୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ: ମା’ଙ୍କ ପାଇଁ ପ୍ରତି ଘରୁ ଆସିବ ସିନ୍ଦୂର

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ପୂଜକ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତର। ଚଳିତ ମାସ ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ ହେବ। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜକମାନେ ନବୀନନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ। ମା’ ସମଲେଶ୍ବରୀଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ଲୋକାର୍ପଣ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡ଼ିଆ ଦିଆଯିବ ଏବଂ ସବୁ ଘରୁ ମା’ଙ୍କ ପାଇଁ ସିନ୍ଦୂର ଆସିବ। ମା’ ସମଲେଶ୍ବରୀଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ। ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମା’ଙ୍କ ଆଶୀର୍ବାଦରୁ ସବୁ କାମ ଭଲରେ ଭଲରେ ଚାଲିଛି ଏବଂ ଆଗକୁ ମଧ୍ୟ ସବୁ କାମ ଭଲରେ ହେବ। ସମସ୍ତଙ୍କ ସହଯୋଗରେ ରୂପାନ୍ତର କାମ ଜାରି ରହିବ।

ସୂଚନାଯୋଗ୍ୟ ଯେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଷୋଡ଼ଶ ଶତାବ୍ଦୀର ଏକ ପ୍ରସିଦ୍ଧ ପୀଠ। ଏହାର ଉନ୍ନତି ପାଇଁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମନ୍ଦିରର ସୌନ୍ଦର୍ଯ୍ୟୀକରଣ ସହିତ ଭକ୍ତମାନଙ୍କ ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତୀକରଣ କରାଯାଉଛି । ଏହି ପ୍ରକଳ୍ପର ଠିକ୍‌ କାର୍ଯ୍ୟାନ୍ବୟନ ପାଇଁ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଅନେକ ଥର ସମ୍ବଲପୁର ଯାଇ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପୂର୍ବରୁ ସେମାନେ ମା’ ସମଲେଶ୍ବରୀଙ୍କୁ ପୂଜା କରି ମା’ ପାଟଣେଶ୍ୱରୀ, ମା’ ଦଶମତୀ, ମା’ ବାଟମଙ୍ଗଳା, ସୋମନାଥ ବାବା ଏବଂ ଭୁବନେଶ୍ୱରରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ। ସମଲେଶ୍ବରୀ ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁ, ପ୍ରଫୁଲ୍ଲ ହୋତା, ହେମନ୍ତ ମିଶ୍ର, ସନ୍ତୋଷ ପୃଷେଠ, ମହେନ୍ଦ୍ର ପୂଜାରୀ, ମୁଖ୍ୟ ପୂଜକ ଅମ୍ବିକା ରାୟ, ପୂଜକ ଓକିଲ ରାୟ, ପବିତ୍ର ରାୟ, ପ୍ରକାଶ ରାୟ, ଯକ୍ଷ ରାୟ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର