ଇଂଜିନିୟର ହେବାର ସ୍ୱପ୍ନ ଦେଖିଥିଲେ ସନ୍ଦୀପ, ବାହାନଗା ଟ୍ରେନ୍‌ ଦୁର୍ଘଟଣା ନେଲା ଜୀବନ

ବାଲେଶ୍ବର: ଇଂଜିନିୟର ହେବା ପାଇଁ ସ୍ବପ୍ନ ଦେଖିଥିଲେ। ଏହି ସ୍ପପ୍ନ ପୂରଣ କରିପାରିଲେ ନାହିଁ ବସ୍ତା ବ୍ଲକ ଅଧୀନ ସାହାଡା ଗାଁର ସନ୍ଦୀପ ଦାସ। ପାଠ ପଢିବା ସରିବା ପରେ ଏବେ ଜଣେ ଯନ୍ତ୍ରୀ ହୋଇଥାନ୍ତେ। ହେଲେ ତାଙ୍କର ଏହି ବଡ଼ ସ୍ୱପ୍ନ ମାଟିରେ ମିଶିଯାଇଛି। ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ଶୁକ୍ରବାର ସନ୍ଧ୍ୟାରେ ସନ୍ଦୀପଙ୍କ ଜୀବନର ଦୀପ ଲିଭିଯାଇଛି।

ସଂପର୍କୀୟଙ୍କ କହିବା ଅନୁସାରେ ସନ୍ଦୀପଙ୍କ ମାଉସୀ ଓ ଭଉଣୀ ଚିକତ୍ସା ପାଇଁ କଟକ ଆସିବାର ଥିଲା। ସେମାନେ ସନ୍ଦୀପଙ୍କୁ ନେଇ ମଧ୍ୟ ଏହି କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନରେ ଏସସିବି ପାଇଁ ବାହାରି ଆସିଥିଲେ। ହେଲେ କିଏ ଜାଣିଥିଲା ବାଟରେ ଜଗିଥିଲା ଯମ। ବାହାନଗାରେ ଘଟିଥିଲା ଏହି ଦୁର୍ଘଟଣା । ଦୁର୍ଘଟଣାରେ ମାଉସୀ, ଭଉଣୀଙ୍କ ସହ ସନ୍ଦୀପଙ୍କ ପାଲଟିଗଲେ ଶବ। ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚିଥିଲେ ପରିବାର ଲୋକେ । ଆଉ ଗୋଟି ଗୋଟି କରି ଚିହ୍ନଟ କରିଥିଲେ ସମସ୍ତଙ୍କୁ। ବେଶ ହୃଦୟ ବିଦାରକ ଦୃଶ୍ୟ ଥିଲା ଯୁବକଙ୍କ ଏହି ମୃତ୍ୟୁ। ତାଙ୍କ ମୃତ୍ୟୁକୁ ନା ଗ୍ରହଣ କରିପାରୁଥିଲା ମା’, ନା ଗ୍ରହଣ କରିପାରୁଥିଲା ଭଉଣୀ। ସ୍ତବ୍ଧ ହୋଇଯାଇଥିଲେ ସନ୍ଦୀପଙ୍କ ପରିବାର ଲୋକମାନେ । ପୁଅର ମୃତଦେହ ଦେଖି କୋହ ସମ୍ଭାଳିପାରୁନଥିଲେ । ପୁରା ଗାଁରେ ମୃତ୍ୟୁ ନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟିପଡୁଥିଲା ପରିବେଶ। ଆଉ ତାରି ଭିିତରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର