ନକଲି ଡାକ୍ତର ରମେଶର କ୍ରାଇମ୍ ସିଣ୍ଡିକେଟ୍ ଖୋଲୁଛି ପୁଲିସ: ଭାଇର କାରନାମା ପାଇଁ ଭଉଣୀ ଅଟକ

ଅଟକ ରଖି ପଚରାଉଚରା, ଭିଣୋଇ ଫେରାର, ଆହୁରି ୩ ମାମଲା ରୁଜୁ, ଆଜି ସରୁଛି ରିମାଣ୍ଡ

ଭୁବନେଶ୍ବର: ନକଲି ଡାକ୍ତର ରଙ୍ଗିଲା ରମେଶର ଏବେ ସୁଦ୍ଧା ୧୮ ପତ୍ନୀଙ୍କ ହିସାବ ପାଇଛି ପୁଲିସ। ସେହି ୧୮ ପତ୍ନୀଙ୍କର କିନ୍ତୁ ଥିଲେ ଜଣେ ନଣନ୍ଦ। ରମେଶର ଭଉଣୀ ରଶ୍ମିତା ବେଉରା। ଯେଉଁ ମହିଳା ବାହା ହୋଇ ଆସୁଥିଲେ ଏକମାତ୍ର ନଣନ୍ଦ ରଶ୍ମିତାଙ୍କ ପାଇଁ ଆଣୁଥିଲେ ନଣନ୍ଦ ପୁଟୁଳି। ସେଥିରେ ରହୁଥିଲା ନଗଦ ଟଙ୍କା, ସୁନା ଅଳଙ୍କାର, ଦାମୀ ଶାଢ଼ି ଓ ଅନ୍ୟ ସାମଗ୍ରୀ। ଖାଲି ନଣନ୍ଦ ପୁଟୁଳି ନେଉ ନ ଥିଲେ ବରଂ ଭାଇ ରମେଶ ଏକାଧିକ ମହିଳାଙ୍କୁ ବିବାହ କରି ଠକିବା, ପ୍ରତାରଣା କରିବା ଭଳି ଅପରାଧରେ ଭାଗିଦାର ମଧ୍ୟ ଥିଲେ। ଏ ନେଇ ଜଣେ ମହିଳା ଅଭିଯୋଗ କରିବା ପରେ ଆଜି କଟକ ଅସୁରେଶ୍ବର ଅଞ୍ଚଳରୁ ରଶ୍ମିତାଙ୍କୁ ଉଠାଇ ଆଣିଛି ପୁଲିସ। ମହିଳା ଥାନାରେ ମାରାଥନ୍ ଜେରାକରି ତଥ୍ୟ ପ୍ରମାଣ ବାହାର କରିବାକୁ ଚେଷ୍ଟା କରୁଛି ତଦନ୍ତକାରୀ ଟିମ୍। ସେହିପରି ରମେଶର କ୍ରାଇମ ସିଣ୍ଡିକେଟ୍‌ରେ ସମ୍ପୃକ୍ତ ତା’ର ଭିଣୋଇ ଗଣେଶ ବେଉରା ଫେରାର ହୋଇଯାଇଛି।

ପୁଲିସକୁ ମିଳିଥିବା ତଥ୍ୟ ଅନୁସାରେ, ନକଲି ଡାକ୍ତର ପରିଚୟ ଦେଇ ମାଟ୍ରିମୋନି ସାଇଟ୍ ଜରିଆରେ ରମେଶ ଯେଉଁ ମହିଳାଙ୍କ ସହ ବିବାହ ପାଇଁ ଯୋଗାଯୋଗ କରୁଥିଲା ସେଥିରେ ତା’ ଭଉଣୀ ଓ ଭିଣୋଇ ଦୁଇଜଣ ସହଯୋଗ କରୁଥିଲେ। ଏପରିକି ମେଡିକାଲ ଆଡମିସନ୍, ଚାକିରି, ବିଭିନ୍ନ ବ୍ୟବସାୟୀଙ୍କୁ ଚୂନ ଲଗାଇବାରେ ଗଣେଶର ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ଗଣେଶକୁ ଖୋଜିବା ପାଇଁ ଗୋଟିଏ ଟିମ୍ ଅସୁରେଶ୍ବର, ବାଲେଶ୍ବର, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ଚଢ଼ଉ ଜାରି ରଖିଛି। ସେହିପରି ଡ୍ରାଇଭର ପପୁର ମଧ୍ୟ ସମ୍ପୃକ୍ତି ରହିଛି। ସବୁଠୁ ବଡ଼ କଥା ହେଲା ରମେଶକୁ ପୂରା ଠକେଇରେ ସହଯୋଗ କରି ଆସୁଥିବା ତା’ର ଦ୍ବିତୀୟ ଡାକ୍ତରାଣୀ ପତ୍ନୀଙ୍କୁ ଖୋଜୁଛି ପୁଲିସ। ବିବାହ ପ୍ରସ୍ତାବ ପଡ଼ିବା ଠାରୁ ଶେଷହେବା ପର୍ଯ୍ୟନ୍ତ ସେ ପାଖେ ପାଖେ ରହୁଥିଲେ। କାହାକୁ କେମିତି ଜାଲରେ ଫସାଯିବ ରମେଶ ସହ ମିଶି ତା’ର ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ଠକେଇ ଟଙ୍କା ପପୁ ଓ ଦ୍ବିତୀୟ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ପୁଲିସ ଜାଣିବାକୁ ପାଇଛି। ରମେଶ ଧରାପଡ଼ିବା ପରେ ସେମାନେ ଫେରାର ହୋଇ ଆତ୍ମଗୋପନ କରିଥିବା ତଦନ୍ତକାରୀ ଟିମ୍ ସନ୍ଦେହ କରୁଛି। ଆସନ୍ତାକାଲି ରିମାଣ୍ଡ ଅବଧି ଶେଷ ହେଉଥିବାରୁ କ୍ରାଇମ୍ ସିଣ୍ଡିକେଟ୍‌ରେ ସମ୍ପୃକ୍ତ ରହି ଫେରାର ଥିବା ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାକୁ ଚେଷ୍ଟା କରୁଛି। ରମେଶର ଭିଣୋଇ, ଦ୍ବିତୀୟ ପତ୍ନୀ, ଡ୍ରାଇଭର ଗିରଫ ହେବାପରେ ପୂରା ଠକେଇର ଗୁମର ଖୋଲିବ ବୋଲି ପୁଲିସ ଆଶା ରଖିଛି। ଏପରିକି ସମସ୍ତେ ଧରାପଡ଼ିବା ପରେ ଠକେଇ ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ଠକେଇର ଶିକାର ହୋଇଥିବା ଆନ୍ଧ୍ରପ୍ରଦେଶ ରାଜମୁନ୍ଦ୍ରିର ଫଳ ବ୍ୟବସାୟୀ ଭେଙ୍କଟ ରମଣ ଆଜି ମହିଳା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଚାରା କିଣି ରମେଶ ୪ ଲକ୍ଷ ଟଙ୍କାର ଚୂନ ଲଗାଇଛି। ସେହିପରି କିଛି ଫଳ ମଧ୍ୟ ଆଣିଛି। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରିଛି। ମେଡିକାଲ ଆଡମିସନ ନାଁରେ ଠକେଇର ଶିକାର ହୋଇଥିବା ଜଗତସିଂହପୁର ଅଞ୍ଚଳର ଅଭୟ କୁମାର ଦାସ ଆଜି ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖଣ୍ଡଗିରି ଅଞ୍ଚଳରେ ଟଙ୍କା କାରବାର ହୋଇଥିବାରୁ ସେଠାରେ ସେ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଆସନ୍ତାକାଲି(ବୁଧବାର) ରିମାଣ୍ଡ ଅବଧି ଶେଷ ହେଉଥିବାରୁ ପୁଲିସ ରମେଶକୁ କୋର୍ଟରେ ହାଜର କରି ପୁଣି ରିମାଣ୍ଡରେ ଆଣିପାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର