ଆସିକା ସମବାୟ ଚିନିଶିଳ୍ପରେ ଧଳାହାତୀ ‌ପୋଷା: ଆଖୁଚାଷୀ, ଚାଷକୁ ପ୍ରୋତ୍ସାହନ ଚିନ୍ତା ନାହିଁ

ଆସିକା : ସମଗ୍ର ଏସିଆରେ ଗଞ୍ଜାମ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଆସିକାର ଚିନିଶିଳ୍ପ ପାଇଁ ମୁଖ୍ୟ ଆବଶ୍ୟକ ଆଖୁର ଉତ୍ପାଦନ ହ୍ରାସ ପାଇଁ ଏକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଉଭା ହୋଇଛି। ୨୦୧୩ ମସିହା ଫାଇଲିନ୍ ବାତ୍ୟାର କ୍ଷତି ପରେ ଆଖୁଚାଷ ପ୍ରତି ଚାଷୀ ବିମୁଖ ହୋଇଯାଇଛନ୍ତି। ଫଳରେ କ୍ରମାଗତ ଭାବେ ଆଖୁଚାଷ ହ୍ରାସ ପାଇବାରେ ଲାଗିଥିବା ବେଳେ ଚାଷୀଙ୍କୁ ପ୍ରୋତ୍ସାହନ ସମେତ ବିଭିନ୍ନ ଜ୍ଞାନକୌଶଳ ବିଷୟରେ ତାଲିମ ଦେବାକୁ ଚିନିଶିଳ୍ପ କର୍ତ୍ତୃପକ୍ଷ ଆଗ୍ରହ ଦେଖାଉନାହାନ୍ତି। ସେପଟେ ଆସିକାର ଚିନିଶିଳ୍ପ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ଚିନିଶିଳ୍ପ ପରିଚାଳନା ଦାୟିତ୍ବରେ କେବଳ ବଡ଼ବଡ଼ିଆ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଉଛି ସିନା, ଆଖୁଚାଷୀଙ୍କ ହିତ ଚିନ୍ତା କରିବାକୁ ଯେମିତି କାହା ପାଖରେ ସମୟ ନାହିଁ। ଫଳରେ ଚାଷୀମାନଙ୍କ ମହଲ‌ରେ ଅସନ୍ତୋଷ ତେଜିବାରେ ଲାଗିଛି। ଆଗକୁ ସରକାର ଏଦିଗରେ ଦୃଷ୍ଟି ନଦେଲେ, ଆସିକା ଚିନିଶିଳ୍ପ ବନ୍ଦ ହେବା ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ମତପ୍ରକାଶ ପାଇଛି।

ଆଖୁଚାଷୀଙ୍କ ଉଦ୍ୟମ ଏବଂ ସହଯୋଗରେ ହିଁ ଆସିକା ଚିନିଶିଳ୍ପ ଆରମ୍ଭ ହୋଇଥିଲା। ଗଞ୍ଜାମ ଜିଲ୍ଲାର ଆସିକା, ଶେରଗଡ଼, ଧରାକୋଟ, ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର, କୋଦଳା, ବେଲଗୁଣ୍ଠା ଓ ସାନଖେମୁଣ୍ଡି ସମେତ ୧୬ଟି ବ୍ଲକ୍‌ରେ ସହସ୍ରାଧିକ ଏକର ଜମିରେ ଆଖୁଚାଷ ହେଉଥିଲା। ଫଳରେ ଚିନିଶିଳ୍ପରୁ କର୍ମଚାରୀଙ୍କ ସମେତ ଚାଷୀ ମାନେ ମଧ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଉପକୃତ ହେଉଥିଲେ।

କିନ୍ତୁ ୨୦୧୩ ମସିହା ଫାଇଲିନ୍ ବାତ୍ୟା ଓ ୨୦୧୪ରେ ହୁଡ୍‌ହୁଡ୍ ବାତ୍ୟା ଆଖୁଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି। ବାତ୍ୟା ପରେ ପରେ ପ୍ରବଳ ବର୍ଷା ଯୋଗୁଁ ଆଖୁଚାଷ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଥିଲା। କିନ୍ତୁ ନା ଚିନିଶିଳ୍ପ କର୍ତ୍ତୃପକ୍ଷ ନା ସରକାର, କେହିବି ଆଖୁଚାଷୀଙ୍କୁ ପ୍ରୋତ୍ସାହନ ଦେବାରେ ଆଗ୍ରହ ଦେଖାଇ ନଥିଲେ। ଇତିମଧ୍ୟରେ ପାଖାପାଖି ୧୦ ବର୍ଷ ବିତିସାରିଥିବା ବେଳେ ନିୟମିତ ଭାବେ ଆଖୁଚାଷ ହ୍ରାସ ପାଇଛି। କିଛି ଚାଷୀଙ୍କ କହିବାନୁସାରେ, ଗତ ୯ ବର୍ଷ ମଧ୍ୟ‌ରେ ଆଖୁଚାଷ ୫୦ ପ୍ରତିଶତ ହ୍ରାସ ପାଇ ୪୦ହଜାର ମେଟ୍ରିକ୍ ଟନ୍‌ରେ ପହଞ୍ଚିଛି।

ସବୁଠୁ ଚିନ୍ତାର ବିଷୟ ହେଉଛି, ପୂର୍ବରୁ ୪ରୁ ୫ ମାସ ଧରି ଶିଳ୍ପରେ ୧ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଆଖୁପେଡ଼ା ହେଉଥିଲା। କିନ୍ତୁ ତାହା ହ୍ରାସ ପାଇଛି। ଗତବର୍ଷ ୩୦ ଦିନ ମଧ୍ୟରେ ଚିନିଶିଳ୍ପରେ ମାତ୍ର ୩୫ ହଜାର ମେଟ୍ରିକ୍‌ ଟନ୍ ଆଖୁପେଡ଼ା ଶେଷ ହୋଇଥିଲା। ଚଳିତବର୍ଷ ପାଇଁ ଗତ ୧୨ ତାରିଖରୁ ଆଖୁପେଡ଼ା ଆରମ୍ଭ ହୋଇଥିବା ବେଳେ ତାହା ବି ମାସକ ମଧ୍ୟରେ ସରିଯିବ। ଫଳରେ ଆଗକୁ କେତେ ପରିମାଣର ଆଖୁ ଚିନିଶିଳ୍ପକୁ ଯୋଗାଣ ହେବ ଓ କେତେଦିନ ଧରି ଆଖୁପେଡ଼ା ହେବ ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଖୁପେଡ଼ା ସହିତ ମଦ ପ୍ରସ୍ତୁତି କାରଣରୁ ଚିନିଶିଳ୍ପ ଆଜି ପର୍ଯ୍ୟନ୍ତ ତିଷ୍ଠି ପାରିଛି। ମଦରୁ ମିଳୁଥିବା ଲାଭାଂଶରୁ ଚିନିଶିଳ୍ପ ଚାଲିଛି। ଅନ୍ୟପକ୍ଷରେ ଯେଉଁ ସରକାରୀ ସହାୟତା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ଫଳରେ ଚିନିଶିଳ୍ପର ପୁନରୁଦ୍ଧାର ଓ ଆଖୁଚାଷୀଙ୍କୁ ପ୍ରୋତ୍ସାହନ କରିବାକୁ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଏକାନ୍ତ ଆବଶ୍ୟକ ହୋଇ ପଡ଼ିଛି। ଗତ କିଛିମାସ ହେଲା ଚିନିଶିଳ୍ପରେ ପରିଚାଳନା ନିର୍ଦ୍ଦେଶକ ପଦରେ କେହି ସ୍ଥାୟୀ ଅଧିକାରୀ ନାହାନ୍ତି। ଅତିରିକ୍ତ ଜିଲ୍ଲାପାଳ ଏହି ଦାୟିତ୍ବରେ ରହିଛନ୍ତି। ଆଖୁଚାଷର ଉନ୍ନତି ପାଇଁ ଶିଳ୍ପରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସହ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲେ ବି କୌଣସି ସୁଫଳ ମିଳୁନି। କେବଳ କାଗଜପତ୍ର ଓ ଫାଇଲ୍ ଚାଷରେ ଏହା ସୀମିତ ହୋଇ ରହିଛି।

ଆଖୁଚାଷୀ ସଂଘ ସଭାପତି ସମୀର ପ୍ରଧାନ କହିଛନ୍ତି, ପରିଚାଳନାଗତ ତ୍ରୁଟି ସହିତ ଉନ୍ନତମାନର ବିହନ ଓ ଜ୍ଞାନକୌଶଳ, ଉଚିତ୍ ଦର ଓ ଜଳସେଚନ ଆଦି ସମସ୍ୟା ହେତୁ ଆଖୁଚାଷ ପ୍ରତି ଚାଷୀ ବିମୁଖ ହେଉଛନ୍ତି। ଚିନିଶିଳ୍ପ କର୍ତ୍ତୃପକ୍ଷ ଆଗ୍ରହ ମଧ୍ୟ ଦେଖାଉନାହାନ୍ତି। ସେହିପରି ଚିନିଶିଳ୍ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ, ଏହାକୁ ଶୀଘ୍ର ମରାମତି କରାଯାଉନି। ଫଳ‌ରେ ବିଲରେ ପଡ଼ି ଆଖୁ ଶୁଖୁଛି। ଚିନିଶିଳ୍ପ ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢ଼ୀ କହିଛନ୍ତି, ଚଳିତବର୍ଷ ୨୦୦୯ ଏକର ଜମିରୁ ପ୍ରାୟ ୪୦ ହଜାର ଟନ ଆଖୁପେଡ଼ା ପାଇଁ ଲକ୍ଷ୍ୟ ରହିଛି। ଆଖୁଚାଷ କ୍ଷେତ୍ରରେ ଶ୍ରମିକ ସମସ୍ୟା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର