ବିଜେଡିରେ ଯୋଗଦେଲେ ପ୍ରଦୀପ

‘ପ୍ରତି ସେକେଣ୍ଡରେ ଶକ୍ତିଶାଳୀ ହେଉଛି ବିଜେଡି’
ରାଜ୍ୟର ସଫଳତା, କେନ୍ଦ୍ରର ବିଫଳତାର ଚିତ୍ରଦେଲେ ପ୍ରଣବ

ନବରଙ୍ଗପୁର : ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆଜି ବିଧିବଦ୍ଧ ବିଜେଡିରେ ଯୋଗଦେଇଛନ୍ତି। ନୂଆ ଦଳରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ବିଜେଡି ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦୀପଙ୍କୁ ଦଳରେ ସ୍ବାଗତ କରିଛନ୍ତି।

ନବରଙ୍ଗପୁର ସର୍କିଟ ସମ୍ମୁଖ ପଡ଼ିଆରେ ଶନିବାର ଅପରାହ୍ନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣ ବର୍ଷରେ ବିଜେଡିର ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ। ରାଜ୍ୟର ଯଦି ବିକାଶ ହୋଇଛି କେବଳ ବିଜେଡି ସରକାର ପାଇଁ। ତେଣୁ ଲୋକେ ‌ହୃଦୟ ଖୋଲା ସମର୍ଥନ ଦେଇ ଆସୁଛନ୍ତି। ଅନ୍ୟପଟେ କେନ୍ଦ୍ରରେ ଭାଗୀଦାରୀ ସରକାର ଚାଲିଛି। ସବୁ ବିକ୍ରି କରି ଦେଉଛନ୍ତି। ତେଣୁ ଏସବୁ ଜଗିବା ସମୟ ଆସିଛି। ଏପରିକି ଉପାନ୍ତ ଅଞ୍ଚଳରୁ ଆରମ୍ଭ ହୋଇ ମୟୂରଭଞ୍ଜ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ। ୧୯୯୯ ମସିହା ମହାପ୍ରଳୟ ପରେ ଓଡ଼ିଶାକୁ ଜାହାଜରେ ଚିରା ଲୁଗା ଆସିଥିଲା। ଏବେ ସେହି ଜାହାଜରେ ଓଡ଼ିଶାରୁ ଅମ୍ଳଜାନ ଯୋଗାଣ ହେଉଛି। ଏହାହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପଲବ୍ଧି। କାଳିଆ ଓ ମମତା ଭଳି ଯୋଜନା ଓଡ଼ିଶା ସରକାର କଲେ। ତାହାକୁ କେନ୍ଦ୍ର ସରକାର ଗ୍ରହଣ କରିଲେ। ଆଗକୁ ଭାରତ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନିଶ୍ଚିତ ଭାବେ ଆପଣେଇବେ ବୋଲି ପ୍ରଣବପ୍ରକାଶ କହିଥିଲେ।

ଦଳରେ ଯୋଗଦେବାପରେ ପ୍ରଦୀପ କହିଥିଲେ ଯେ ବିଜେଡି ଗୋଟିଏ ମାତ୍ର ଦଳ ଯିଏ ପ୍ରତି ନିର୍ବାଚନରେ ଆକଳନ ଠାରୁ ଅଧିକ ସଫଳତା ପାଉଛି। ବର୍ତ୍ତମାନ ପରିସ୍ଥିତିରେ ବିଜେଡି ସରକାର ପ୍ରତି ସେକେଣ୍ଡରେ ଶକ୍ତିଶାଳୀ ହୋଇ ଚାଲିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଆଖିରେ ଆଖିଏ ସ୍ବପ୍ନ ନେଇ ସମର୍ଥନଙ୍କ ସହ ବିଜେଡି ଆସିଛନ୍ତି। ଆଉ ତାଙ୍କ ସ୍ବପ୍ନ ପୂରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଆଉ କେହି କରିପାରିବେ ନାହିଁ।

ବୈଠକରେ ଯୋଗ ଦେଇଥିବା ଦୁଇ ପୂର୍ବତନ ବିଧାୟକ ବିଧାୟକ ଚନ୍ଦ୍ର ‌ଶେଖର ମାଝୀ ଓ କୈଳାସ ଚନ୍ଦ୍ର କୁଲେସିକା କେନ୍ଦ୍ର ସରକାରଙ୍କୁ ସମାଲୋଚନା ସହ କଂଗ୍ରେସକୁ କଟାକ୍ଷ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିୟାନ, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବରି‌ଷ୍ଠ ନେତା ଚନ୍ଦ୍ର ଶେଖର ବେହେରା, ନବରଙ୍ଗପୁର ବିଧା‌ୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ତପନ ଦେବନାଥ ପ୍ରମୁଖ ପ୍ରଦୀପ ମାଝୀଙ୍କୁ ସ୍ବାଗତ ଜଣାଇଥିଲେ।

ସମ୍ବନ୍ଧିତ ଖବର