ମହୁମାଛି ପାଳନ ଆତ୍ମନିଯୁକ୍ତିର ପ୍ରକୃଷ୍ଟ ମାଧ୍ୟମ

ବୈଜ୍ଞାନିକ ପଦ୍ଧତ୍ତିରେ ମହୁମାଛି ପାଳନ ସମ୍ବନ୍ଧୀୟ କର୍ମଶାଳା

ଭୁବନେଶ୍ବର : ରାଜ୍ୟ ସରକାର କୃଷକମାନଙ୍କ ଆୟକୁ ଦ୍ବିଗୁଣିତ କରିବାକୁ ଲକ୍ଷ୍ୟ ରଖିଥିଲା ବେଳେ ମହୁମାଛି ପାଳନ କରି କୃଷକମାନେ ସେମାନଙ୍କ ଆୟ ବୃଦ୍ଧି କରିପାରିବେ। ରାଜ୍ୟର ଜଳବାୟୁ, ପର୍ଯ୍ୟାପ୍ତ ଜଙ୍ଗଲ ସମ୍ପଦ, ଉଦ୍ୟାନ ଓ କୃଷିଭିତ୍ତିକ ପରିବେଶ ମହୁମାଛି ପାଳନ ପାଇଁ ଅତ୍ୟନ୍ତ ଉପଯୋଗୀ। ତେଣୁ ମହୁମାଛି ପାଳନ ରାଜ୍ୟର ଯୁବକ, ଯୁବତୀଙ୍କୁ ଆତ୍ମନିଯୁକ୍ତି ଓ କର୍ମସଂସ୍ଥାନ ଯୋଗାଇବା ଦିଗରେ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ଆଜି କୃଷି ଭବନରେ ଆୟୋଜିତ ବୈଜ୍ଞାନିକ ପଦ୍ଧତ୍ତିରେ ମହୁମାଛି ପାଳନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ କର୍ମଶାଳାକୁ ଉଦ୍‌ଘାଟନ କରି ଶ୍ରୀ ସାହୁ କହିଲେ, ମହୁମାଛିକୁ ବ୍ୟବସାୟଭିତ୍ତିକ, ଆନୁଷଙ୍ଗିକ ରୋଜଗାର କିମ୍ବା ଜୀବିକା ଅର୍ଜନ ପନ୍ଥା ଭାବେ ଗ୍ରହଣ କରାଯାଇପାରିବ। ରାଜ୍ୟରେ ମିଳୁଥିବା ମହୁ ଉତ୍କୃଷ୍ଟ ମାନର ହୋଇଥିବାରୁ ଏହାର ବଜାର ଚାହିଦା ରହିଛି। ଅଧିକ ମହୁମାଛି ପାଳନ ଦ୍ବାରା ମହୁ ଉତ୍ପାଦନ ବୃଦ୍ଧି ପାଇବା ସହ ପରାଗ ସଙ୍ଗମ ଦ୍ବାରା ଖାଦ୍ୟଶସ୍ୟ ଉତ୍ପାଦନ ଆଶାତୀତ ଭାବେ ବୃଦ୍ଧି ପାଇବ। ଓଡ଼ିଶାରେ ୧୫ ଲକ୍ଷରୁ ଅଧିକ ମହୁମାଛି ଦଳ ପାଳନ କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଥିଲା ବେଳେ ବୈଜ୍ଞାନିକ ଭିତ୍ତି‌େର ମହୁମାଛି ପାଳନ ନିମନ୍ତେ ରାଜ୍ୟ ସରକାର ‌ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ।

କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ମହୁମାଛି ପାଳନ ନିଗରେ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଥିଲେ। କୃଷି ଉତ୍ପାଦନ କମିସନର୍ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ, ସବୁ ବର୍ଗର ଲୋକ ଘରୋଇ ଭାବେ କିମ୍ବା ବ୍ୟବସାୟିକ ଭିତ୍ତିରେ ମହୁମାଛି ପାଳନ କରିପାରିବେ। ପ୍ରତ୍ୟେକ ଜିଲ୍ଲାରେ ଏପରି କର୍ମଶାଳା ଆୟୋଜନ ଉପରେ ସେ ଗୁରୁତ୍ବାରୋପ କରିଥିଲେ। କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ଭୂମିହୀନ ଚାଷୀଙ୍କ ନିମନ୍ତେ ମହୁମାଛି ପାଳନ ଏକ ଉପଯୁକ୍ତ ପନ୍ଥା ବୋଲି କହିଥିଲେ। ଓୟୁଏଟି କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ, କୃଷି ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଓ ଗବେଷକ ଚିତ୍ତରଞ୍ଜନ ଶତପଥୀ ପ୍ରମୁଖ ବୈଜ୍ଞାନିକ ପଦ୍ଧତ୍ତିରେ ମହୁଚାଷ, ମହୁ ଉତ୍ପାଦନ, ବଜାର ବ୍ୟବସ୍ଥା ଓ ଭିତ୍ତିଭୂମି ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ୧୦ ଜଣ ଅଗ୍ରଣୀ ମହୁମାଛ ପାଳନକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ କୃଷି ଭବନରେ ପରିସରରେ ମହୁମାଛି ପାଳନ ସମ୍ବନ୍ଧୀୟ ଜ୍ଞାନକୌଶଳର ଏକ ପ୍ରଦର୍ଶନୀ ଆ‌େୟାଜିତ ହୋଇଥିଲା।

ସମ୍ବନ୍ଧିତ ଖବର