ରାଜ୍ୟରେ ଡେଙ୍ଗୁ ପଜିଟିଭ୍ ହାର ୧୩%: ଖୋର୍ଧାକୁ ଟକ୍କର ଦେଉଛନ୍ତି ୩ ଉପକୂଳ ଜିଲ୍ଲା

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଥମୁନାହିଁ। ଦିନକୁ ଦିନ ଡେଙ୍ଗୁର ସଂକ୍ରମଣ ହାର(ଟିପିଆର) ବୃଦ୍ଧି ପାଉଛି। ଗତକାଲି ରାଜ୍ୟରେ ଯେତିକି ରକ୍ତ ନମୁନା ପରୀକ୍ଷା ହୋଇଥିଲା ତହିଁରେ ଟିପିଆର ୧୩% ରହିଛି। ଏଥିରୁ ରାଜ୍ୟରେ ଡେଙ୍ଗୁ ସ୍ଥିତି ବାରି ହୋଇପଡ଼ୁଛି। ଡେଙ୍ଗୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି।

ଗତ ୩ବର୍ଷ ଧରି ରାଜ୍ୟରେ ଡେଙ୍ଗୁ ମାଡ଼ି ଚାଲିଛି। ଚଳିତବର୍ଷ ଜୁନ୍ ମାସରୁ ରାଜ୍ୟରେ ଡେଙ୍ଗୁ ଡରାଇବାକୁ ଆରମ୍ଭ କଲାଣି। ଜାତୀୟ ଡେଙ୍ଗୁ ଦିବସ ପାଳନ କରି ରାଜ୍ୟ ସରକାର ଚଳିତବର୍ଷ ଡେଙ୍ଗୁକୁ ନିୟନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ମାତ୍ର ଡେଙ୍ଗୁ ରୋଗ ସୃଷ୍ଟିକାରୀ ଏଡିସ ମଶାର ଉତ୍ସକୁ ନଷ୍ଟ କରିବା ଯେଉଁ ପଦକ୍ଷେପ ନିଆଯିବା କଥା ତାହା ନିଆଗଲା ନାହିଁ। ଫଳରେ ଭୁବନେଶ୍ବରରେ ତୀବ୍ର ଗତିରେ ଡେଙ୍ଗୁ ବ୍ୟାପିବାକୁ ଆରମ୍ଭ କଲା। ଏହାପରେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଡେଙ୍ଗୁ ଥରାଉଛି। ସ୍ଥିତି ଏମିତି ହେଲାଣି ଯେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୬ହଜାର ମୁହାଁ ହୋଇଛି। ପୂର୍ବରୁ ସେପ୍ଟେମ୍ବର ମାସ ଶେଷ ଆଡ଼କୁ ଡେଙ୍ଗୁ ସ୍ଥିତିରେ ସୁଧାର ଆସିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। ମାତ୍ର ଏବେ ଆହୁରି ୧ମାସ ପାଇଁ ଅର୍ଥାତ୍ ଅକ୍ଟୋବର ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଫଳରେ ରାଜ୍ୟବାସୀଙ୍କୁ ଡେଙ୍ଗୁରୁ ନିସ୍ତାର ମିଳିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାଜ୍ୟରେ ୨୨୧୫ ରକ୍ତ ନମୁନା ପରୀକ୍ଷା ହୋଇଥିଲା। ତହିଁରୁ ୨୮୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତହିଁରୁ ଖୋର୍ଧା ଜିଲ୍ଲାରୁ କେବଳ ୧୮୮, ପୁରୀ ୨୮, ବାଲେଶ୍ବର ୧୬ ଓ ଝାରସୁଗୁଡ଼ାରୁ ୧୨ଜଣ ରୋଗୀ ବାହାରିଛନ୍ତି। ଯାହାଫଳରେ ରାଜ୍ୟରେ ସମୁଦାୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮୨କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାରେ ୨୪୭୮, ପୁରୀ ୬୪୯, କଟକ ୫୪୭, ବାଲେଶ୍ବର ୫୨୭, ଜଗତସିଂହପୁର ୨୯୨, ନୟାଗଡ଼ ୨୨୪, ସୁନ୍ଦରଗଡ଼ ୧୭୪, କେନ୍ଦ୍ରାପଡ଼ା ୧୧୭, କେନ୍ଦୁଝର ୧୧୪ ଆକ୍ରାନ୍ତ ବାହାରିଛନ୍ତି। କେବଳ ବୌଦ୍ଧ ଜିଲ୍ଲାରୁ ସର୍ବନିମ୍ନ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଗତବର୍ଷ ଏହି ସମୟରେ ରାଜ୍ୟରେ ୩୩୬୬ ‌ରୋଗୀ ବାହାରିଥିଲେ। ‌ଗତବର୍ଷ ତୁଳନାରେ ଚଳିତବର୍ଷ ପ୍ରାୟ ଅଢ଼େଇ ହଜାର ରୋଗୀ ଅଧିକ ବାହାରିଛନ୍ତି, ଯାହାକି ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର