ଧାମନଗର ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ନିରଞ୍ଜନ

ଧାମନଗର/ଅସୁରାଳି : କଂଗ୍ରେସ ପକ୍ଷରୁ ଧାମନଗରରେ ନିର୍ବାଚନୀ ପ୍ରଚାର ଜୋର୍‌ଦାର ହୋଇଛି। ଏହି ପ୍ରଚାରରେ ଦଳର ଷ୍ଟାର ପ୍ରଚାରକ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠନେତା ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।

ରାଜ୍ୟରେ ଦୁର୍ନୀତି ଓ ଅରାଜକତା ବଢ଼ି ଚାଲିଛି। ବିକାଶକୁ ଆୟୁଧ କରି ରାଜ୍ୟ ସରକାର ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି। ଏଭଳି ସରକାରଙ୍କୁ ହଟାଇବା ପାଇଁ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସେଠୀଙ୍କୁ ବିଜୟୀ କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଧାମନଗରବାସୀଙ୍କୁ ନିବେଦନ କରିଥିଲେ। ସେହିଭଳି, ପୂର୍ବତନ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ବିଭିନ୍ନ ସାମଗ୍ରୀର ଅତ୍ୟଧିକ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କରିଛି। ଖାଉଟି ସାମଗ୍ରୀର ଦରଦାମ ବୃଦ୍ଧି ‌ସହିତ ବେକାରୀ ସମସ୍ୟା ଉତ୍କଟ ହେଲାଣି। ନିଯୁକ୍ତି ନାହିଁ କି ବିକାଶ ନାହିଁ। ବିକାଶ ନାମରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଏବେ ସହର ଠାରୁ ଗାଁ ସବୁଠି ନାରୀ ଅସୁରକ୍ଷିତ। ନାରୀଙ୍କୁ ସମ୍ମାନର ନାରା ଦେଉଥିବା ଓଡ଼ିଶାରେ ନାରୀ ନିର୍ଯାତନା ଠାରୁ ଆରମ୍ଭ କରି ଦୁଷ୍କର୍ମ ବଢ଼ି ଚାଲିଛି। ଓଡିଶାରେ ‌ବିକାଶ ସହିତ ଧାମନଗର ମାଟିର ସ୍ବାଭିମାନ ରକ୍ଷା ପାଇଁ ବାବା ହରେକୃଷ୍ଣ ସେଠୀଙ୍କୁ ବିଜୟୀ କରିବାକୁ ସେ କହିଥିଲେ। ଅନ୍ୟତମ ବରିଷ୍ଠନେତା ବିଧାୟକ ସୁରେଶ ରାଉତରାୟ ଯୋଗଦେଇ ୨୦୧୪ ମସିହାରେ କଂଗ୍ରେସ କ୍ଷମତାକୁ ଆସିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର