ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ: ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ଅନୁଧ୍ୟାନ ପରେ ଝଡ଼

ଶ୍ରୀମନ୍ଦିର ଅସୁରକ୍ଷିତ, ତେବେ ଐତିହ୍ୟ କରିଡର୍‌ କାହା ପାଇଁ?

ପୁରୀ: ଶ୍ରୀମନ୍ଦିରର ୭୫ ମିଟର ପରିଧିରେ ଖନନ ହେଲେ ବିପଦ ମାଡ଼ି ଆସିବ। ଶ୍ରୀମନ୍ଦିରରେ ଫାଟ ସହ ଭୁଶୁଡ଼ିବା ପରିସ୍ଥିତି ସୃଷ୍ଟି ହେବ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି. ବିଦ୍ୟାଭାରତୀ ଓ ତାଙ୍କ ଟିମ୍‌ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ସହ ମିଳିତ ବୈଠକରେ ଏଭଳି ଆଶଙ୍କା ବ୍ୟକ୍ତ କରିବା ପରେ ଭକ୍ତ, ସେବାୟତ ମହଲରେ ଝଡ଼ ସୃଷ୍ଟି ହୋଇଛି। ଭକ୍ତ ଓ ସେବାୟତ ପ୍ରଶ୍ନ କରିଛନ୍ତି, ଐତିହ୍ୟ କରିଡର ପ୍ରକଳ୍ପ ଶ୍ରୀମନ୍ଦିର ସୌନ୍ଦର୍ଯୀକରଣ ପାଇଁ ହେଉଛି। କିନ୍ତୁ ଯଦି ଶ୍ରୀମନ୍ଦିର ଅସୁରକ୍ଷିତ, ତେବେ ଐତିହ୍ୟ କରିଡର୍‌ କାହା ପାଇଁ? ଏଠି ବିକାଶକୁ ଆମେ ବିରୋଧ କରୁନୁ, କିନ୍ତୁ ଶ୍ରୀମନ୍ଦିର ସୁରକ୍ଷାକୁ ଅବହେଳା ଅକ୍ଷମଣୀୟ ବୋଲି ସେବାୟତ ମହଲ ମତ ଦେଇଛନ୍ତି। ଏ ଉପରେ ବିଷଦ୍‌ ବିଚାରବିମର୍ଶ ହେବା ଦରକାର ବୋଲି କହିଛନ୍ତି। ଏଭଳି ବିବାଦ ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ପ୍ରକଳ୍ପ ନେଇ ସନ୍ଦିହାନ ପରିସ୍ଥିତି ସୃଷ୍ଟି କରିଛି।

ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ର ଶିଳାନ୍ୟାସ ପରେ ଏବେ ପ୍ରକଳ୍ପ କାମ ଆରମ୍ଭ ହୋଇଛି। ପ୍ରକଳ୍ପର ଟେଣ୍ଡର ନେଇଥିବା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ପଶ୍ଚିମ ଦ୍ବାର ଓ ପୂର୍ବ-ଦକ୍ଷିଣଦ୍ବାର କୋଣରେ ଏ ନେଇ ଖନନ କାର୍ଯ୍ୟ ବି ଜୋରସୋର ଚଳାଇଛି। ଏଠାରେ ୧୫ରୁ ୨୦ ଫୁଟ୍‌ ଉଚ୍ଚର ଗର୍ତ୍ତ କରାଯାଇଛି। ସେ ପୁଣି ଜେସିବି ଲଗାଇ। ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ଏକାଧିକ ସ୍ଥାନରେ ଏଭଳି ଗର୍ତ୍ତ କରାଯାଇଛି। ପଶ୍ଚିମଦ୍ବାର ସମ୍ମୁଖରୁ ମାତ୍ର ୨୦ ଫୁଟ୍‌ ଦୂରରେ ଏଭଳି ଖନନ କାର୍ଯ୍ୟ କରାଯାଉଛି। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ପ୍ରତ୍ନତତ୍ତ୍ବ ବିଭାଗ। ଏତେ ପାଖରେ ଖନନ କରାଯାଉଥିବାରୁ ଶ୍ରୀମନ୍ଦିର ପ୍ରତି ଏହା ବିପଦ ସାଜିଛି ବୋଲି ମତ ରଖିଛନ୍ତି। ଚତୁଃପାର୍ଶ୍ବ ମାଟି ଖନନର କମ୍ପନ ବି ଶ୍ରୀମନ୍ଦିରର ବହୁ ପୁରାତନ କୀର୍ତ୍ତିରାଜିକୁ ବିପଦ ଭିତରକୁ ଠେଲିଦେବ ବୋଲି କହିଛନ୍ତି।

ଶ୍ରୀମନ୍ଦିର ବରିଷ୍ଠ ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ପ୍ରତ୍ନତତ୍ତ୍ବ ବିଭାଗ ଯାହା ଆକଳନ କରୁଛି, ତାହା ଉଦ୍‌ବେଗଜନକ। ଏଣୁ ଏହାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ହେବା ଦରକାର। ବିନା ଆଲୋଚନା, ଅନୁଧ୍ୟାନରେ ଐତିହ୍ୟ କରିଡର ପ୍ରକଳ୍ପ କାମ ଆଗେଇବା ଅନୁଚିତ। ଯଦି ଏହି ପ୍ରକଳ୍ପ ପାଇଁ ଶ୍ରୀମନ୍ଦିରକୁ ସାମାନ୍ୟ ବିପଦ ଆସିଲା, ତେବେ ଏହା ଅକ୍ଷଣମଣୀୟ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବଚନ୍ଦ୍ର ପୂଜାପଣ୍ଡା ସାମନ୍ତ କହିଛନ୍ତି, ଗତକାଲି ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଯାହା କହିଗଲେ, ସେ ଉପରେ ବିଶଦ୍‌ ଆଲୋଚନା ହେବା ଦରକାର। ବିନା ଆଲୋଚନାରେ କୌଣସି ପଦକ୍ଷେପ ନେବା ଗ୍ରହଣୀୟ ନୁହେଁ। ସମାଜସେବୀ ଦିଲୀପ କୁମାର ବରାଳ କହିଛନ୍ତି, ଶ୍ରୀମନ୍ଦିର ଅଧିକାରୀମାନେ ବାରମ୍ବାର ମିଛ କହିବାରେ ଲାଗିଛନ୍ତି। ରୁପା ଦ୍ବାର ଲାଗିବା ପୂର୍ବରୁ ଏନଏମଏ ଅନୁମୋଦନ ଆବଶ୍ୟକ ଥିଲା। କିନ୍ତୁ ବିନା ଅନୁମୋଦନପତ୍ରରେ ଐତିହ୍ୟସଂପନ୍ନ ଶ୍ରୀମନ୍ଦିର କବାଟକୁ ଖୋଲି ଦିଆଗଲା। ଏବେ ଐତିହ୍ୟ କରିଡର ପ୍ରକଳ୍ପ କାମ ଚାଲିଛି। ଏଥିପାଇଁ ବି ଏନଏମଏ ଅନୁମୋଦନ ଆବଶ୍ୟକ ଥିବାବେଳେ ବିନା ଅନୁମୋଦନରେ ପ୍ରକଳ୍ପ କାମ ଆରମ୍ଭ ହୋଇସାରିଲାଣି। ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି. ବିଦ୍ୟାଭାରତୀଙ୍କ ପୁରୀ ଗସ୍ତ ଓ ଐତିହ୍ୟ କରିଡର ପ୍ରକଳ୍ପ ପରିଦର୍ଶନ ପରେ ୧୦୦ ମିଟର ପରିଧି ବାହାରେ ନିର୍ମାଣ କାର୍ଯ୍ୟ କରିବାକୁ ଯୁକ୍ତି ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର