ଏଇ ରାସ୍ତା ଦେଇ ଲୋକମାନେ ଭୁବନେଶ୍ୱରରୁ କେନ୍ଦ୍ରାପଡା ପରେ ଚାନ୍ଦବାଲି ଦେଇ ମନ୍ତେଇ ନଦୀର ବାଂଶଡା ସେତୁ ଉପରେ ଧାମରା ବନ୍ଦର ନଗରୀକୁ ଯାଇପାରିବେ। ଯାହା ଅତି କମ୍ ସମୟ ମଧ୍ୟରେ ଲୋକଙ୍କର ଗମନା ଗମନ ସମ୍ଭବ ହୋଇପାରିବ।

 

କେବଳ ସେତିକି ନୁହେଁ, ଚାନ୍ଦବାଲି ବ୍ଲକର ଧାମରା ପାର୍ଶ୍ବରେ ରହୁଥିବା ୮ ପଞ୍ଚାୟତର ପ୍ରାୟ ୧୧୨ ଖଣ୍ଡ ଗ୍ରାମର ଲୋକ ବ୍ଲକ କାର୍ଯ୍ୟାଳୟକୁ ବିପଦରେ ନଦୀ ପାର ହୋଇ ଆସୁଥିବା ସବୁଦିନିଆ ନଦୀ ପାର ଦୁଃଖ ଦୂର ହେବ। ସେହିପରି ତିହିଡି, ଧାନଗର ଓ ଭଦ୍ରକ ଅଞ୍ଚଳ ଲୋକ ଧାମରା ଯିବା ପାଇଁ ନଦୀ ପାର ହେଉଥିଲେ ନହେଲେ ବାସୁଦେବପୁର ରାସ୍ତାରେ ପ୍ରାୟ ୯୫ କିଲୋମିଟରରୁ ଅଧିକ ରାସ୍ତା ଦେଇ ଧାମରାକୁ ଯାଉଥିଲେ। ମନ୍ତେଇ ସେତୁ ନିର୍ମାଣ ହେବା ସ୍ବପ୍ନ ଉଜ୍ବଳ ହୋଇଥିବା ବେଳେ ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠକୁ ଆସିବା ପାଇଁ ଚାନ୍ଦବାଲି, କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ଭକ୍ତ ବିପଦପୂର୍ଣ୍ଣ ଜଳାଯାତ୍ରା କରୁଛନ୍ତି। ତିନିତର ସେତୁ ନିର୍ମାଣ ପାଇଁ ମଧ୍ୟ ରାଜ୍ୟ ସରକାର ୨୧ ଥରରୁ ଉର୍ଦ୍ଧ୍ବ ଥର ଟେଣ୍ଡର କରି ବିଫଳ ହେବା ପରେ ଶେଷରେ ‘ଟର୍ଣ୍ଣ କି’ ପଦ୍ଧତିରେ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ରାଜି ହୋଇଥିଲେ। ତିନିତର ଠାରେ ସେତୁ ନିର୍ମାଣ ପାଇଁ ତତ୍କାଳୀନ ଟାସ୍ପୋର୍ଟ ମନ୍ତ୍ରୀ ନଡିଆ ପିଡି ଶୁଭ ଦେଇଥିଲେ। ମାତ୍ର ଏହାର ନିର୍ମାଣ କାମ ଆଉ ଆଗକୁ ନଯିବା ପ‌ରେ ଏବେ କାମ ବନ୍ଦ ହୋଇ ରହିଛି। ତିନିତର ସେତୁ ନିର୍ମାଣର ଭାଗ୍ୟ ଏବେ ରାଜ୍ୟ ସରକାରଙ୍କ ଫାଇଲ୍ ଭିତରେ ବନ୍ଧା ପଡିଥିବା ବେଳେ ଏଇ ଗଣ୍ଠିକୁ ବିଧାୟକ ଶ୍ରୀ ରାୟ କେବେ ଫାଟାଉଛନ୍ତି ତାହା ଦେଖିବାକୁ ବାକି ରହିଲା। ବିଧାୟକ ତିନିତର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ଟେଣ୍ଡର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଆରଡିବାସୀ ଦାବି ଉଠାଇଛନ୍ତି।

ସମ୍ବନ୍ଧିତ ଖବର