ସୁରେଶଙ୍କ ଅଫିସ୍‌ ପାଖରେ ଖସିଲା ଡ୍ରୋନ୍: କିଛି ସମୟ ପାଇଁ ଆତଙ୍କ ଖେଳିଗଲା

ବନବିଭାଗର ଡ୍ରୋନ୍‌ ବୋଲି ଜଣାପଡ଼ିଲା

ବ୍ରଜରାଜନଗର: ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ତଥା ସାଂସଦ ସୁରେଶ ପୂଜାରୀଙ୍କ ଅସ୍ଥାୟୀ ଅଫିସ୍‌ ପାଖରେ ଆଜି ଏକ ଡ୍ରୋନ୍‌ ଖସିପଡ଼ିଥିଲା। ଏହାକୁ ନେଇ କିଛିସମୟ ପାଇଁ ସେଠାରେ ଆତଙ୍କ ଖେଳିଯାଇଥିଲା। ସାଂସଦ ଶ୍ରୀ ପୂଜାରୀ ଝାରସୁଗୁଡା ଏସ୍‌ପି ଓ ବେଲପାହାଡ଼ ଥାନା ଅଧିକାରୀଙ୍କୁ ଜଣାଇବା ପରେ ପୁଲିସ ତଦନ୍ତ କରିଥିବା ବେଳେ ପରବର୍ତ୍ତୀ ସମୟରେ ଡ୍ରୋନ୍‌ଟି ଜଙ୍ଗଲ ବିଭାଗର ବୋଲି ଜଣାପଡ଼ିଛି। ୪୯ ନମ୍ବର ଜାତୀୟ ରାଜପଥ ଆମଦରହ ପାଖରେ ରହିଛି ଶ୍ରୀ ପୂଜାରୀଙ୍କ ଅସ୍ଥାୟୀ ଅଫିସ୍‌। ଗୁରୁବାର ଅପରାହ୍ନ ୨ଟା ସମୟରେ ହଠାତ୍‌ ଏହି ଅଫିସ୍‌ ନିକଟରେ ଏକ ଡ୍ରୋନ୍‌ ଏଲ୍‌ଟି ଟାୱାରରେ ପିଟିହୋଇ ଖସିପଡ଼ିଥିଲା। ଶ୍ରୀ ପୂଜାରୀ ସଙ୍ଗେସଙ୍ଗେ ପୁଲିସକୁ ଜଣାଇବା ସହିତ କିଏ କେଉଁ ଉଦ୍ଦେଶ୍ୟରେ ଏଭଳି ଡ୍ରୋନ୍ ଉଡ଼ାଉଥିଲେ ତାହା ତଦନ୍ତ ହେବା ଆବଶ୍ୟକ ବୋଲି କହିଥିଲେ। ଏହାପରେ ବେଲପାହାଡ଼ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଡ୍ରୋନ କ୍ୟାମେରାକୁ ବନ୍ଦ କରି ଏହାକୁ ଜବତ କରିଥିଲେ।

ପରବର୍ତ୍ତୀ ସମୟରେ ଏହି ଡ୍ରୋନ୍‌ଟି ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟବହାର ହୋଇଥିବା ଜଣାପଡ଼ିଛି। ବ୍ରଜରାଜନଗର ରେଞ୍ଜର୍‌ଙ୍କ ସୂଚନା ଅନୁଯାୟୀ ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ବନୀକରଣ ଉଦ୍ଦେଶ୍ୟରେ ସର୍ଭେ ପାଇଁ ଏହାକୁ ବ୍ୟବହାର କରାଯାଇଥିଲା। ବନୀକରଣ ପାଇଁ କେତେ ଗାତ ଖୋଳା ଯାଇଛି ଓ କେତେ ଗଛ ଲାଗିଛି, କେଉଁଠାରେ ଗଛ ଲାଗିବ ଏହାରି ସାହାଯ୍ୟରେ ସର୍ଭେ କରାଯାଉଥିଲା। କୌଣସି କାରଣରୁ ଡ୍ରୋନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର