କଟକ ବଡ଼ ମେଡିକାଲର ନିଦାନ ବିଭାଗରେ ପୁଣି ବିଦ୍ୟୁତ୍ ବିଭ୍ରାଟ: ୬ ଘଣ୍ଟା ହେଲା ଲାଇନ ନାହିଁ, ରୋଗୀ ହନ୍ତସନ୍ତ

କଟକ: କଟକ ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା। ଆଜି ପୁଣି ନିଦାନ ବିଭାଗରେ ବିଦ୍ୟୁତ୍ ବିଭ୍ରାଟ ହୋଇଛି। ସୂଚନା ଅନୁସାରେ ନିଦାନ ବିଭାଗରେ ପ୍ରାୟ ୬ଘଣ୍ଟା ହେଲାଣି ବିଦ୍ୟୁତ ନାହିଁ। ନିଦାନ ବିଭାଗରେ ବିଦ୍ୟୁତ ନ ଥିବାରୁ ବିଭିନ୍ନ ପରୀକ୍ଷା ବାଧାପ୍ରାପ୍ତ ହୋଇଛି। ରକ୍ତ ପରୀକ୍ଷା ଓ ସିଟି ସ୍କାନ ବନ୍ଦ ରହିଛି। ଏହାଫଳରେ ବହୁ ଗୁରୁତର ରୋଗୀଙ୍କ ଚିକିତ୍ସାରେ ସମସ୍ୟା ଉପୁଜିଛି। ଏଣେ ଏନେଇ ବିଦ୍ୟୁତ ବିଭାଗକୁ ଧ୍ୟାନ ଦେବା ଲାଗି ଏସସିବି ଅଧୀକ୍ଷକ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି କଟକ ବଡ଼ ଡାକ୍ତରଖାନାରେ ବିଦ୍ୟୁତ ବିଭ୍ରାଟ୍‌ ଯୋଗୁଁ ବିଭିନ୍ନ ବିଭାଗ ଘଣ୍ଟାଘଣ୍ଟା ଧରି ଅନ୍ଧାର ରହିଥିଲା। ଏଥିଯୋଗୁଁ ମେଡ଼ିସିନ୍‌ ବିଭାଗରେ ରୋଗୀଙ୍କୁ ମୋବାଇଲ୍‌ ଲାଇଟ୍‌ରେ ଇଞ୍ଜେକ୍ସନ୍‌ ଦିଆଯାଇଥିଲା। ଶବ ସଂରକ୍ଷଣ ଗୃହରେ ଲାଇନ୍‌ ନ ଥିବାରୁ ସମ୍ପୃକ୍ତ ଅଞ୍ଚଳ ଦୁର୍ଗନ୍ଧରେ ଫା‌ଟି ପଡ଼ିଥିଲା। କିଛି ଘଣ୍ଟା ପରେ ଡିଜିରେ ବିଦ୍ୟୁତ୍‌ ଯୋଗାଣ କରାଯାଇଥିଲା। ଏହାସତ୍ତ୍ବେ ୱାର୍ଡରେ ପଙ୍ଖା ନ ଚାଲିବାରୁ ରୋଗୀମାନେ ହନ୍ତସନ୍ତ ହୋଇଥିଲେ। ଏପରି କି, ପମ୍ପ ହାଉସ୍‌ରେ ଲାଇନ୍‌ ନ ଥିବାରୁ ଦିନ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡକୁ ଜଳଯୋଗାଣ ହୋଇପାରି ନ ଥିଲା। କେବୁଲ୍‌ ସମସ୍ୟା ଯୋଗୁଁ  ସକାଳ ୭ଟାରୁ ଏସ୍‌ସିବି ଆନାଟୋମି ବିଭାଗ, ଶବ ସଂରକ୍ଷଣ ଗୃହ, ଶବ ବ୍ୟବଚ୍ଛେଦ ଗୃହ, ସ୍କିନ୍ ବିଭାଗ, ମେଡ଼ିସିନ୍‌ ବିଭାଗର କିଛି ଅଂଶ, ମେରୁଦଣ୍ଡ ଆଘାତ କେନ୍ଦ୍ର, ପମ୍ପ ହାଉସ୍‌, ଲଣ୍ଡ୍ରି ପ୍ଲାଣ୍ଟ ଆଦିରେ ବିଦ୍ୟୁତ୍‌ ସେବାରେ ଏଭଳି ବିଭ୍ରାଟ ଦେଖା ଦେଇଥିବା ଜଣାଯାଇଥିଲା। ଫଳରେ ଚିକିତ୍ସା ପ୍ରଭାବିତ ହୋଇଥିଲା ବେଳେ ୱାର୍ଡରେ ରୋଗୀମାନେ ହନ୍ତସନ୍ତ ହୋଇଥିଲେ। ପରେ ଡିଜି ଯୋଗେ ଲାଇନ ଦିଆଯାଇଥିଲେ ମଧ୍ୟ ପଙ୍ଖା ଚାଲି ନ ଥିଲା। ସେହିପରି ଏସ୍‌ସିବିର ଓଟି ଓ ଆଇସିୟୁରେ ଏସି ଠିକ୍‌ ଭାବେ କାମ କରୁ ନ ଥିବା ଏବଂ ଅନେକ ଏସି ଅଚଳ ହୋଇପଡ଼ିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର