ଭୁବନେଶ୍ୱରରେ ପହଞ୍ଚିଲେ  ପିସିସି ସଭାପତି ନିରଞ୍ଜନ ; ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ନିଯୁକ୍ତ ହେବା ପରେ ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱର ପହଞ୍ଚିଛନ୍ତି । ତାଙ୍କ ସହିତ ଏଆଇସିସି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ଏଆଇସିସି ସଂପାଦକ ରୁଦ୍ର ରାଜୁ, ଅନିଲ୍‌ କୁମାର ଚୌଧୁରୀ, ସେକ୍‌ ମସ୍ତାନ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ତିନିଜଣ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ବାଳ, ନବ ଦାସ ଓ ପ୍ରଦୀପ ମାଝି  ଏବଂ ବିଭିନ୍ନ ପଦବି ଅଳଙ୍କୃତ କରିଥିବା ପଦାଧିକାରୀମାନେ ମଧ୍ୟ ସନ୍ଧ୍ୟା ସାଢେ ୬ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।

ନବନିଯୁକ୍ତ ସଭାପତି ଶ୍ରୀ ପଟ୍ଟନାୟକ ଏବଂ ଅନ୍ୟମାନଙ୍କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଶ୍ରୀ ପଟ୍ଟନାୟକ ଓ ଅନ୍ୟ ନେତାଙ୍କୁ କଂଗ୍ରେସ ଭବନକୁ ନିଆଯାଉଛି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଶନିବାର ସନ୍ଧ୍ୟା ସାଢେ ୭ଟାରେ କଂଗ୍ରେସ ଭବନ ପରିସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନୂଆ ପିସିସି ସଭାପତି ଏବଂ ଅନ୍ୟମାନେ ସମ୍ବର୍ଦ୍ଧନା ସଭାରେ ଉଦ୍‌ବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ପିସିସି ଓ ଏଆଇସିସି ସଦସ୍ୟ, ପିସିସି କର୍ମକର୍ତ୍ତା, ସମସ୍ତ ଛାମୁଆ ସଂଗଠନର ସଭାପତିଙ୍କ ସହିତ କର୍ମକର୍ତ୍ତା, ସମସ୍ତ ପ୍ରକୋଷ୍ଠ ବିଭାଗର ମୁଖ୍ୟ ଓ କର୍ମକର୍ତ୍ତାଙ୍କ ସହିତ ଦଳୀୟ କର୍ମୀମାନେ ଉପସ୍ଥିତ ରହିବାକୁ ପିସିସି ପକ୍ଷରୁ ଅନୁରୋଧ କରାଯାଇଛି।

ପରେ ସତ୍ୟନଗରର ରୟାଲ୍‌ ସୁଟ୍‌ ସଭାକକ୍ଷରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ଶ୍ରାଦ୍ଧ ଦିବସରେ କଂଗ୍ରେସ ନେତାମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ସେଠାରୁ ସେମାନେ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ରାତ୍ରୀଯାପନ କରିବେ।

୨୨ ତାରିଖ ରବିବାର ସକାଳ ସାଢେ ୯ଟାରେ କଂଗ୍ରେସ ଭବନରେ ସଭାପତି ଓ ଅନ୍ୟ ନେତୃମଣ୍ଡଳୀ ବିଧାୟକ ଓ ବିଭିନ୍ନ ଛାମୁଆ ସଂଗଠନର ପ୍ରତିନିଧି, ଜିଲ୍ଲା ସଭାପତି ଓ କର୍ମକର୍ତ୍ତାମାନଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

 

ସମ୍ବନ୍ଧିତ ଖବର