ଆଜିଠାରୁ ଜେଡିୟୁ ଓ ଆପ୍‌ ସହ ଆସନ ବଂଟନ ଆଲୋଚନା: ଖୁର୍ସିଦ୍‌

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି (ରବିବାର) ଠାରୁ ଜେଡିୟୁ ଓ ଆମ୍‌ ଆଦମୀ ପାର୍ଟି ସହ କଂଗ୍ରେସର ଆସନ ବଣ୍ଟନ ଆଲୋଚନା ଆରମ୍ଭ ହେବ। କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ୍‌ ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ଇଣ୍ଡିଆ-ମେଣ୍ଟର ଆସନ ବୁଝାମଣା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇ ଖୁର୍ସିଦ୍‌ କହିଛନ୍ତି ଯେ ଦଳ ପ୍ରଥମେ ଯେଉଁ ସହଯୋଗୀ ଦଳ ଏଥିପାଇଁ ପ୍ରସ୍ତୁତ ସେମାନଙ୍କ ସହ ଆଲୋଚନା କରିବ। ପରବର୍ତୀ ସମୟରେ ଅନ୍ୟ ଦଳଗୁଡ଼ିକ ସହ ଏନେଇ ଆଲୋଚନା ହେବ। ରବିବାର ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଆସନ ବୁଝାମଣା ପାଇଁ ଆପ୍‌ ସହ ଆଲୋଚନା ହେବ। ସେହି ଦିନ ହିଁ ଜେଡିୟୁ ସହ ଆଲୋଚନା ହେବ। ଅନ୍ୟ ଦଳଗୁଡ଼ିକ ଯେତେବେଳେ ଚାହିଁବେ, ସୁବିଧା ଅନୁସାରେ କଂଗ୍ରେସ ସହ ଆଲୋଚନା କରିପାରିବେ ବୋଲି ସେ କହିଛନ୍ତି।

ପଞ୍ଜାବରେ କଂଗ୍ରେସ ସହ ଆସନ ବୁଝାମଣା ନେଇ ଆପ୍‌ କୁଣ୍ଠା ପ୍ରକାଶ କରିଛି। ପଂଜାବରେ କଂଗ୍ରେସ-ଆପ୍‌ ମେଣ୍ଟ ହେଲେ ଏହା ଆପ୍‌ରେ ବିପର୍ଯ୍ୟୟ ଆଣିପାରେ ଏବଂ ବିଜେପି ଓ ଅକାଳୀ ଦଳ ଆଡ଼କୁ ଭୋଟର୍‌ ପୁଣି ମୁହାଁଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିଭଳି ପଶ୍ଚିମ ବଙ୍ଗରେ କଂଗ୍ରେସକୁ ୭ଟି ଆସନ ଛାଡ଼ିବାକୁ ତୃଣମୂଳ କଂଗ୍ରେସ ସ୍ପଷ୍ଟ ମନା କରିଦେଇଛି। ଏହି ପ୍ରସଙ୍ଗରେ ଖୁର୍ସିଦ୍‌ କହିଛନ୍ତି ଯେ ଏନେଇ ଏକ ନୀତି ନିର୍ଦ୍ଧାରଣ କରାଯିବ । ଏହା ଉପରେ କଂଗ୍ରେସ ଏକପାଖିଆ ଭାବେ ନିଷ୍ପତ୍ତି ନେବ ନାହିଁ ବରଂ ଇଣ୍ଡିଆ-ମେଣ୍ଟର ସହଯୋଗୀ ଦଳଙ୍କ ପରାମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର