ସିଝୁଛି ଓଡ଼ିଶା: ସକାଳ ସାଢ଼େ ୮ଟା ସୁଦ୍ଧା ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ ଟପିଲା

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୁରୁବାର ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟର ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ ଟପିଛି । ତାଳଚେର ୩୫.୮ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଅନୁଗୁଳ ଓ ବାଲେଶ୍ୱରରେ ତାପମାତ୍ରା ୩୫ ଡିଗ୍ରୀ, ଜଗତସିଂହପୁରରେ ୩୪.୮, ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରେ ତାପମାତ୍ରା ୩୩.୪ ଡିଗ୍ରୀ ରହିଛି। ଗୁରୁବାରଠାରୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆହୁରି ଦୁଇ ଦିନ ଯାଏ ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କିଛି ଅଞ୍ଚଳରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।

ଗୁରୁବାରଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ରାଜ୍ୟର ୪ଟି ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହି ଜିଲ୍ଲାଗୁଡିକ ହେଉଛି ମୟୂରଭଞ୍ଜ, ନୟାଗଡ, ନୂଆପଡା ଓ ଗଜପତି । ଏହି ୪ ଜିଲ୍ଲାକୁ ସିଭିୟର ହିଟ ୱେଭ ପାଇଁ ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ତେବେ ୨୦ ତାରିଖରୁ ୨୩ ତାରିଖ ମଧ୍ୟରେ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର