ଯୋରନ୍ଦା ମହିମାଗାଦିରେ ବୁଲିଲା ବୁଲ୍‌ଡୋଜର୍‌: ମାଟିରେ ମିଶିଲା ଧୁନି ମନ୍ଦିର

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମାଗାଦିରେ ଥିବା ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ ୯୫ବର୍ଷର ବତି ମନ୍ଦିର ଓ ଧୁନିମନ୍ଦିରକୁ ଆଜି ଉଚ୍ଛେଦ କରାଯାଇଛି। ଏଥିସହିତ ବାବାଙ୍କ ଅନ୍ତେ କୌପୀନଧାରୀ ସାଧୁମାନଙ୍କ ଦ୍ୱାରା ନିର୍ମିତ ଭେକ ମନ୍ଦିର, ଟୁଙ୍ଗି, ଚାଳଘର ଓ ଭଜନ ମଣ୍ଡପ ଆଦିକୁ ବୁଲ୍‌ଡୋଜର୍‌ ଚଳାଇ ମାଟିରେ ମିଶାଇ ଦିଆହୋଇଛି। ହାଇକୋର୍ଟଙ୍କ ରାୟ ଆଧାରରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ଏହି ଉଚ୍ଛେଦ ପ୍ରକ୍ରିୟା କରାଯାଇଥିଲାବେଳେ ଏହା ସାଧୁମାନଙ୍କୁ ଭାବପ୍ରବଣ କରିଦେଇଥିଲା। ଏହାକୁ ନେଇ ଭକ୍ତଙ୍କ ଭିତରେ ବି ଅସନ୍ତୋଷ ପ୍ରକାଶ ପାଇଥିଲାବେଳେ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ଢେଙ୍କାନାଳ ସିଭିଲ୍ ଜଜ୍ ସିନିଅରଙ୍କ କୋର୍ଟ ଅମିନ କମିସନରଙ୍କ ଉପସ୍ଥିତିରେ ଆଜି ଚିହ୍ନଟ ଓ ଉଚ୍ଛେଦ କାର୍ଯ୍ୟ ହୋଇଥିଲା। ପୁଲିସ ସୁରକ୍ଷା ମଧ୍ୟରେ ୩ଟି ଜେସିବି ଓ ୭ଟି ଟ୍ରାକ୍ଟର ସହାୟତାରେ କୌପୀନଧାରୀ ମହିମା ସମାଜ ଦଖଲରେ ଥିବା ମାହାଳମୂଳ ବତି ମନ୍ଦିର, ଧୂନି ମନ୍ଦିର, କୃପାସିନ୍ଧୁ ବାବାଙ୍କ ଟୁଙ୍ଗି, ଭଜନ ଘର ଓ ଚାଳଘର ସବୁ ଭାଙ୍ଗି ଦିଆଯାଇଥିଲା। କୌପୀନଧାରୀ ମହିମା ସମାଜ ସଭାପତି ରଘୁନାଥ ବାବା ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ କୋର୍ଟଙ୍କ ରାୟକୁ ସମ୍ମାନ ଦେଇଥିଲେ। କୌପୀନଧାରୀ ମହିମା ସମାଜର ବାବାମାନଙ୍କ ପକ୍ଷରୁ କୌଣସି ବାଧା ସୃଷ୍ଟି କରାଯାଇନଥିଲେ ମଧ୍ୟ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଅନ୍ୟପକ୍ଷରେ ବଳ୍କଳଧାରୀ ମହିମା ସମାଜ ସାଧୁମାନେ ଦୀର୍ଘଦିନର ଦାବି ପୂର୍ଣ୍ଣ ହେଲା ବୋଲି ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ପ୍ରଭୁଙ୍କର ମନ୍ଦିର ସଂପ୍ରସାରଣ କାର୍ଯ୍ୟ ଖୁବ୍‌ଶ୍ରୀଘ୍ର ଆରମ୍ଭ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ଏଠାରେ ସୂଚନା ଥାଉକି, ମହିମାଗାଦି ତୃତୀୟ ବେଢ଼ା ମଧ୍ୟରେ ସିଦ୍ଧବଡ଼ କୃପାସିନ୍ଧୁ ବାବାଙ୍କ ସମୟରୁ ବତି ମନ୍ଦିର, ଧୁନି ମନ୍ଦିର ନିର୍ମିତ ହୋଇଥିଲା। ବାବାଙ୍କ ଅନ୍ତେ ୧୯୪୩ ମସିହାଠାରୁ ବଳ୍କଳଧାରୀ ମହିମା ସମାଜ ପକ୍ଷରୁ ତୃତୀୟ ବେଢ଼ା ମଧ୍ୟରୁ ବତି ମନ୍ଦିର ଓ ଧୁନି ମନ୍ଦିର ଉଚ୍ଛେଦ ପାଇଁ କୋର୍ଟରେ ମାମଲା ରୁଜୁ ହୋଇଥିଲା। ଏ ସମ୍ପର୍କରେ ବିଭିନ୍ନ ସମୟରେ ମାମଲା, ରାୟ ଓ ସ୍ଥଗିତାଦେଶ ଲାଗି ରହିଥିଲା। ଶେଷରେ ଗତ ୨୦୨୨ ଜୁଲାଇ ୧୧ତାରିଖରେ ପ୍ରଥମେ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ, ଆବଶ୍ୟକ ପୁଲିସ ସୁରକ୍ଷା ବ୍ୟବସ୍ଥା ହୋଇ ନପାରିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା।

ଏପଟେକୌପୀନଧାରୀ ମହିମା ସମାଜ ପକ୍ଷରୁ ହାଇକୋର୍ଟରୁ ରହିତାଦେଶ ଆସିବାରୁ ଉଚ୍ଛେଦ କାର୍ଯ୍ୟ ବିଳମ୍ବିତ ହୋଇଥିଲା। କିନ୍ତୁ ଗତ ଅକ୍ଟୋବର ୩୦ ତାରିଖରେ ସ୍ଥଗିତାଦେଶ ଉଠିଯାଇଥିଲା। ଫଳରେ ବଳ୍କଳଧାରୀ ସମାଜ ପକ୍ଷରୁ ହାଇକୋର୍ଟଙ୍କୁ ନିବେଦନ କରାଯିବା ପରେ କୋର୍ଟ ପକ୍ଷରୁ ଆଜି ଉଚ୍ଛେଦ ପାଇଁ ଦିନଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଗତ ୧୮ ତାରିଖଠାରୁ ବିବାଦୀୟ ସ୍ଥଳରେ ୧୪୪ ଧାରା ଜାରି କରି ପୁଲିସ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର