ଜଳାଶୟଗୁଡ଼ିକୁ ଜବରଦଖଲମୁକ୍ତ କରିବାକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: ଦେଶରେ ଜଳାଶୟ ଓ ପୋଖରୀଗୁଡ଼ିକ କିଭଳି ଜବରଦଖଲରୁ ମୁକ୍ତ କରାଯିବ ସେ ଦିଗରେ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି। ଏହି ମର୍ମରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ସବୁ ରାଜ୍ୟକୁ ଜଳାଶୟଗୁଡ଼ିକୁ ମୁକ୍ତ କରିବା ସକାଶେ ତ୍ବରିତ ପଦକ୍ଷେପ ନେବା ପାଇଁ ପତ୍ର ଲେଖାଯାଇଛି। ପତ୍ରରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଜଳାଶୟ ଗୁଡ଼ିକର ଗଣନା ସଂପର୍କିତ ରିପୋର୍ଟକୁ ମଧ୍ୟ ସଂଲଗ୍ନ କରିଛନ୍ତି। ଯାହାଦ୍ବାରା ସମ୍ବନ୍ଧିତ ରାଜ୍ୟମାନେ ଜଳାଶୟଗୁଡ଼ିକର ସଂଖ୍ୟା ଓ ଜବରଦଖଲର ସ୍ଥିତି ସଂପର୍କରେ ଅବଗତ ହୋଇପାରିବେ। ଦେଶରେ ଜଳାଶୟଗୁଡ଼ିକର ଜବରଦଖଲ ଚିନ୍ତାଜନକ ବୋଲି କେନ୍ଦ୍ର ସରକାର ହୃଦବୋଧ କରିବା ସହିତ ଏହାକୁ କିଭଳି ତ୍ବରିତ କରାଯାଇପାରିବ ସେ ନେଇ ରାଜ୍ୟମାନଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାର ଦେଶରେ ଜଳାଶୟଗୁଡ଼ିକର ଦ୍ବିତୀୟ ଗଣନା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯଦି ରାଜ୍ୟମାନଙ୍କ ଦ୍ବାରା ଜବରଦଖଲ ହଟାଇବା ଦିଗରେ ସକ୍ରିୟତା ପ୍ରକାଶ କରାଯାଏ ତା‌’ହେଲେ ଦ୍ବିତୀୟ ଜଳାଶୟ ଗଣନା ସ୍ଥିତିରେ ସୁଧାର ହୋଇପାରିବ ବୋଲି କେନ୍ଦ୍ର ସରକାର ଆଶା କରୁଛନ୍ତି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଦ୍ବାରା ଚଳିତ ବର୍ଷ ଏପ୍ରିଲରେ ପ୍ରକାଶ କରାଯାଇଥିବା ପ୍ରଥମ ଜଳାଶୟ ଗଣନା ରିପୋର୍ଟରେ ଦେଶରେ ସମୁଦାୟ ୨୪,୦୦,୦୦୦ ଜଳାଶୟ ଥିବା ଉଲ୍ଲେଖ ରହିଛି। ଓଡ଼ିଶାରେ ୧ ଲକ୍ଷ ୮୧ ହଜାର ୮୩୭ଟି ଜଳାଶୟ ରହିଥିବା ଦର୍ଶାଯାଇଥିବା ବେଳେ ୧୦୪୮ ଜଳାଶୟ ଜବରଦଖଲ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଥିଲା। ଅନ୍ୟପକ୍ଷେ, ରିପୋର୍ଟରେ ଦେଶରେ ସମୁଦାୟ ୩୮,୪୯୬ ଜଳାଶୟ ଜବରଦଖଲ ହୋଇଥିବା ଉଲ୍ଲେଖ ରହିଥିଲା। ସର୍ବାଧିକ ୧୫,୩୦୧ ଜଳାଶୟ ଜବରଦଖଲ ଉତ୍ତର ପ୍ରଦେଶରେ ରହିଛି। କେନ୍ଦ୍ର ସରକାର କହିଛନ୍ତି ବେଆଇନ ରୂପେ କବ୍‌ଜା କରାଯାଇଥିବା ଜଳାଶୟଗୁଡ଼ିକୁ ମୁକ୍ତ କରିବାର ଦାୟିତ୍ବ ରାଜ୍ୟ ସରକାରଙ୍କ।

ସମ୍ବନ୍ଧିତ ଖବର