ହାଇକୋର୍ଟରେ ଜେଲ୍‌ ସଂସ୍କାର ମାମଲା: ଭୁବନେଶ୍ବର ସ୍ବତନ୍ତ୍ର ଜେଲ୍‌ରେ କ୍ଷମତାଠାରୁ ୩୦% ଅଧିକ ବନ୍ଦୀ

କଟକ: ଭଦ୍ରକ ଜେଲରେ ୨୦୧ କ୍ଷମତା ଥିବା ବେଳେ ସେଠାରେ ଏବେ ୨୬୫ ଜଣ ବନ୍ଦୀ ରହୁଛନ୍ତି। ଯାଜପୁର ଜେଲର କ୍ଷମତା ୧୩୩ ଥିବା ବେଳେ ସେଠାରେ ଏବେ ୨୦୦ ବନ୍ଦୀ ରହୁଛନ୍ତି। ଭୁବ‌ନେଶ୍ବର ସ୍ପେଶାଲ ଜେଲ୍‌ର କ୍ଷମତା ୯୯୧ ହୋଇଥିବା ବେଳେ ଏବେ ପ୍ରାୟ ୩୦ ପ୍ରତିଶତ ଅଧିକ ଅର୍ଥାତ ୧୩୯୭ ଜଣ ବନ୍ଦୀଙ୍କୁ ରଖାଯାଇଛି। ରାଜ୍ୟର କେତେକ ଜେଲରେ ଏଭଳି ନିର୍ଦ୍ଧାରିତ ସଂଖ୍ୟା ଠାରୁ ବହୁ ଅଧିକ ବନ୍ଦୀ ରହିବା ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଜେଲ ସଂସ୍କାର ସଂପର୍କିତ ମାମଲାର ଶୁଣାଣି ହୋଇଥିବା ବେଳେ ରାଜ୍ୟର ସବୁ ଜିଲ୍ଲାରେ ରହିଥିବା ୟୁଟିଆରସି(ଅଣ୍ଡର ଟ୍ରାଏଲ ରିଭ୍ୟୁ କମିଟି) ଜେଲରେ ଭିଡ଼ ସମସ୍ୟା ସମାଧାନ ପ୍ରସଂଗରେ ପଦକ୍ଷେପ ନେବା ଉଚିତ ବୋଲି ଆମିକସ କ୍ୟୁରି ଦର୍ଶାଇଥିଲେ। ହାଇକୋର୍ଟ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ବର୍ତ୍ତମାନର ନିର୍ଦ୍ଦେଶ ସଂକ୍ରାନ୍ତରେ ସମସ୍ତ ୟୁଟିଆରସିଙ୍କୁ ଅବଗତ କରିବାକୁ ଓଡ଼ିଶା ରାଜ୍ୟ ଆଇ‌ନସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ବନ୍ଦୀଙ୍କୁ ରଖାଯିବା ପ୍ରସଂଗରେ ୟୁଟିଆରସିର ମତାମତ ‌ଲୋଡ଼ାଯିବ। ପରବର୍ତ୍ତୀ ଶୁଣାଣି ସମୟରେ ୟୁଟିଆରସିଙ୍କ ପଦକ୍ଷେପ ଓ ମତାମତ ସଂକ୍ରାନ୍ତରେ ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ଅବଗତ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ଜେଲରେ ଭିଡ଼ ଏଡ଼ାଇବା ପ୍ରସଂଗରେ ହେବାକୁ ଥିବା ଅଗ୍ରଗତି ସଂକ୍ରାନ୍ତରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ଜେଲ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଯାଜପୁର, ଭଦ୍ରକ ଜେଲ୍‌ରେ ବି ସ୍ଥିତି ସଙ୍ଗିନ
ଭିଡ଼ ଏଡ଼ାଇବା ଉପରେ ହାଇକୋର୍ଟଙ୍କ ଗୁରୁତ୍ବ, ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ଅଦାଲତରୁ ଜାମିନ ନିର୍ଦ୍ଦେଶ ପାଇବା ପରେ ମଧ୍ୟ ଧାର୍ଯ୍ୟ ଜାମିନ ସର୍ତ୍ତ ପୂରଣ କରିବାରେ ବିଫଳ ହୋଇ ଜେଲରେ ଥିବା ବନ୍ଦୀଙ୍କ ମୁକ୍ତି ପ୍ରସଂଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ରାଜ୍ୟ ଆଇନସେବା ପ୍ରାଧିକରଣକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଶୁଣାଣି ସମୟରେ ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁଯାୟୀ ଜାମିନ ପାଇବା ପରେ ମଧ୍ୟ ଜେଲରେ ରହିଥିବା ବନ୍ଦୀଙ୍କ ସଂଖ୍ୟା ଇତିମଧ୍ୟରେ ୪୪୪ରୁ ହ୍ରାସ ପାଇ ୨୬୬ରେ ପହଞ୍ଚିଛି। ଏଭଳି ବନ୍ଦୀଙ୍କ ଜେଲରୁ ମୁକୁଳିବା ପ୍ରସଂଗରେ ନିର୍ଦ୍ଦିଷ୍ଟ ଭାବେ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ରାଜ୍ୟ ଆଇନସେବା ପ୍ରାଧିକରଣକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଇଣ୍ଟରଭେନର ଭାବେ ପକ୍ଷଭୁକ୍ତ ହୋଇଥିବା ଆଇନଜୀବୀ ମୃଣାଳିନୀ ପାଢୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସରକାରଙ୍କ ବିଭିନ୍ନ ମଙ୍ଗଳକାରୀ ଯୋଜନାର ସୁବିଧା ଅନୁସୂଚିତ ଜନଜାତି ଜାତି, ପଛୁଆବର୍ଗର ଜେଲ ଭିତରେ ଥିବା ଶିଶୁଙ୍କୁ ମଧ୍ୟ ମିଳିବା କଥା। ଶ୍ରମରେ ନିୟୋଜିତ ବନ୍ଦୀଙ୍କୁ ଉପଯୁକ୍ତ ଆହାର ପ୍ରଦାନ କରାଯିବା କଥା। ଅନ୍ୟ ବନ୍ଦୀଙ୍କ ଠାରୁ କଠୋର ଶ୍ରମଦାନ କରୁଥିବା ବନ୍ଦୀଙ୍କୁ ଉପଯୁକ୍ତ ଅଧିକ ଖାଦ୍ୟ ପ୍ରଦାନ କରାଯିବା ଉଚିତ ବୋଲି ସେ ଦର୍ଶାଇଥିଲେ। ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଶ୍ରମ କରୁଥିବା ବନ୍ଦୀଙ୍କୁ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ପ୍ରଦାନ ପ୍ରସଂ‌ଗରେ ଗତ ଜାନୁଆରିରେ ଆଲୋଚନା କରାଯାଇଥିଲା। ଶ୍ରମରେ ନିୟୋଜିତ ବନ୍ଦୀଙ୍କୁ ୩୨୭ କିଲୋକ୍ୟାଲୋରି ଖାଦ୍ୟ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। ଏପରି ପ୍ରସ୍ତାବ କାର୍ଯ୍ୟକାରୀ ପ୍ରସଂଗରେ ଜବାବ ରଖିବାକୁ ସରକାରଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ହାଇକୋର୍ଟ ଏ ସଂପର୍କିତ କୃଷ୍ଣପ୍ରସାଦ ସାହୁଙ୍କ ଜନସ୍ବାର୍ଥ ଆବେଦନର ମେ ୧୭କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର