ଏମିତି ବି ଆସେ ମୃତ୍ୟୁ ! ବଡ଼ଭାଇଙ୍କ ଶବ ଦେଖି ଟଳିପଡ଼ିଲେ ସାନ

ପାଳଲହଡ଼ା: ବଡ଼ଭାଇଙ୍କ ମୃତଦେହ ଆଖି ଆଗରେ ଦେଖି ଧୈର୍ଯ୍ୟ ଧରି ପାରିଲେନି। ଅକସ୍ମାତ ହୃଦ୍‌ଘାତରେ ଟଳିପଡ଼ିଲେ ସାନଭାଇ। ଗାଁ ଶ୍ମଶାନରେ ଦୁଇଭାଇଙ୍କ ଚିତା ଏକ ସମୟରେ ଜଳିଲା। ଏଭଳି ହୃଦୟବିଦାରକ ଘଟଣା ଘଟିଛି ପାଳଲହଡ଼ା ବ୍ଲକ୍‌ ନୂଆସିଡ଼ିଙ୍ଗ ଗାଁରେ। ମୃତ ଦୁଇଭାଇ ‌ହେଉଛନ୍ତି ପାଳଲହଡ଼ା ରାଜବଂଶର ଦାୟାଦ। ପାଳଲହଡ଼ା ଇତିହାସରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଛି। ଏହା ଏବେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ପାଳଲହଡ଼ା ରାଜ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ପାଳଲହଡ଼ା ରାଜାସାହେବ ସ୍ବର୍ଗତ ଶରତ ଚନ୍ଦ୍ର ମୁନିପାଳଙ୍କ ନାତି ତଥା ଲାଲୁସାହେବ ନାରାୟଣ ଚନ୍ଦ୍ର ପାଳଙ୍କ ବଡ଼ପୁଅ ଦୀପକ କୁମାର ପାଳ(୬୨) ଦୀର୍ଘଦିନ ହେଲା କର୍କଟରେ ପୀଡ଼ିତ ହୋଇ କଟକ ଆଚାର୍ଯ୍ୟ ହରିହର ଚିକିତ୍ସାକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ଗତକାଲି ଅପରାହ୍ଣ ୩ଟାରେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିଲା। ତାଙ୍କ ମରଶରୀର ନୂଆସିଡିଙ୍ଗ ସ୍ଥିତ ବାସଭବନରେ ରାତି ୧୦ଟାବେଳେ ଆସି ପହଞ୍ଚିଥିଲା। ମୃତଦେହ ଦେଖିବା ପରେ ତାଙ୍କ ତଳ ଭାଇ ତିରୁମଲ ପ୍ରସାଦ ପାଳ (୫୯)ଙ୍କର ହଠାତ୍‌ ହୃଦ୍‌ଘାତ ହୋଇଥିଲା। ତାଙ୍କୁ ପାଳଲହଡ଼ା ଡାକ୍ତରଖାନାରେ ରାତି ୧୨ଟା ବେଳେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋ‌ଷଣା କରିଥିଲେ। ଆଜି ସକାଳେ ଏହା ପ୍ରଚାରିତ ହେବା ପରେ ସମଗ୍ର ପାଳଲହଡ଼ା ଅଂଚଳ ଶୋକରେ ବୁଡ଼ିଯାଇଥିଲା। ମୃତ ଦୁଇଭାଇଙ୍କ ବଡ଼ବାପା ପୁଅ ଭାଇ ତଥା ବର୍ତ୍ତମାନର ପାଳଲହଡ଼ା ରାଜା ରାମଚନ୍ଦ୍ର ମୁନିପାଳ, ବିଧାୟକ ମୁକେଶ ପାଳଙ୍କ ସମେତ ଆତ୍ମୀୟସ୍ବଜନ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଦୁଇଭାଇଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମରଶରୀର ଶ୍ମଶାନକୁ ନେବାବେଳେ ଶହ ଶହ ଲୋକ ଉଭୟ ପାର୍ଶ୍ବରେ ଛିଡ଼ାହୋଇ ଶେଷ ସମ୍ମାନ ଜଣାଇଥିଲେ।

ସମ୍ବନ୍ଧିତ ଖବର