ଡାଲି ଓ ତୈଳବୀଜ ସଂଗ୍ରହ ମେ’ ୭ରୁ, ସାମାଜିକ ଦୂରତ୍ବ ଓ ମାର୍ଗଦର୍ଶିକା କଡ଼ାକଡ଼ି ଲାଗୁ ହେବ

ଭୁବନେଶ୍ବର : ଆସନ୍ତା ମେ’ ୭ ତାରିଖରୁ ମାର୍କଫେଡ୍‌ ପକ୍ଷରୁ ଚାଷୀଙ୍କ ଠାରୁ ଡାଲି ଓ ତୈଳବୀଜ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରାଯିବ। ଏହା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। କରୋନା ପରିପ୍ରେକ୍ଷୀ‌େର ଏହି ସଂଗ୍ରହ ସମୟରେ ସାମାଜିକ ଦୂରତ୍ବ ଓ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ‌ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ସଂଗ୍ରହ କେନ୍ଦ୍ରଗୁଡ଼ିକରେ ସାମାଜିକ ଦୂରତ୍ବ ବଜାୟ ରଖିବା ସହ ୫ ଜଣରୁ ଅଧିକ ଚାଷୀ ଏକାଠି ନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ରବି ଋତୁ ୨୦୧୯-୨୦ରେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ରାଜ୍ୟରେ ୧୪,୧୨୧ ମେଟ୍ରିକ୍ ଟନ୍ ମୁଗ, ୫୪୨୫ ମେଟ୍ରିକ୍ ଟନ୍ ଚିନାବାଦାମ, ୮୭୫୦ ମେଟ୍ରିକ୍ ଟନ୍ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯିବ। କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ବିରି ସଂଗ୍ରହ କରାଯିବ। ଭାରତ ସରକାରଙ୍କ ଦ୍ବାରା ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇଛି। ଏଫ୍‌ଏକ୍ୟୁ ମାନର ମୁଗର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୭,୦୫୦ ଟଙ୍କା, ବିରି କ୍ବିଣ୍ଟାଲ ପିଛା ୫,୭୦୦ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜି କ୍ବିଣ୍ଟାଲ ପିଛା‌ ୫,୬୫୦ ଟଙ୍କା ଏବଂ ଚିନାବାଦାମ କ୍ବିଣ୍ଟାଲ ପିଛା ୫,୦୯୦ ଟଙ୍କା ସ୍ଥିର କରାଯାଛଛି। ନାଫେଡ୍‌ ପକ୍ଷରୁ ରାଜ୍ୟରେ ମାର୍କଫେଡ୍‌ ବିଭିନ୍ନ ପ୍ୟାକ୍ସ, ଲ୍ୟାମ୍ପସ୍‌, ନିୟନ୍ତ୍ରିତ ବଜାର କମିଟି ଜରିଆରେ ଏହାକୁ ସଂଗ୍ରହ କରିବ। ଏଥି ନିମନ୍ତେ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ସଂଗ୍ରହ କେନ୍ଦ୍ର ନିର୍ଦ୍ଧାରଣ କରି ଚାଷୀମାନଙ୍କର ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ସଂପୃକ୍ତ ସଂସ୍ଥାଗୁଡ଼ିକୁ ଅବଗତ କରାଯିବା ସହ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରକୃତ ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ନାମ ପଞ୍ଜୀକରଣ ପ୍ରକ୍ରିୟା ମେ’ ୭ ତାରିଖ ମଧ୍ୟରେ ଶେଷ କରାଯିବ। ଡାଲି ଓ ତୈଳବୀଜ ଉତ୍ପାଦନ ହାରକୁ ଦୃଷ୍ଟିରେ ରଖି ଏକର ପିଛା ୩ କ୍ବିଣ୍ଟାଲ ମୁଗ ଓ ବିରି ଧାର୍ଯ୍ୟ କରାଯାଇଥିଲା ବେଳେ ଏକର ପିଛା ୮ କ୍ବିଣ୍ଟାଲ ଚିନାବାଦାମ ଓ ୫ କ୍ବିଣ୍ଟାଲ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରିବା ପାଇଁ ସ୍ଥିର କରାଯାଇଛି। ସଂଗ୍ରହ ବାବଦକୁ ଦେୟ ଅର୍ଥ ସିଧାସଳଖ ଚାଷୀଙ୍କ ଆକାଉଣ୍ଟ୍‌କୁ ଯିବ। ରାଜ୍ୟର ୧୬ଟି ଜିଲ୍ଲାରେ ଡାଲି ଓ ତୈଳବୀଜ ସଂଗ୍ରହ କରାଯିବ। ଏହି ଜିଲ୍ଲାଗୁଡ଼ିକ ହେଉଛି ନୂଆପଡ଼ା, ବାଲେଶ୍ବର, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ରାୟଗଡ଼ା, କଳାହାଣ୍ଡି, ମାଲାକାନଗିରି, ବରଗଡ଼, ଯାଜପୁର, ଖୋର୍ଦ୍ଧା ଓ କେନ୍ଦୁଝର।

ସମ୍ବନ୍ଧିତ ଖବର