ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ପାଇଁ ଅଧିକ ଶହେ କୋଟି ମଞ୍ଜୁର

ଜମି ଅଧିଗ୍ରହଣ ତ୍ବରାନ୍ବିତ ‌ନହେଲେ ପୁଣି ବିଳମ୍ବିତ ହେବ!

ରାଉରକେଲା: ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ପାଇଁ ଅଧିକ ଶହେ କୋଟି ଅର୍ଥ ମଞ୍ଜୁର ହୋଇଛି। ଗତ ୭ ତାରିଖରେ ରେଳବାଇ ବୋର୍ଡ ଏହି ନିଷ୍ପତ୍ତି ନେଇଥିଲା। ଗତ ବଜେଟ୍‌ରେ ଏହି ପ୍ରକଳ୍ପ ପାଇଁ ମାତ୍ର ୧୦ କୋଟି ମଞ୍ଜୁର କରାଯାଇଥିବାବେଳେ ଚାରିଆଡ଼ୁ ସମାଲୋଚନା କରାଯାଇଥିଲା। ଏମିତିକି ଗତ ଫେବ୍ରୁଆରି ୨୪ ତାରିଖରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ରେଳବାଇ ଡିଭିଜନାଲ କମିଟି ବୈଠକରେ ସହରର ବିଭିନ୍ନ ସଙ୍ଗଠନ ଅନୁଦାନ ବୃଦ୍ଧି ଦାବି କରିଥିଲେ। ତେବେ ଏହି ଅତିରିକ୍ତ ଅର୍ଥ ମଞ୍ଜୁର ପରେ ପ୍ରକଳ୍ପ ଆଗେଇବ ନା ନାହିଁ ତାହା ସନ୍ଦେହ ଭିତରେ। କାରଣ, ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଅତ୍ୟନ୍ତ ନୈରାଶ୍ୟଜନକ।

ମୋଟ୍‌ ୧୪୯.୭୮ କିଲୋମିଟର ବିଶିଷ୍ଟ ପ୍ରକଳ୍ପ ପାଇଁ ଆହୁରି ୬୧୪.୪୯୫ ଏକର ବେସରକାରୀ ଓ ୨୬୦.୬୬୭ ଏକର ଜଙ୍ଗଲ ଜମି ଅଧିଗ୍ରହଣ କରିବାର ଆବଶ୍ୟକତା ରହିଛି। ମାତ୍ର ଜମି ଅଧିଗ୍ରହଣ ଠିକ୍‌ ଭାବରେ ଆଗେଇ ପାରୁନି। ତାଳଚେରରୁ ସୁନାଖାନୀ (୧୭.୬୨ କିଲୋମିଟର) ଯାଏଁ ଜମି ଅଧିଗ୍ରହଣ ସରିଥିବାବେଳେ ସୁନାଖାନୀ-ପାରବିଲ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ତାଳଚେର ପଟୁ ମୋଟ ୫୩ କିଲୋମିଟର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇଥିବାବେଳେ ବାକି ଶହେ କିଲୋମିଟର ପାଇଁ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇନି। ପ୍ରକଳ୍ପ ତ୍ବରାନ୍ବିତ ତଥା ନିର୍ଦ୍ଧାରିତ ସମୟରେ ସଂପନ୍ନ କରିବାକୁ ହେଲେ ବିମଳାଗଡ଼ ପଟୁ ମଧ୍ୟ ଜମି ଅଧିଗ୍ରହଣ କରିବାର ଆବଶ୍ୟକତା ରହିଛି। ବିଡ଼ମ୍ବନା, ଏପଟୁ ଏଯାଏଁ ଗୋଟିଏ ଡିସିମିଲ୍‌ ଜମି ବି ଅଧିଗ୍ରହଣ ହୋଇପାରିନି। ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଯଦି ସୁଧାର ନ ଆସେ, ତା’ହେଲେ ରେଳ ବିଭାଗର ରେଳଧାରଣା ବିଛା ବେଗ ଅନୁସାରେ ଏହି ପ୍ରକଳ୍ପ ଶେଷ ହେବାକୁ ଆହୁରି ୧୦ ବର୍ଷ ଲାଗିଯିବ।

ପ୍ରକାଶଥାଉକି, ଏହି ପ୍ରକଳ୍ପ ପାଇଁ ଗତ ୧୯ଟି ବଜେଟ୍‌ରେ ମୋଟ୍‌ ୧୪୯୭ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିମଧ୍ୟ‌ରୁ ୮୭୪.୮୯ କୋଟି ବ୍ୟୟ କରାଯାଇସାରିଲାଣି। ଏମିତିକି ରେଳବାଇ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ପାଖରେ ୩ ଶହ କୋଟି ଟଙ୍କା ପଇଠ କରାଯାଇଛି। କିନ୍ତୁ ଜିଲ୍ଲା ପ୍ରଶାସନର ଅପରାଗତା ଯୋଗୁଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଶିଥିଳତା ଦେଖାଦେଇଛି। ସମସ୍ୟାର ସମାଧାନ କରି ତୁରନ୍ତ ଜମି ଅଧିଗ୍ରହଣ କରିବାକୁ ସ୍ଥାନୀୟ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର