ବିପଦସଂକୁଳ ଅବସ୍ଥାରେ ନେସା ଡ୍ୟାମ୍‌ର ବନ୍ଧ; ସ୍ଥାୟୀ ମରାମତି କରିବାକୁ ସ୍ଥାନୀୟ ଲୋକଙ୍କ ଦାବି

ଝରାଡ଼ିହି: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍‌ କାଙ୍କି ପଞ୍ଚାୟତରେ ନେସା ଡ୍ୟାମ୍‌ ରହିଛି। ତେବେ ଏହି ଡ୍ୟାମ୍‌ର ବନ୍ଧ ଏବେ ବିପଦସଂକୁଳ ଅବ୍ୟବସ୍ଥାରେ। ୬ ମାସ ତଳେ ଡ୍ୟାମ୍‌ ବନ୍ଧର କିଛି ଅଂଶରୁ ଅତଡ଼ା ଖସିଥିଲା। ଫଳରେ ବିଭାଗୀୟ ଅଧିକାରୀ ବିନା ସୂଚନାଫଳକରେ ଉକ୍ତ ସ୍ଥାନରେ ବାଲି, ମାଟି ଓ ପଥର ପକାଇ ଦେଇଥିଲେ। ତେବେ ବର୍ତ୍ତମାନ ବନ୍ଧର ପୂର୍ବାବସ୍ଥା ଫେରିଛି। ବନ୍ଧଟି ଏବେ ଆଗ ପରି ବିପଦସଂକୁଳ ଅବସ୍ଥାରେ ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ବନ୍ଧର ସ୍ଥାୟୀ ମରାମତି କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ସୂଚନା ଥାଉକି ନେସା ଡ୍ୟାମ୍‌ ଉପରେ କାଙ୍କି ପଞ୍ଚାୟତ ଅଧୀନ ହେରଗଡ଼ା, ଇନ୍ଦକୋଳି, ପଇଲାକୁଦା, ଉପର କାଙ୍କି, ବାଗଡ଼େଗା, ବିଞ୍ଜୁଆ, ନିମଡ଼ିହି, କାଙ୍କି, ବାଗଡ଼େଗା ଏବଂ ଶଶ ପଞ୍ଚାୟତର ବାରୁଡ଼ିହି, କୁମ୍ଭିଦା, ଶଶ, କୁଲଗୀ, ମୁରୁତଘୁଟୁ ଗ୍ରାମର ଚାଷୀମାନେ ଚାଷ କାମ ପାଇଁ ନିର୍ଭର କରନ୍ତି। ଯଦି ଡ୍ୟାମ୍‌ର ବନ୍ଧ ଭାଙ୍ଗିଯାଏ, ତେବେ ବହଳଦା ସହ ତିରିଂ ବ୍ଲକ୍‌ର ଅନେକ ଗାଁ’ରେ ବ୍ୟାପକ କ୍ଷୟକ୍ଷତି ହେବ ‌ବୋଲି ଆକଳନ କରାଯାଉଛି।

ଅନ୍ୟପଟେ ଡ୍ୟାମ୍‌ରୁ ଯେଉଁ କେନାଲ୍‌ଗୁଡ଼ିକ ଦେଇ ପାଣି ଚାଷୀଙ୍କ ବିଲରେ ପହ‌ଂଚେ, ସେହି କେନାଲ୍‌ଗୁଡ଼ିକ ମଧ୍ୟରୁ ଅଧିକାଂଶ କେନାଲ୍‌ ଭାଙ୍ଗିଯାଇଛି। ସେହିପରି ପ୍ରସ୍ତାବିତ ଅନେକ କେନାଲ୍‌ କଂକ୍ରିଟ୍‌ ହୋଇପାରିନାହିଁ। ଯାହାଫଳରେ ଚାଷଜମିକୁ ଆବଶ୍ୟକ ଅନୁସାରେ କେନାଲ୍‌ ପାଣି ପହଞ୍ଚି ପାରୁନାହିଁ। ତେଣୁ ଏହି ସମସ୍ୟାର ମଧ୍ୟ ସମାଧାନ କରିବାକୁ ଚାଷୀମାନେ ଦାବି ଉଠାଇଛନ୍ତି।

ସମ୍ବନ୍ଧିତ ଖବର