ଆତ୍ମହତ୍ୟା: ୪ ସହକର୍ମୀଙ୍କୁ ଦାୟୀକରି ଟ୍ରେନ୍‌ ଆଗକୁ ଡେଇଁଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ

ବନ ଅଧିକାରୀଙ୍କ ନିର୍ଯାତନା ସହି ନପାରି ବିଷ ପିଇଲେ

ସମ୍ବଲପୁର: ନିଜର ୪ ଜଣ ସହକର୍ମୀଙ୍କୁ ଦାୟୀ କରି ଟାମ୍ପରକେଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ନାଥ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ କ୍ଷୀରୋଦ ଏକ ଚିଠି ଲେଖି ନ୍ୟାୟ ମାଗିବା ଘଟଣା ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି।ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ସହର ଉପକଣ୍ଠ ସିନ୍ଦୁରପଙ୍କ ନିବାସୀ କ୍ଷୀରୋଦ କୁମାର ନାଥ ରେଂଗାଲି ଟାମ୍ପରକେଲା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ। ଗତ ଜୁନ୍ ୩୦ ତାରିଖ ଦିନ ସେ ଚାକିରିରୁ ଅବସର ନେଇଥିଲେ। କ୍ଷୀରୋଦଙ୍କ ପରେ ସଂଜୀବ ପଟେଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ତେବେ, ଦାୟିତ୍ବ ହସ୍ତାନ୍ତର ସଂପର୍କିତ ବିବାଦକୁ ନେଇ ସେ ମାନସିକ ଚାପରେ ଥିବାବେଳେ ଆଜି ସମ୍ବଲପୁର ସିଟି ରେଳଷ୍ଟେସନରୁ ସିନ୍ଦୁରପଙ୍କ ମଝିରେ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ।

ମାଧପୁର: ବନ ଅଧିକାରୀଙ୍କ ନିର୍ଯାତନା ସହି ନପାରି ଜଣେ ବ୍ୟକ୍ତି ବିଷପିଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ସେ ହେଉଛନ୍ତି, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ ମାଧପୁର ରେଞ୍ଜ୍‌ କିଆକଟା ସେକ୍ସନ ଘୋଡ଼ାଗାଡ଼ି ବିଟ୍‌ ହାଉସ୍‌ ଅନ୍ତର୍ଗତ ମୁଣ୍ଡାପଡ଼ା ଗାଁର ଦଶରଥ ନାଏକ(୪୫)।
ମୁଣ୍ଡାପଡ଼ା ଗାଁ ନିକଟ ଖେସରା ଜଙ୍ଗଲରେ ଗତ ୧୫ ତାରିଖରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବନବିଭାଗର ଅଧିକାରୀ ଦଶରଥଙ୍କୁ ଡାକି ପଚରାଉଚରା କରିଥିଲେ। ତେବେ, ଦଶରଥଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ବନପାଳଙ୍କ କାର୍ଯ୍ୟାଳୟରେ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ରଖି ନିର୍ଯାତନା ଦିଆଯାଇଥିଲା । ଏହାପ‌ରେ ଦଶରଥ ଘରକୁ ଫେରିଥିଲେ। କିନ୍ତୁ, ଗତକାଲି ସେ ବିଷ ପିଇଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ, ମୃତକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ ଅପରାହ୍ନ ୨ଟାରୁ କିଆକଟା ବନପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୌଦ୍ଧ-ଆଠମଲ୍ଲିକ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଅନ୍ୟପକ୍ଷରେ, ଅଭିଯୋଗକୁ ସମ୍ପୃକ୍ତ ବନ ଅଧିକାରୀ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର